ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : କେନ୍ଦୁଝର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ୍ ଆବେଦନ ପୁଣି ଖାରଜ ହୋଇଛି। ଏହାକୁ ମିଶାଇ ପଞ୍ଚମ ଥର ଲାଗି ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। ସୁପ୍ରିମ୍ କୋର୍ଟ ପୂର୍ବରୁ ତାଙ୍କ ଜାମିନ ଆବେଦନ ଦୁଇ ଥର ଖାରଜ କରିଥିଲେ।

ହାଇକୋର୍ଟ ଦୀପକ ଗୁପ୍ତାଙ୍କ ଜାମିନ ଖାରଜ କରିଥିଲେ ମଧ୍ୟ ନିମ୍ନ ଆଦାଲତରେ ବିଳମ୍ବିତ ଶୁଣାଣିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ନିମ୍ନ ଅଦାଲତରେ ଆବେଦନନକାରୀଙ୍କ ବିରୋଧରେ ଚାଲିଥିବା ମାମଲାର ତ୍ୱରିତ ଶୁଣାଣି କରିବାକୁ ଅଦାଲତ ଆଦେଶ ଦେଇଥିଲେ। ଯଦି ଏହି ଶୁଣାଣି ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ନହୁଏ ତାହେଲେ ଆବେଦନକାରୀ ଚାହିଁଲେ ନିମ୍ନ ଅଦାଲତରେ ଅନ୍ତରୀଣ ଜାମିନ୍ ପାଇଁ ଆବେଦନନ କରିପାରିବେ ବୋଲି ମାମଲାର ରାୟ ପ୍ରକାଶ କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ ଗତମାସ ୨୬ ତାରିଖରେ ଦୀପକ ଗୁପ୍ତାଙ୍କ ବିରୋଧରେ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଏହି ମାମଲାରେ ୫୫ପୃଷ୍ଠା ସମ୍ବଳିତ ରାୟ ପ୍ରକାଶ କରି ଜାମିନ ଆବେଦନ ଖାରଜ କରିଥିଲେ।

ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ ଯେ, ନିମ୍ନ ଅଦାଲତରେ ମାମଲାର ଶୁଣାଣି ଧିମା ଗତିରେ ଚାଲିଛି। ଚାର୍ଜସିଟରେ ୧୭୮ ଜଣ ସାକ୍ଷୀଙ୍କ ନାମ ଥିଲାବେଳେ ସରକାର ପ୍ରାୟ ୧୪୭ ଜଣଙ୍କର ସାକ୍ଷ୍ୟଗ୍ରହଣ କରାଯିବ ବୋଲି କହୁଛନ୍ତି। କିନ୍ତୁ ଗତ ଦୁଇ ବର୍ଷରେ ମାତ୍ର ୧୬ଜଣଙ୍କର ସାକ୍ଷ୍ୟ ଗ୍ରହଣ ହୋଇଛି। ଅର୍ଥାତ ବର୍ଷକୁ ମାତ୍ର ୮ଜଣ ସାକ୍ଷୀଙ୍କର ସାକ୍ଷ୍ୟଗ୍ରହଣ କରାଯାଉଛି। ଯଦି ଏହିଭଳି ମାମଲାର ବିଚାର ଚାଲେ ତାହେଲେ ଏହି ମାମଲାର ରାୟ ପ୍ରକାଶ ପାଇବାକୁ ଆହୁରି କେତେ ବର୍ଷ ସମୟ ଲାଗିବ ବୋଲି କୋର୍ଟ ପାଲଟା ପ୍ରଶ୍ନ କରିଥିଲେ।

ପ୍ରାୟ ଦେଢ଼ ହଜାର କୋଟି ଟଙ୍କାର ଉଲିବୁରୁ ଖଣି ଦୁର୍ନୀତି ନେଇ ଦୀପକ ଗୁପ୍ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଭିଜିଲାନ୍ସ ଦୀପକ ଗପ୍ତାଙ୍କ ସହ ତାଙ୍କ ପରିବାର ଲୋକଙ୍କ ନାମରେ ମାମଲା ରୁଜୁ କରିଥିଲା। ଏଥିରେ ଦୀପକ ଗୁପ୍ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

ଭିଜିଲାନ୍ସ ପକ୍ଷରୁ ଏହି ମାମଲା ପରିଚାଳନା ଲାଗି ସ୍ୱତନ୍ତ୍ର ଭାବେ ବରିଷ୍ଠ ଆଇନଜୀବୀ ଏନ୍.ସି. ପାଣିଗ୍ରାହୀଙ୍କୁ ନିଯୁକ୍ତ କରାଯାଇଥିଲା ବେଳେ ଆଇନଜୀବୀ ସାଗର ରଞ୍ଜନ ପାଣିଗ୍ରାହୀ, ଏନ୍.କେ. ତ୍ରିପାଠୀ ଏବଂ ଦୀପ୍ତି ଧଳ ତାଙ୍କୁ ଏଥିରେ ସହାୟତା କରୁଥିଲେ।

Comment