ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ମିଶନ କଶ୍ମୀର ଆଜିଠାରୁ ଆରମ୍ଭ ହୋଇଛି। ଧୋନି ଦକ୍ଷିଣ କଶ୍ମୀରରେ ଭିକ୍ଟର ଫୋର୍ସଙ୍କ ସହିତ ଆଜିଠୁ ଟ୍ରେନିଂ ଆରମ୍ଭ କରିବେ। ଧୋନିଙ୍କର ଏହି ଟ୍ରେନିଂ ଆଜିଠାରୁ ଅଗଷ୍ଟ ୧୫ ଯାଏଁ ଚାଲିବ। ଟ୍ରେନିଂ ଭିତରେ ଧୋନି ସେନା ସହ ମିଶି ଗାର୍ଡ, ପୋଷ୍ଟ ଡ୍ୟୁଟି, ପାଟ୍ରୋଲିଂ ଆଦି କାର୍ଯ୍ୟରେ ଯୋଗ ଦେବେ।

ସୂଚନା ଅନୁସାରେ ଧୋନିଙ୍କର ପୋଷ୍ଟିଂ ଦକ୍ଷିଣ କଶ୍ମୀରର ଅବନ୍ତିପୋରାରେ ହୋଇଛି। ଧୋନି ଟେରିଟୋରିଆଲ ଆର୍ମିର ପାରାଚ୍ୟୁଟ ରେଜିମେଣ୍ଟର ଲେଫ୍ଟନାଣ୍ଟ କର୍ନଲ ହୋଇଥିବାରୁ ଓ୍ୱେଷ୍ଟେଇଣ୍ଡିଜ ଗସ୍ତ ପୂର୍ବରୁ ସେ ବିସିସିଆଇକୁ ଚିଠି ଲେଖିଥିଲେ ଯେ ସେ କଶ୍ମୀରରେ ସେନା ସହ ଟ୍ରେନିଂ କରିବାକୁ ଚାହୁଁଛନ୍ତି।

୨୦୧୧ ମସିହାରେ ଧୋନିଙ୍କୁ ଭାରତୀୟ ସ୍ଥଳ ସେନାର ଲେଫ୍ଟନାଣ୍ଟ କର୍ଣ୍ଣଲ ଉପାଧିରେ ସମ୍ମାନିତ କରାଯାଇଥିଲା। ଏହା ପରଠୁ ଧୋନି ଥରେ ମାତ୍ର ତାଲିମ୍ ନେଇଛନ୍ତି। ୨୦୧୫ରେ ଧୋନି ଆଗ୍ରାର ପାରା ଟ୍ରେନିଂ ସ୍କୁଲ୍ ଯାଇ ପାରା ଗ୍ଲାଇଡିଂ ଅଭ୍ୟାସ କରିଥିଲେ। ଏହି ଟ୍ରେନିଂରେ ଧୋନି ୧୨୦୦ ଫୁଟ୍ ଉଚ୍ଚତାରୁ ଡେଇଁ ସମସ୍ତଙ୍କୁ ସ୍ତଵ୍ଧ କରିଦେଇଥିଲେ। ଯାହା ସେ ସମୟର ଚର୍ଚ୍ଚାର ବିଷୟ ଥିଲା।

୨୦୧୮  ମସିହାରେ ଧୋନିଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପୁରସ୍କାର ଗ୍ରହଣ ସମୟରେ ମଧ୍ୟ ଧୋନି ସେନା ପୋଷାକରେ ନଜର ଆସିଥିଲେ।

ବିଶ୍ଵକପ ସେମିଫାଇନାଲରୁ ବାଦ ପଡ଼ିବା ପରେ ଧୋନିଙ୍କ କ୍ରିକେଟ୍ ଜଗତରୁ ସନ୍ୟାସ ନେବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏହା ଉପରେ ଧୋନି ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଅନ୍ୟପଟେ ଧୋନି ଆଗାମୀ କ୍ରିକେଟ୍‌ ଟି-୨୦ ବିଶ୍ୱକପ ଯାଏଁ କ୍ରିକେଟ୍‌ରୁ ସନ୍ୟାସ ନେବେ ନାହିଁ ବୋଲି ଶୁଣିବାକୁ ମିଳୁଛି।

Comment