ଓଡ଼ିଶାଲାଇଭ ବ୍ୟୁରୋ

ବୟସର ଅପରାହ୍‌ଣରେ ବାପା ପାଇଁ ପୁଅ ହିଁ ଏକମାତ୍ର ସାହାରା ହୋଇଥାଏ। ହେଲେ ଏବେ ସମାଜରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳୁଛି ଯାହା ଏହି ଭାବନାକୁ ଭୁଲ ପ୍ରମାଣିତ କରୁଛି। ଯେଉଁ ପୁଅକୁ ଦିନେ ବାପା ମା’ ଅତି ଆଦରରେ ଛୋଟରୁ ବଡ଼ କରିଥିଲେ ସେହି ପୁଅ ବଡ଼ ହୋଇ ବାପା, ମା’ଙ୍କୁ ନିର୍ଯାତନା ଦେଉଛନ୍ତି। ପୁଅ, ବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ବାପା ନିଜର ସମସ୍ତ ସମ୍ପତ୍ତିକୁ ଦେଶକୁ ଦାନ କରିଛନ୍ତି। ଏଭଳି ଏକ ନିଆରା ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଦଶରଥପୁର ବ୍ଲକ ଅନ୍ତର୍ଗତ ମୁରାରୀପୁର ଗ୍ରାମର ୭୫ ବର୍ଷୀୟ କ୍ଷେତ୍ର ମୋହନ ମିଶ୍ର ଯାଜପୁର ଜିଲ୍ଳାପାଳ ରଂଜନ କୁମାର ଦାସଙ୍କ ନିକଟରେ ପୁଅବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସରକାରଙ୍କ ଆଶ୍ରାରେ ବଞ୍ଚିବା ପାଇଁ ନିବେଦନ କରିଛନ୍ତି। ପୈତୃକ ସମ୍ପତ୍ତି ଉପରେ ପୁତ୍ରର ଅଧିକାରକୁ ଏଡ଼େଇ କ୍ଷେତ୍ର ମୋହନ ନିଜର ସମସ୍ତ ସମ୍ପତ୍ତି ଜିଲ୍ଲାପାଳଙ୍କ ମାର୍ଫତରେ ସରକାରଙ୍କୁ ଦାନ କରିଛନ୍ତି ।

ଏନେଇ ଉଇଲ ପତ୍ର ବି କ୍ଷେତ୍ର ମୋହନ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। କ୍ଷେତ୍ର ମୋହନ ନିଜ ଉଇଲ ପତ୍ରରେ ଲେଖିଛନ୍ତି, ‘‘ମୋର ଏକମାତ୍ର ପୁତ୍ର ଓ ପୁତ୍ରବଧୂ ୩୦ ବର୍ଷ ଧରି ମତେ ନିର୍ଯାତନା ଦେଇ ଆସୁଛନ୍ତି। ବୋହୂ କି ପୁଅ ମୋର ଭରଣ ପୋଷଣ କରୁ ନାହାନ୍ତି। ବୟସ ଥିଲା ବେଳେ ଯେମିତି ସେମିତି କ୍ଷେତ୍ର ଚଳି ଆସୁଥିଲି। ଏହି  ବୟସରେ ମୋ ଦାୟିତ୍ୱ ନେବାକୁ କେହି ନାହାନ୍ତି। ପୁଅବୋହୂଙ୍କ ଠାରୁ ଶେଷରେ ଆଶା ତୁଟାଇ, ନିଜର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଜିଲ୍ଲାପାଳଙ୍କ ନାଁରେ ଉଇଲ କରିଛି।‘‘

ଜିଲ୍ଲାପାଳଙ୍କ ମାର୍ଫତରେ ଏକ ବୃଦ୍ଧାଶ୍ରମରେ ଅବଶିଷ୍ଟ ଜୀବନ ବିତାଇ ଦେବାକୁ ସେ ଆବେଦନ ପତ୍ରରେ ଲେଖିଛନ୍ତିଏବଂ ତାଙ୍କ ମୃତ୍ୟୁ ପରେ ମୃତଶରୀରକୁ ମଧ୍ୟ ଦାନ କରିବାକୁ ଚାହିଁଛନ୍ତି। ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତିକୁ ଦେଶର ହିତ ପାଇଁ ବ୍ୟବହାର କରିବାକୁ ସେ ଅନୁରୋଧ କରିଛନ୍ତି।

ଜିଲ୍ଲାପାଳ କ୍ଷେତ୍ର ମୋହନଙ୍କ ଠାରୁ ଏଭଳି ଆବେଦନ ପତ୍ର ପାଇବା ପରେ ଚଣ୍ଡିଖୋଲସ୍ଥିତ ଏକ ସ୍ୱେଚ୍ଛାସେବୀ ସଂଗଠନରେ କ୍ଷେତ୍ର ମୋହନଙ୍କୁ ରଖିବାକୁ ଉଦ୍ୟମ କରିଛନ୍ତି।

‘‘କ୍ଷେତ୍ର ମୋହନଙ୍କ ସମ୍ପତ୍ତିକୁ ବ୍ୟବହାର କରି ଏକ ବୃଦ୍ଧାଶ୍ରମ ପ୍ରତିଷ୍ଠା କରାଯିବ। ଭବିଷ୍ୟତରେ କ୍ଷେତ୍ରମୋହନଙ୍କ ଭଳି ନିର୍ଯାତିତ ବୃଦ୍ଧ/ବୃଦ୍ଧାଙ୍କୁ ସମ୍ପୃକ୍ତ ଜରାଶ୍ରମରେ ଥଇଥାନ କରାଯିବ‘‘,  ଜିଲ୍ଲାପାଳ ରଂଜନ କୁମାର ଦାସ କହିଛନ୍ତି।

କ୍ଷେତ୍ର ମୋହନଙ୍କ ଏଭଳି ପଦକ୍ଷେପ ଏକ ଉଦାହରଣ ସୃଷ୍ଟି କରିଛି। ଏମିତି ପୁଅଙ୍କ ପାଇଁ ଏହା ଏକ ଚେତାବନୀ ହେବ ବୋଲି ଆଶା କରାଯାଉଛି।

Comment