ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାପୋଷ୍ଟ ମେଟଲ୍ ମିଟ୍ ଚତୁର୍ଥ ସଂସ୍କରଣର ଆଜି ହେଉଛି ଗ୍ରାଣ୍ଡଫିନାଲେ। ଅପରାହ୍ଣ ୨ଟାରୁ ଜୁନିଅର ବର୍ଗର ୮ଟି ଟିମ୍ ମଧ୍ୟରେ ଶ୍ରେଷ୍ଠ ତିନିଟି ସ୍ଥାନ ପାଇଁ ହେବ ଦମଦାର ଲଢ଼େଇ। ସେହିପରି ସନ୍ଧ୍ୟା ୬ଟାରୁ ସିନିଅର ବର୍ଗର ୮ଟି ଟିମ୍ ମଧ୍ୟରେ ପ୍ରତିଯୋଗିତା ହେବ। ଏଥିପାଇଁ ପ୍ରତିଯୋଗୀ ଏବଂ କୁଇଜ୍ ମାଷ୍ଟର ସମସ୍ତେ ପ୍ରସ୍ତୁତ ହୋଇ ରହିଛନ୍ତି।
ଜୁନିଅର ବର୍ଗର ୮ ଟିମ୍
ଶନିବାର ହୋଇଥିବା ପ୍ରିଲିମ୍ସ ରାଉଣ୍ଡରେ ୪୩ଟି ଟିମ୍ ମଧ୍ୟରୁ ୮ଟି ଟିମ୍ ଫାଇନାଲରେ ପ୍ରବେଶ କରିଥିଲେ। ଭୁବନେଶ୍ୱରର ସାଇ ଇଣ୍ଟରନାସନାଲ ସ୍କୁଲ, ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ ସ୍କୁଲ, ଓଡିଏମ୍ ପବ୍ଲିକ ସ୍କୁଲ, ଡିଏଭି ପୋଖରୀପୁଟ, ଡିଏଭି ପବ୍ଲିକ ସିଡିଏ, ଡିଏଭି ୟୁନିଟ୍-୮, ରାଉରକେଲାର ସେଣ୍ଟ ପଲ୍, ମଦର ପବ୍ଲିକ ସ୍କୁଲ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଏହି ୮ଟି ଟିମ ମଧ୍ୟରୁ ଶ୍ରେଷ୍ଠ ୩ଟି ଟିମ୍କୁ ବଛା ଯିବ।
ସିନିଅର ବର୍ଗର ୮ ଟିମ୍
ସେହିପରି ସିନିଅର ବର୍ଗରେ ୪୬ଟି ଟିମ୍ ସାମିଲ ହୋଇଥିଲେ। ଫାଇନାଲକୁ ଯିବା ପାଇଁ ଏମାନଙ୍କ ଭିତରେ କଡ଼ା ଫାଇଟ୍ ହୋଇଥିଲା। ଶେଷରେ ୮ଟି ଟିମ୍ ବାଜି ମାରିଥିଲେ। ଏକ୍ସଆଇଏମ୍ବି, ଏମ୍ସ ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର, ନିଟ୍ – ରାଉରକେଲା, ନାଇଜର – ଖୋର୍ଦ୍ଧା, କଟକ ଏସ୍ସିବି ମେଡିକାଲ, କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଆଇଜିଆଇଟି – ସାରଙ୍ଗ ଗ୍ରାଣ୍ଡଫିନାଲେରେ ଦେବେ କଡ଼ା ଟକ୍କର।
ଏହି ମୁକାବିଲାରେ ସିନିୟର ଦଳର ପ୍ରଥମ ତିନୋଟି ସ୍ଥାନ ପାଇଁ ବିଜେତାମାନଙ୍କୁ ବଛାଯିବ। ସେହିପରି ଜୁନିୟର ବର୍ଗରେ ମଧ୍ୟ ଶ୍ରେଷ୍ଠ ତିନୋଟି ଟିମ୍ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ମିଳିବ। ଏହି ବିଜୟୀ ଟିମ୍ଗୁଡ଼ିକୁ ସେହିଦିନ ସନ୍ଧ୍ୟାରେ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ।
ପ୍ରଥମ ସ୍ଥାନ ଅଧିକାର କରିଥିବା ଟିମ୍କୁ ଟ୍ରଫି ସହ ୧ ଲକ୍ଷ, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଟିମ୍କୁ ଟ୍ରଫି ସହ ୫୦ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଟିମ୍କୁ ଟ୍ରଫି ସହ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବ।
ମେଟଲ୍ ମିଟ୍ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି କୁଇଜ୍ ମାଷ୍ଟର ଅଜୟ ପୁନିଆ।
ଗ୍ରାଣ୍ଡଫିନାଲେର ଲାଇଭ୍ ଷ୍ଟ୍ରିମିଂ
ଗ୍ରାଣ୍ଡଫିନାଲେରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ କରାଯିବ। ଅପରାହ୍ଣ ୨ଟାରୁ ଜୁନିଅର ବର୍ଗ ଏବଂ ସନ୍ଧ୍ୟା ୬ଟାରୁ ସିନିଅର ବର୍ଗର ଚୂଡ଼ାନ୍ତ ପ୍ରତିଯୋଗିତା ପ୍ରସାରିତ ହେବ। ସେହିପରି ରାତି ୮ଟାରେ ହେବାକୁ ଥିବା ପୁରସ୍କାର ପ୍ରଦାନ ସମାରୋହର ମଧ୍ୟ ଲାଇଭ୍ ଷ୍ଟ୍ରିମିଂ କରାଯିବ।
ମେଟଲ ମିଟ୍ ଫେସ୍ବୁକ୍ ପେଜ୍ ଏବଂ ଓଡ଼ିଶାପୋଷ୍ଟର ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମିଂ କରାଯିବ।
ଚଳିତ ବର୍ଷ ମେଟଲ୍ ମିଟ୍ର ପାର୍ଟନରମାନଙ୍କ ମଧ୍ୟରେ ରହିଛନ୍ତି ଟିମ୍ ଏବଂ ଏକ୍ସପୋଜ୍ ଆଡଭର୍ଟାଇଜିଂ। ସେହିପରି ରାଜ୍ୟର ଆଗଧାଡ଼ିର ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ ଏହି କାର୍ଯ୍ୟକ୍ରମର ଡିଜିଟାଲ୍ ମିଡିଆ ପାର୍ଟନର୍ ରହିଛି।


















