ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୂପୃଷ୍ଠରେ ଯଦି ସ୍ୱର୍ଗର କଥା କୁହାଯାଏ ତାହେଲେ ସର୍ବପ୍ରଥମେ ମନକୁ ଜମ୍ମୁ କଶ୍ମୀର ଆସେ। ଜମ୍ମୁ କଶ୍ମୀର ପ୍ରାକୃତିକ ସୌନ୍ଦର୍ଯ୍ୟର କୌଣସି ତୁଳନା ନାହଁ କହିଲେ ମଧ୍ୟ ଭୁଲ ହେବ ନାହଁ।

ଯେଉଁଠି ବରଫର ଚାଦରରେ ଉଚ୍ଚା ଉଚ୍ଚା ପାହାଡ଼ ସଜେଇ ହୋଇଥାଏ। ରାସ୍ତାର ଦୁଇ ପାର୍ଶ୍ୱରେ ଡେଙ୍ଗା ଡେଙ୍ଗା ଦେବଦାରୁ ଗଛ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସବୁଠାରୁ ଆକର୍ଷଣୀୟ ହୋଇଥାଏ କଶ୍ମୀରର ଚିନାର ଗଛ ଓ ତା’ର ପତ୍ର। ଜମ୍ମୁ କଶ୍ମୀରର ଶୋଭାବର୍ଦ୍ଧନ କରୁଥିବା ନଦୀ ଝରଣା ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଟାଣିଥାଏ। ବିଶ୍ୱର କୋଣ ଅନୁକୋଣରୁ ଲୋକ ଏଠାକୁ ଆସିଥାନ୍ତି। ବଲିଉଡର ଅନେକ ଫିଲ୍ମ ମଧ୍ୟ ଜମ୍ମୁ କଶ୍ମୀରରେ ସୁଟିଂ ହୋଇଛି।

ଆପଣ ଯଦି କଶ୍ମୀର ବୁଲିବାକୁ ଯିବେ ତେବେ ଆପଣ କଶ୍ମୀରୀ ପୋଷାକ, କଶ୍ମୀରୀ ଖାଦ୍ୟର ମଜା ନେଇ ପାରିବେ। ଏଥିସହ ଆପଣ ଡାଲ ହ୍ରଦରେ ବୋଟିଂର ମଜା ମଧ୍ୟ ନେଇ ପାରିବେ। ଉଚ୍ଚ ପାହାଡ଼ ଉପରେ ଅବସ୍ଥିତ ଶଙ୍କରାଚାର୍ଯ୍ୟ ମନ୍ଦିର କଶ୍ମୀରର ଅନ୍ୟ ଏକ ପର୍ଯ୍ୟଟନସ୍ଥଳୀ।

ଗୋଟିଏ ପଟେ ଜମ୍ମୁ କଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ସିନା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ଅନ୍ୟପଟେ ଆତଙ୍କବାଦୀ ଆକ୍ରମଣର ଭୟ ମଧ୍ୟ ସେତିକି ଥାଏ। ଭୂସ୍ୱର୍ଗ କୁହାଯାଉଥିବା ଏହି ଜମ୍ମୁ କଶ୍ମୀର ଆତଙ୍କର ନର୍କରେ ପରିଣତ ହୋଇଛି। ଏହି ଭୟରେ ଇଚ୍ଛା ଥିଲେ ବି ଅନେକ ଜମ୍ମୁ କଶ୍ମୀର ଯିବାକୁ ଭୟ କରିଥାନ୍ତି। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରୁ ବଞ୍ଚିତ ହୋଇଥାନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ଏବେ ଏହି ସମସ୍ୟା ଦୂର ହେବ ବୋଲି ଅନୁମାନ କରାଯାଉଛି। ପର୍ଯ୍ୟଟକ ଏବେ ଜମ୍ମୁ କଶ୍ମୀରର ଅସଲ ମଜା ନେଇ ପାରିବେ ବୋଲି ଅନେକଙ୍କ ବିଶ୍ୱାସ। ଏହି ଐତିହାସିକ ନିଷ୍ପତ୍ତି ପରେ ଜମ୍ମୁ କଶ୍ମୀରରେ ଏବେ ଆତଙ୍କୀ ଆକ୍ରମଣ ମଧ୍ୟ କମିପାରେ। ଆଗାମୀ ଦଶନ୍ଧିରେ ଜମ୍ମୁ କଶ୍ମୀରର ଚିତ୍ର ଏହଭଳି ଫେରିବ ବୋଲି ଆକଳନ କରାଯାଇପାରେ। ଯଦି ଏହା ସତ ହୁଏ ତେବେ କଶ୍ମୀରବାସୀଙ୍କ ପାଇଁ ଏହା ବରଦାନ ହେବ।

Comment