ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଫଟୋ: ଶୁଭ୍ରାଂଶୁ ଶେଖର ମହାପାତ୍ର, ଓଡ଼ିଶାଲାଇଭ୍‌)

  • ଓଡ଼ିଶାପୋଷ୍ଟ ମେଟଲ୍‌ ମିଟ୍ ଚତୁର୍ଥ ସଂସ୍କରଣ
  • ପ୍ରିଲିମ୍ସ ରାଉଣ୍ଡରେ ଭାଗନେଲେ ୮୯ଟି ଟିମ୍
  • ଫାଇନାଲକୁ ଗଲେ ଜୁନିୟର୍ ବିଭାଗରୁ ୮ ଏବଂ ସିନିୟର ବିଭାଗରୁ ୮ଟି ଟିମ୍
  • ରବିବାର ଗ୍ରାଣ୍ଡଫିନାଲେରେ ହେବ ଦମ୍‌ଦାର ଲଢ଼େଇ
  • ଅପରାହ୍‌ଣ ୨ଟାରୁ ଜୁନିଅର ବର୍ଗ ଏବଂ ସନ୍ଧ୍ୟା ୬ଟାରୁ ସିନିଅର ବର୍ଗ ଭିତରେ ଲଢ଼େଇ
  • ଗ୍ରାଣ୍ଡଫିନାଲେର ଲାଇଭ୍‌ ଷ୍ଟ୍ରିମିଂ

ଓଡ଼ିଶାପୋଷ୍ଟ ମେଟଲ୍‌ ମିଟ୍‌ ଚତୁର୍ଥ ସଂସ୍କରଣର ପ୍ରିଲିମ୍ସ ରାଉଣ୍ଡ ଶେଷ ହୋଇଛି। ଏହି ରାଉଣ୍ଡରେ ଉଭୟ ଜୁନିଅର ଏବଂ ସିନିଅର ବର୍ଗରୁ ୮ଟି ଲେଖାଏଁ ଟିମ୍‌ ଫାଇନାଲକୁ ଯାଇଛନ୍ତି। ରବିବାର ହେବ ଗ୍ରାଣ୍ଡଫିନାଲେ।

ସିନିୟର ଏବଂ ଜୁନିୟର ବିଭାଗରେ ଶ୍ରେଷ୍ଠ ୩ଟି ସ୍ଥାନ ପାଇବା ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢ଼େଇ। ପ୍ରିଲିମ୍ସ ରାଉଣ୍ଡର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ଜୁନିୟର ବିଭାଗକୁ ନେଇ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ସିନିୟର ବିଭାଗକୁ ନେଇ ହୋଇଥିଲା।

ଚଳିତ ବର୍ଷ ସିନିଅର ବର୍ଗରେ ୪୬ଟି ଟିମ୍‌ ଭାଗ ନେଇଥିବା ବେଳେ ଜୁନିଅର ବର୍ଗରେ ୪୩ଟି ଟିମ୍‌ ଲଢ଼େଇରେ ସାମିଲ ହୋଇଥିଲେ।

ଜୁନିଅର ବର୍ଗର ୮ ଟିମ୍‌

ଶନିବାର ଦିନ ପୂର୍ବାହ୍‌ଣରେ ଜୁନିଅର ବର୍ଗରେ ୪୩ଟି ଟିମ୍‌ ଭିତରେ ଲଢ଼େଇ ହୋଇଥିଲା। ସେମାନଙ୍କ ମଧ୍ୟରୁ ୮ଟି ଟିମ୍‌ ଫାଇନାଲକୁ ଯାଇଛନ୍ତି। ଭୁବନେଶ୍ୱରର ସାଇ ଇଣ୍ଟରନାସନାଲ ସ୍କୁଲ, ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ ସ୍କୁଲ, ଓଡିଏମ୍‌ ପବ୍ଲିକ ସ୍କୁଲ, ଡିଏଭି ପୋଖରୀପୁଟ, ଡିଏଭି ପବ୍ଲିକ ସିଡିଏ, ଡିଏଭି ୟୁନିଟ୍‌-୮, ରାଉରକେଲାର ସେଣ୍ଟ ପଲ୍‌, ମଦର ପବ୍ଲିକ ସ୍କୁଲ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ୮ଟି ଟିମ ମଧ୍ୟରୁ ଶ୍ରେଷ୍ଠ ୩ଟି ଟିମ୍‌କୁ ବଛା ଯିବ।

