ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ସାରଥି ପାଇଁ ପାଗ ଅନୁକୂଳ ନାହିଁ। ଏଣୁ ଜେଲରୁ ଆସୁ ଆସୁ ସିଧା ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି ଆତ୍ମଘୋଷିତ ବାବା ସାରଥି।

ଜେଲ୍ ଯିବା ପୂର୍ବରୁ ବାବା ସାରଥି ଓରଫ୍ ସନ୍ତୋଷ ରାଉଳ ରାଜ୍ୟ ବାହାରେ ଜଣେ ଯୁବତୀଙ୍କ ସହ ହୋଟେଲରେ ରାତି କଟାଇ ଫସିଥିଲେ। ଏବେ ଜେଲରୁ ଆସୁ ଆସୁ ପୁଣି ସାରଥି ରାଜ୍ୟ ବାହାରକୁ ଯାଉଛନ୍ତି। ଜେଲ୍ ଯିବା ପୂର୍ବରୁ ସାରଥି ହାଇଦ୍ରାବାଦରୁ ଧରାପଡ଼ିଥିବା ବେଳେ ଏବେ ସେ ଜେଲ୍‌ରୁ ମୁକୁଳି କଲିକତା ଯାଇଥିବା କୁହାଯାଉଛି। ତେବେ ବାବା ହଠାତ୍ କାହିଁକି ରାଜ୍ୟ ବାହାରକୁ ଗଲେ ତାକୁ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ବାବା କଲିକତାରେ କ’ଣ କରୁଛନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କୁହାଯାଉଛି ଯେ ସାରଥି ଜେଲ୍‌ରୁ ମୁକୁଳିବା ପରେ ପାଣିପାଗ ଗରମ ରହିଛି। ଯେତେବେଳେ ପାଣିପାଗ ଥଣ୍ଡା ହେବ ସେତେବେଳେ ଆତ୍ମଘୋଷିତ ବାବା ସାରଥି ଓଡ଼ିଶା ଫେରି ଆସିବେ ବୋଲି ଚର୍ଚ୍ଚା ହେଉଛି।

ସାରଥି ଗିରଫ ହେବା ପରେ ତାଙ୍କ ଭକ୍ତମାନେ ଭିନ୍ନ ଯୁକ୍ତି ବାଢ଼ିଥିଲେ। କହିଥିଲେ ଯେ ବାବା ରାଜ୍ୟ ବାହାରକୁ ଯିବା କିଛି ନୂଆ କଥା ନୁହେଁ। ସେ ବର୍ଷକୁ ଥରେ କିମ୍ବା ଦୁଇ ଥର ରାଜ୍ୟ ବାହାରକୁ ଯାଇଥାନ୍ତି। ହେଲେ ଜେଲ୍‌ରେ ରହିଯାଇ ଥିବାରୁ ସାରଥିଙ୍କ ଦେହରେ ବାହାର ରାଜ୍ୟର ପାଣିପବନ ବାଜିନି। ଏଣୁ ସେ ଜେଲ୍‌ରୁ ଆସୁ ଆସୁ ଓଡ଼ିଶାରେ ନରହି ସେ ସିଧାସଳଖ କଲିକତା ଚାଲି ଯାଇଥିବା କୁହାଯାଉଛି। ତେବେ କଲିକତାରେ ସେ କ’ଣ କରୁଛନ୍ତି ଏବଂ କେଉଁ ପରିସ୍ଥିତିରେ ଅଛନ୍ତି ତାହା କେବଳ ଈଶ୍ୱରଙ୍କୁ ହିଁ ଜଣା।

ଦିନ ଥିଲା ସାରଥି ଅଖଣ୍ଡ ସାମ୍ରାଜ୍ୟର ଅଧିକାରୀ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳରେ ଏକର ଏକର ଜାଗା ମାଡ଼ିବସି ସେ ବିଶାଳ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ଭକ୍ତମାନେ ବିଶ୍ୱାସର ସହ ବାରିମୂଳ ଆଶ୍ରମକୁ ଆସୁଥିଲେ। ନିଜକୁ ଶ୍ରୀକୃଷ୍ଣଙ୍କ ଅବତାର କହି ଲୋକଙ୍କୁ ଭୂଆଁ ବୁଲାଇ ଚାଲିଥିଲେ। କିନ୍ତୁ ଚୋର ଘର ବେଶୀଦିନ ଅନ୍ଧାର ନୁହେଁ ନ୍ୟାୟରେ ସାରଥିର ସବୁ କେଳେଙ୍କାରୀ ୨୦୧୫ରେ ଧରାପଡ଼ି ଯାଇଥିଲା।

