ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍‌ ବ୍ୟୁରୋ

ଅଳ୍ପ ଦିନରେ ଓଲିଉଡ଼ରେ ବେଶ ନାମ କରିଲେଣି। ସେ ରିଆଲିଟି ସୋ’ ‘କିଏ ହେବ ମୋ ହିରୋଇନ୍’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ହେଉଛନ୍ତି ଆଜିକାର ଲୋକପ୍ରିୟ ନାୟିକା ତମନ୍ନା।

ତମନ୍ନା ସେହି ରିଆଲିଟି ସୋ’ରେ ସିନା ବିଜୟିନୀ ହୋଇପାରିଲେନି, କିନ୍ତୁ ତାଙ୍କୁ ଓଲିଉଡ ଟିକେଟ୍ ମିଳି ଯାଇଥିଲା।

ତମନ୍ନାଙ୍କୁ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ନାୟକ ରେଫର୍ ଦେଇଥିଲେ ତାଙ୍କ ନିର୍ଦ୍ଦେଶିତ ସିନେମା ‘ଜୋକର’ରେ। ଏହି ଫିଲ୍ମରେ ପପୁ ପମ୍‌ପମ୍‌, ଦୁଷ୍ମନ୍ତ ଓ ଲିପ୍‌ସା ପ୍ରମୁଖ ଅଭିନୟ କରିଥିଲେ। ଫିଲ୍ମର ପାଖାପାଖି ନବେ ପ୍ରତିଶତ ସୁଟିଂ ବି ସରିଥିଲା, ହେଲେ କୌଣସି କାରଣରୁ ‘ଜୋକର୍’ରିଲିଜ୍ ହୋଇପାରି ନାହିଁ।

ତମନ୍ନା ଏହା ପରେ ସଞ୍ଜୟ ନାୟକଙ୍କ ଅନ୍ୟ ଦୁଇଟି ସିନେମା ‘ନିଝୁମ୍ ରାତିର ସାଥୀ’ ଓ ‘ଏକ୍ସକ୍ୟୁଜ୍ ମି କ’ଣ କଲା ସେ’ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏ ଦୁଇଟି ସିନେମା ଜ୍ୟୋତିଙ୍କ ବିପକ୍ଷରେ ନାୟିକା ଭୂମିକା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦନ କର, ସୋନାଲୀ ଓ ପ୍ରେମାନନ୍ଦ ପରିଡ଼ା ପ୍ରମୁଖ ଅଭିନୟ କରିଥିଲେ। ଫିଲ୍ମରେ ଖୁବ୍ ପ୍ରଭାବଶାଳୀ ଅଭିନୟ କରିଥିଲେ ତମନ୍ନା।

‘ଏକ୍ସକ୍ୟୁଜ୍ ମି କଣ କଲା ସେ’ରେ ତମନ୍ନାଙ୍କ କୋ-ଷ୍ଟାର ଥିଲେ ନବାଗତ ବାଳକୃଷ୍ଣ। ଏହି ଫିଲ୍ମରେ ‘ଚାଲ୍ କରିବା ଠିଆ ପାଲା’ ଗୀତଟି ବେଶ୍ ହିଟ୍ ହୋଇଥିଲା। ଏହା ମଧ୍ୟ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲା।

ଏହାସହ ତମନ୍ନା ପ୍ରେମ କୁମାର, ବ୍ଲାକ୍‌ମେଲ ଏବଂ ଗୋଲମାଲ ଲଭ୍ ଆଦି ସିନେମାରେ ନାୟିକା ବନି ସାରିଲେଣି।

“ବ୍ଲାକ୍‌ମେଲ୍‌’ରେ ତାଙ୍କୁ ଏକ ଶକ୍ତିଶାଳୀ ଚରିତ୍ର ମିଳିଥିଲା ବୋଲି କହନ୍ତି ତମନ୍ନା। ଏହା ଏକ ସସପେନ୍ସ ରୋମାଣ୍ଟିକ୍ ଡ୍ରାମା।

ତମନ୍ନାଙ୍କର ଅନ୍ୟ ଏକ ଅପକମିଂ ଫିଲ୍ମ ହେଲା ‘ଲୁଚେଇ ଦେ ମତେ ଛାତି ଭିତରେ’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଲରାଉଣ୍ଡର ସଞ୍ଜୟ ନାୟକ। ଏହି ଫିଲ୍ମରେ ତମନ୍ନାଙ୍କୁ ନାୟକ ସମ୍ଭବ, ଚନ୍ଦନ ଓ ବିରଞ୍ଚିଙ୍କ ସହିତ ଦେଖିବାକୁ ପାଇବେ ସିନେ ପ୍ରେମୀ। ଏହି ସିନେମାରେ ବି ତାଙ୍କର ବଳିଷ୍ଠ ଅଭିନୟ ଦେଖିବାକୁ ମିଳିବ ବୋଲି କହନ୍ତି ତମନ୍ନା।

ତମନ୍ନା ଯେ କେବଳ ଓଡ଼ିଆ ସିନେମାରେ ନିଜକୁ ସୀମିତ ରଖିଛନ୍ତି ତାହା ନୁହେଁ ବରଂ ସେ ଏକ ତେଲୁଗୁ ସିନେମା ବି ସାଇନ୍ କରିଛନ୍ତି। ଏହାର ଟାଇଟଲ୍ ରହିଛି ‘ଶତ୍ରୁ’।

ତମନ୍ନାଙ୍କ ହାତରେ ଅନ୍ୟାନ୍ୟ ଅଫର୍ ବି ରହିଛି। ହେଲେ ସେ ସଫଳତା ଶିଡ଼ି ଧୀରେ ଧୀରେ ଚଢ଼ିବାରେ ବିଶ୍ଵାସ କରନ୍ତି।

ଏହି ନାୟିକା ଜଣକ ମାରୱାଡି ପରିବାରର କନ୍ୟା।

Comment