ସିନିଅର ବର୍ଗର ୮ ଟିମ୍‌

ସିନିଅର ବର୍ଗରେ ୪୬ଟି ଟିମ୍‌ ସାମିଲ ହୋଇଥିଲେ। ଫାଇନାଲକୁ ଯିବା ପାଇଁ ଏମାନଙ୍କ ଭିତରେ କଡ଼ା ଫାଇଟ୍‌ ହୋଇଥିଲା। ଶେଷରେ ୮ଟି ଟିମ୍‌ ବାଜି ମାରିଥିଲେ। ଏକ୍‌ସଆଇଏମ୍‌ବି, ଏମ୍‌ସ ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର, ନିଟ୍‌ – ରାଉରକେଲା, ନାଇଜର – ଖୋର୍ଦ୍ଧା, କଟକ ଏସ୍‌ସିବି ମେଡିକାଲ, କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଆଇଜିଆଇଟି – ସାରଙ୍ଗ ଫାଇନାଲକୁ ଯାଇଛନ୍ତି।

ସିନିଅର ବର୍ଗରେ ଭୁବନେଶ୍ୱର ଏମ୍‌ସ ୩୫.୫ ପଏଣ୍ଟ ପାଇଥିବା ବେଳେ ନିଟ୍‌ ରାଉରକେଲା ୩୨, ଆଇଆଇଟି ଭୁବନେଶ୍ୱର ୩୧.୫, ନାଇଜର ୨୬ ଏବଂ ଏକ୍‌ସଆଇଏମ୍‌ବି ୨୩.୫ ପଏଣ୍ଟ ପାଇଥିଲା।

ରବିବାର ଗ୍ରାଣ୍ଡଫିନାଲେ, ହେବ କଡ଼ା ଫାଇଟ୍‌

ରବିବାର ଉଭୟ ଜୁନିଅର ଏବଂ ସିନିଅର ବିଭାଗର ଗ୍ରାଣ୍ଡଫିନାଲେ ଅନୁଷ୍ଠିତ ହେବ। ପ୍ରତିଯୋଗୀଙ୍କ ମଧ୍ୟରେ ଦମ୍‌ଦାର ଲଢ଼େଇ ହେବ। ଅପରାହ୍‌ଣ ୨ଟାରୁ ଜୁନିଅର ବିଭାଗର ପ୍ରତିଯୋଗିତା ହେବାକୁ ଥିବା ବେଳେ ସନ୍ଧ୍ୟା ୬ଟାରେ ସିନିୟର ବିଭାଗର ପ୍ରତିଯୋଗିତା ହେବ।

ଏହି ମୁକାବିଲାରେ ସିନିୟର ଦଳର ପ୍ରଥମ ତିନୋଟି ସ୍ଥାନ ପାଇଁ ବିଜେତାମାନଙ୍କୁ ବଛାଯିବ। ସେହିପରି ଜୁନିୟର ବର୍ଗରେ ମଧ୍ୟ ଶ୍ରେଷ୍ଠ ତିନୋଟି ଟିମ୍‌ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ମିଳିବ। ଏହି ବିଜୟୀ ଟିମ୍‌ଗୁଡ଼ିକୁ ସେହିଦିନ ସନ୍ଧ୍ୟାରେ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ।

ପ୍ରଥମ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ସହ ୧ ଲକ୍ଷ, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ସହ ୫୦ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ସହ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବ।

ମେଟଲ୍‌ ମିଟ୍‌ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି କୁଇଜ୍‌ ମାଷ୍ଟର ଅଜୟ ପୁନିଆ।

‘‘ପ୍ରଥମ ଥର ପାଇଁ ଓଡ଼ିଶାର କୌଣସି କୁଇଜ୍ ପ୍ରତିଯୋଗିତା ପରିଚାଳନା କରୁଛି। ଯେଉଁ ପ୍ରତିଯୋଗୀମାନେ ପ୍ରିଲିମ୍ସ ରାଉଣ୍ଡରେ ଭାଗ ନେଇଥିଲେ ସେମାନଙ୍କ ପାଖରେ ଭରପୂର ଟାଲେଣ୍ଟ ରହିଛି। ସେମାନଙ୍କ ପାଇଁ ମୁଁ କଠିନ ପ୍ରଶ୍ନ ତିଆରି କରିଥିଲି। ହେଲେ ସେମାନେ ସବୁ ପ୍ରଶ୍ନର ଉତ୍ତର ଦେଇ ପାରିଥିବାରୁ ମତେ ଖୁସି ଲାଗୁଛି’’, କହିଛନ୍ତି କୁଇଜ୍ ମାଷ୍ଟର ଅଜୟ ପୁନିଆ।