ଯେତେବେଳେ ସାରଥି ପାଟ ବସ୍ତ୍ର ଏବଂ ଚିତା ଚଇତନ ଛାଡ଼ି ଜିନ୍ସ ପାର୍ଟ, ଟି ସାର୍ଟ ପିନ୍ଧା ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଲା ସେତେବେଳେ ସାରଥିର ସବୁ ଖେଳ ଶେଷ ହୋଇଯାଇଥିଲା। ଖାଲି ସେତିକି ନୁହେଁ, ହାଇଦ୍ରବାଦର ଗୋଲକୁଣ୍ଡା ହୋଟେଲରେ ଜଣେ ଯୁବତୀଙ୍କ ସହ ସାରଥି ଅଏସ କରୁଥିବା ଚିତ୍ର ସାମ୍ନାକୁ ଆସିବା ପରେ ଚାରିଆଡ଼େ ପ୍ରତିବାଦର ସ୍ୱର ଉଠିଥିଲା। ଭକ୍ତଙ୍କ ବିଶ୍ୱାସ ସହ ଖେଳିଥିବା ଅଭିଯୋଗରେ ବାବା ବଦନାମ ହୋଇଥିଲେ। ଶେଷରେ ତାଙ୍କ ପଛରେ କେଳେଙ୍କାରୀର ଫର୍ଦ୍ଦ ଯୋଡ଼ି ହୋଇଯାଇଥିଲା। ବାବା ବନ୍ଧା ହୋଇ ଜେଲ୍ ଯାଇଥିଲେ।

୩ ବର୍ଷ ୩୫୦ ଦିନ ଜେଲରେ ରହିବା ପରେ ସାରଥି ଜେଲରୁ ମୁକୁଳିଛନ୍ତି। ହେଲେ ସାରଥିଙ୍କୁ ନେଇ ଏବେ ବି ବାତାବରଣ ଅଶାନ୍ତ ରହିଛି। ଗୋଟିଏ ପଟେ ବାରିମୂଳ ଆଶ୍ରମକୁ ଇଡି କବ୍‌ଜା କରିଥିବା ବେଳେ ଅନ୍ୟପଟେ ସାରଥିର ପୈତୃକଘରେ ପୂରାଇ ଦିଆଯିବ ନାହିଁ ବୋଲି ଗାଁ ଲୋକେ ଜିଦ୍‌ ଧରିଥିଲେ। ଶେଷରେ ସାରଥି କୁଆଡ଼େ ଯିବ ତାକୁ ନେଇ ଚର୍ଚ୍ଚା ବଢ଼ିଥିଲା।

ସବୁଠୁ ବଡ଼ କଥା ହେଉଛି ଜାମିନ ବେଳେ ହାଇକୋର୍ଟ ସାରଥି ପାଇଁ କିଛି ସର୍ତ୍ତ ଲାଗୁ କରିଥିଲେ। ବାରିମୂଳ ଆଶ୍ରମ ଯାଇ ପାରିବେନି ଏବଂ କୌଣସି ସଭାସମିତିରେ ଯୋଗଦେଇ ପାରିବେ ନାହିଁ। ଏହାଛଡ଼ା କୌଣସି ପ୍ରବଚଳ ଦେଇ ପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସାଭସମିତି ଏବଂ ପ୍ରବଚନ ଦେଇ ଯେଉଁ ସାରଥି ଦିନେ ପ୍ରତିଷ୍ଠିତ ହୋଇଥିଲା ସେ ସବୁ ରାସ୍ତା ବନ୍ଦ କରିଦେଲେ କୋର୍ଟ। ଶେଷରେ କୌଣସି ଉପାୟ ନପାଇ ସାରଥି ସିଧା ଓଡ଼ିଶା ବାହାରକୁ ଚାଲି ଯାଇଛନ୍ତି। ଓଡ଼ିଶାରେ ସାରଥି ଗୁମର ଖୋଲି ଯାଇଥିବାରୁ ଅନ୍ୟ ରାଜ୍ୟରେ ସେ ନିଜକୁ ସୁରକ୍ଷିତ ମଣୁଥିବା କୁହାଯାଉଛି।

ତେବେ ସାରଥି କେତେଦିନ ଓଡ଼ିଶା ବାହାରେ ରହିବେ ଏବଂ ଓଡ଼ିଶାର ପାଣିପାଗ କେବେ ଥଣ୍ଡା ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି। ସାରଥି ଯେବେ ବି ଓଡ଼ିଶା ଆସିବେ ସେତେବେଳେ ଭକ୍ତମାନେ ତାଙ୍କୁ କେମିତି ସ୍ୱାଗତ କରୁଛନ୍ତି ଏବଂ ସାଧାରଣ ଲୋକ ତାଙ୍କ ପ୍ରତି କେମିତି ବ୍ୟବହାର କରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

Comment