ଓଡ଼ିଶାଲାଇଭ ବ୍ୟୁରୋ

କଶ୍ମୀର ମାମଲାକୁ ପାକିସ୍ତାନ ଅନ୍ତର୍ଜାତିୟ କ୍ଷେତ୍ରରେ ଅଭିଯୋଗ କରିବ ବୋଲି ଭାରତକୁ ଧମକ ଦେଉଥିବା ବେଳେ ତା’ର ସବୁ ଆଶା ମଉଳି ଯାଇଛି। ବିଶ୍ଵର ବଡ଼ ବଡ଼ ଦେଶ ପାକିସ୍ତାନକୁ ସମର୍ଥନ କରିବାକୁ ପଛଘୁଞ୍ଚା ଦେଇଛନ୍ତି। ଚୀନରୁ କୌଣସି ସମର୍ଥନ ମିଳୁ ନଥିବା ବେଳେ ଆମେରିକା ଓ ୟୁଏନରୁ ଗତକାଲି ପାକିସ୍ତାନକୁ ଝଟକା ଲାଗିଛି। ସେହିପରି ଆଜି ଋଷ ୩୭୦ ଉଚ୍ଛେଦରେ ଭାରତକୁ ସମର୍ଥନ କରିଛି।

ଋଷର ବୈଦେଶିକ ମନ୍ତ୍ରାଳୟ କହିଛି, “ଭାରତ ଜମ୍ମୁ କଶ୍ମୀର ଓ ଲଦାଖକୁ ଦୁଇ ଭାଗ କରି କେନ୍ଦ୍ରଶାସିତ ଅଞ୍ଚଳ କରିବା ଏକ ସାମ୍ଵିଧାନିକ ନିଷ୍ପତ୍ତି। ଆମର ଭରସା ଅଛି ଯେ କଶ୍ମୀର ଉପରେ ଭାରତ ସରକାର ନେଇଥିବା ପଦକ୍ଷେପରେ କୌଣସି ବିବାଦ ସୃଷ୍ଟି ହେବ ନାହିଁ।“

ଋଷର ବୈଦେଶିକ ମନ୍ତ୍ରାଳୟ ଆହୁରି ମଧ୍ୟ କହିଛନ୍ତି, “ଏହି ନିଷ୍ପତ୍ତି ପରେ ଭାରତ-ପାକିସ୍ତାନ ସଂପର୍କକୁ ଦ୍ଵିପାକ୍ଷିକ ରାଜନୈତିକ ଆଲୋଚନାରେ ସମାଧାନ କରାଯିବ। ଜମ୍ମୁ କଶ୍ମୀରରେ ହୋଇଥିବା ପରିବର୍ତ୍ତନକୁ ନେଇ ଭାରତ-ପାକିସ୍ତାନ କୌଣସି ପ୍ରକାର ତିକ୍ତତା ନ ସୃଷ୍ଟି କରନ୍ତୁ।”

କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନର ଚିନ୍ତା ବଢ଼ିଯାଇଛି। ଏଥିରେ ବିଚଳିତ ହୋଇ ପାକିସ୍ତାନ ଅନ୍ତର୍ଜାତିୟ ସମୁଦାୟରେ ଅଭିଯୋଗ ମଧ୍ୟ କରିଛି। ହେଲେ କୌଣସି ସୁଫଳ ମିଳି ପାରିନାହିଁ। ୟୁଏନ ମଧ୍ୟ ଗତକାଲି ଏହି ମାମଲାରେ ମଧ୍ୟସ୍ଥତା କରିବାକୁ ମନା କରିଦେଇଛି।

Comment