ଗ୍ରାଣ୍ଡଫିନାଲେର ଲାଇଭ୍‌ଷ୍ଟ୍ରିମିଂ

ସିନିଅର ବର୍ଗର ଶ୍ରେଷ୍ଠ ତିନି ଏବଂ ଜୁନିଅର ବର୍ଗର ଶ୍ରେଷ୍ଠ ତିନିଟି ସ୍ଥାନ ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ହେବ ଜୋରଦାର ଲଢ଼େଇ। ଏହି ଟପ୍‌ ଫାଇଟ୍ ପାଇଁ କୁଇଜ ମାଷ୍ଟର ଅଜୟ ପୁନିଆ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛନ୍ତି। ଗ୍ରାଣ୍ଡଫିନାଲେରେ କୁଇଜ୍ ମାଷ୍ଟରଙ୍କ ପ୍ରଶ୍ନକୁ ପ୍ରତିଯୋଗୀମାନେ କେମିତି ସାମ୍ନା କରୁଛନ୍ତି ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି।

ଗ୍ରାଣ୍ଡ ଫିନାଲେରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ କରାଯିବ। ଅପରାହ୍‌ଣ ୨ଟାରୁ ଜୁନିଅର ବର୍ଗ ଏବଂ ସନ୍ଧ୍ୟା ୬ଟାରୁ ସିନିଅର ବର୍ଗର ଚୂଡ଼ାନ୍ତ ପ୍ରତିଯୋଗିତା ପ୍ରସାରିତ ହେବ। ସେହିପରି ରାତି ୮ଟାରେ ହେବାକୁ ଥିବା ପୁରସ୍କାର ପ୍ରଦାନ ସମାରୋହର ମଧ୍ୟ ଲାଇଭ୍‌ ଷ୍ଟ୍ରିମିଂ କରାଯିବ।

ମେଟଲ ମିଟ୍‌ ଫେସ୍‌ବୁକ୍‌ ପେଜ୍‌ ଏବଂ ଓଡ଼ିଶାପୋଷ୍ଟର ୟୁଟ୍ୟୁବ୍‌ ଚ୍ୟାନେଲରେ ଲାଇଭ୍‌ ଷ୍ଟ୍ରିମିଂ କରାଯିବ।

ଟିମ୍‌କୁ ଶୁଭେଚ୍ଛା

ଉଭୟ ଜୁନିୟର ଏବଂ ସିନିୟର ବିଭାଗରୁ ଗ୍ରାଣ୍ଡଫିନାଲେକୁ ଯାଇଥିବା ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ।

ଗ୍ରାଣ୍ଡ ଫିନାଲେକୁ ଉତ୍ତୀର୍ଣ୍ଣ ହୋଇଥିବା ଉଭୟ ସିନିଅର ଏବଂ ଜୁନିଅର ବର୍ଗର ପ୍ରତିଯୋଗୀଙ୍କୁ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଚଳିତ ବର୍ଷ ମେଟଲ୍ ମିଟ୍‌ର ପାର୍ଟନରମାନଙ୍କ ମଧ୍ୟରେ ରହିଛନ୍ତି ଟିମ୍ ଏବଂ ଏକ୍ସପୋଜ୍ ଆଡଭର୍ଟାଇଜିଂ। ସେହିପରି ରାଜ୍ୟର ଆଗଧାଡ଼ିର ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ ଏହି କାର୍ଯ୍ୟକ୍ରମର ଡିଜିଟାଲ୍ ମିଡିଆ ପାର୍ଟନର୍ ରହିଛି।

ମେଟଲ୍ ମିଟ୍‌କୁ ନେଇ ଉତ୍ସାହ

ଓଡ଼ିଶାରେ କୁଇଜ୍‌ ପରମ୍ପରାକୁ ଉଜ୍ଜୀବୀତ କରି ରଖିବା ପାଇଁ ଓଡ଼ିଶାପୋଷ୍ଟ ପକ୍ଷରୁ ୨୦୧୬ରୁ ଆରମ୍ଭ ହୋଇଥିଲା ମେଟଲ ମିଟ୍। ପ୍ରଥମ ବର୍ଷ ୧୮ଟି ଟିମ୍‌ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରଥମ ବର୍ଷର ସଫଳତା ପରେ ୨୦୧୭ରେ ଆରମ୍ଭ ହୋଇଥିଲା ମେଟଲ ମିଟ୍‌ର ଦ୍ୱିତୀୟ ସଂସ୍କରଣ। ୨୦୧୮ରେ ତୃତୀୟ ସଂସ୍କରଣ ହେବା ପରେ ଏବେ ମେଟଲ୍‌ ମିଟ୍‌ର ଚତୁର୍ଥ ସଂସ୍କରଣ ଆୟୋଜନ କରାଯାଇଛି।

Comment