ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରର ବିକାଶ ପାଇଁ ମୋଦି ଆପଣାଇଲେ ଥ୍ରୀ-ଡି ଫର୍ମୁଲା।

କେନ୍ଦ୍ର ସରକାର ଜମ୍ମୁ କଶ୍ମୀର ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ଜମ୍ମୁ କଶ୍ମୀର ଏବେ ଏକ ସ୍ୱତନ୍ତ୍ର ରାଜ୍ୟ ନୁହେଁ ବରଂ ଏକ କେନ୍ଦ୍ରଶାସିତ ଅଞ୍ଚଳ। ୭୦ ବର୍ଷ ହେଲା ଯେଉଁ ଧାରା ୩୭୦ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିଲା ତାହାକୁ ଏବେ ଉଚ୍ଛେଦ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଘାଟିରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ମୋଦି ସରକାରଙ୍କ ଏହି ନିଷ୍ପତ୍ତିରେ ୩ ଡି ଫର୍ମୁଲା କାମ କରିଛି ବୋଲି ଏବେ ଚର୍ଚ୍ଚା ହେଉଛି।

ଗତକାଲି ମୋଦି ଧାରା ୩୭୦କୁ ନେଇ ଦେଇଥିବା ଉଦବୋଧନରେ ଏହି ନିଷ୍ପତ୍ତି ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ। ତାଙ୍କ ଉଦବୋଧନରେ ସେ ୨ଡି କଥା କହିଥିଲେ। ଏହି ୨ ଡି ହେଲା ଡେମୋକ୍ରାସି ଏବଂ ଡେଭ୍‌ଲୋପମେଣ୍ଟ। ହେଲେ ଏଥିରେ ଆଉ ଏକ ଡି ମଧ୍ୟ ସାମିଲ ହୋଇଛି। ଏହି ଡି ହେଲେ ଅଜିତ ଡୋଭାଲ। ମୋଦିଙ୍କ ମିଶନ କଶ୍ମୀରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ପ୍ରଥମ ଡି – ଡେମୋକ୍ରେସି

୪୦ ମିନିଟର ଅଭିଭାଷଣରେ ମୋଦିଙ୍କ ଫୋକସରେ ଥିଲା ଗଣତନ୍ତ୍ର।  ଜମ୍ମୁ କଶ୍ମୀର ଏବେ କେନ୍ଦ୍ରଶାସିତ ଅଞ୍ଚଳରେ  ପରିଣତ ହୋଇଛି। ଏହି ନିଷ୍ପତ୍ତିରେ ବିଭିନ୍ନ ରାଜନୈତିକ ଦଳ ପ୍ରଶ୍ନ ଉଠାଇଛନ୍ତି। ହେଲେ ମୋଦି କଶ୍ମୀରବାସୀକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେମାନେ ସେମାନଙ୍କ ପ୍ରତିନିଧି ବାଛିବେ। କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିଲେ ମଧ୍ୟ ଜମ୍ମୁ କଶ୍ମୀରରେ ଜଣେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ, ବିଧାୟକ ରହିବେ।

ଦ୍ୱିତୀୟ ଡି – ଡେଭ୍‌ଲପମେଣ୍ଟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ଫୋକସ୍‌ ଥିଲା ବିକାଶ। ସେ ଅନେକ ଥା ତାଙ୍କ ଭାଷଣରେ ଜମ୍ମୁ କଶ୍ମୀରର ବିକାଶ କଥା କହିଥିଲେ। ଧାରା ୩୭୦ ପାଇଁ ସେଠାରେ କେନ୍ଦ୍ରୀୟ ଯୋଜନା ପହଞ୍ଚି ପାରୁନଥିଲା। ହେଲେ ଏବେ ସେଠାରେ କେନ୍ଦ୍ର ସରକାରଙ୍କ ଶାସନ ରହିବ। ଫଳରେ ଜମ୍ମୁ କଶ୍ମୀରକୁ ବିକାଶର ନୂଆ ଦିଗ ମିଳିବ।

ତୃତୀୟ ଡି – ଡୋଭାଲ

 ଜମ୍ମୁ କଶ୍ମୀରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ସେଠାକାର ସ୍ଥିତି। ଏହି ନିଷ୍ପତ୍ତି ପରେ ଘାଟିରେ ଯେମିତି କୌଣସି ପ୍ରକାର ବିରୋଧ, ଦଙ୍ଗା ନହୁଏ, ଆତଙ୍କବାଦୀ ଆକ୍ରମଣ ନହୁଏ ସେଥିପ୍ରତି ସରକାର ବିଶେଷ ଧ୍ୟାନ ଦେଇଛନ୍ତି। ନିଜେ ଜାତୀୟ ସୁରକ୍ଷା ପରାମର୍ଶଦାତା ସେଠାକାର ସ୍ଥିତି ସମୀକ୍ଷା କରୁଛନ୍ତି। ୩ ଦିନ ହେଲା କଶ୍ମୀରରେ ରହିଛନ୍ତି ଡୋଭାଲ। ପୂରା କାଶ୍ମୀର ମିଶନରେ ଡୋଭାଲଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି।

Comment