ଓଡ଼ିଶାଲାଇଭ ବ୍ୟୁରୋ

ଜାତୀୟ ସାହାସିକତା ପୁରସ୍କାର ପାଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା କଣ୍ଡିରା ଗ୍ରାମର ମେଘନାଦ ମଲ୍ଲିକଙ୍କ ପୁଅ ସିତୁ ମଲ୍ଲିକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। କଣ୍ଡିରା ପଞ୍ଚାୟତ ଜଳିଛକରେ ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ସିତୁଙ୍କ ସମେତ ଆଉ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଅନ୍ୟ ମୃତକ ଜଣକ ହେଉଛନ୍ତି ସିତୁଙ୍କ ପିଉସୀ ପୁଅ ଦୁର୍ଯୋଧନ ମଲ୍ଲିକ।

ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟା ସମୟରେ ଦୁର୍ଯୋଧନ ନିଜ ବାଇକ ଯୋଗେ ସିତୁକୁ ବସାଇ ଜରିମୂଳ ଯାଉଥିଲା। ସେହି ଜାଗାରେ ବିପରୀତ ଦିଗରୁ ଆସୁଥିବା ଏକ ଚିପ୍ସ ବୋଝେଇ ହାଇଓ୍ଵା ତଳକୁ ଚାଲି ଆସିଥିଲେ ଦୁର୍ଯୋଧନ। ଡ୍ରାଇଭର ବ୍ରେକ ମାରିଥିଲେ ମଧ୍ୟ ଭାରସାମ୍ୟ ହରାଇ ଟ୍ରକ ତଳକୁ ଚାଲିଯାଇଥିଲା ଦୁର୍ଯୋଧନଙ୍କ ବାଇକ। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା। ପରେ ଆଇଆଇସି ତପନ କୁମାର ନାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ଓ ଡ୍ରାଇଭରକୁ ଗିରଫ କରିଥିଲେ।

୨୦୧୮ରେ ସିତୁ ତାଙ୍କ ଦାଦାଙ୍କୁ କୁମ୍ଭୀର ମୁହଁରୁ ରକ୍ଷା କରିଥିଲେ। ଏନେଇ ୨୦୧୯ ଜାନୁଆରୀ ୨୬ ତାରିଖରେ ତାଙ୍କୁ ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଜାତୀୟ ସାହାସିକତା ପୁରସ୍କାର ପ୍ରଦାନ କରିଥିଲେ। ଏହି ଘଟଣାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ସହାୟତା କରିଛନ୍ତି।

Comment