ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଧାରା ୩୭୦ ଉଚ୍ଛେଦ କାଶ୍ମୀରବାସୀଙ୍କ ଭଲ ପାଇଁ ହିଁ ହୋଇଛି। ଧାରା ୩୭୦ଥିବା ବେଳେ ଭାରତର ସଂସଦରେ ପାସ୍‌ ହେଉଥିବା ବିଲ୍‌ ଜମ୍ମୁ କଶ୍ମୀରରେ ଲାଗୁ ହୋଇପାରୁନଥିଲା। ଜଣେ ନାଗରିକର ମୌଳିକ ଅଧିକାର ମଧ୍ୟ କଶ୍ମୀରବାସୀଙ୍କୁ ମିଳିପାରୁନଥିଲା। ବର୍ତ୍ତମାନ କଶ୍ମୀର ବିକାଶଆଡ଼କୁ ଗତି କରିବ” କହିଛନ୍ତି ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର।

ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ କଶ୍ମୀର ଉପରୁ ଧାରା ୩୭୦ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଇଥିଲେ। ସଂସଦରେ ଏହି ବିଲ୍‌ ପାସ ହେବା ସହ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନ୍‌ରେ ପରିଣତ ହୋଇଛି। ଏଥିସହିତ ରାଜ୍ୟ ପୁର୍ନଗଠନ ବିଲ୍‌ ଅନୁଯାୟୀ, ଜମ୍ମୁ କଶ୍ମୀର ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇ ଲଦାଖ ଓ ଜମ୍ମୁ କଶ୍ମୀର ନାମରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରାଯାଇଛି।

ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେଇ ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି।

ମେଜର ଜେନେରାଲ ବସନ୍ତ ମହାପାତ୍ର କହିଛନ୍ତି ଯେ, ଧାରା ୩୭୦ ଦ୍ୱାରା କଶ୍ମୀର ଭାରତରେ ଥାଇ ମଧ୍ୟ ଅଲଗା ଥିଲା। କଶ୍ମୀରବାସୀ ଭାରତ ସମ୍ବିଧାନ ଅନୁଯାୟୀ ମୌଳିକ ସୁବିଧା ପାଇପାରୁନଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସୁବିଧାରୁ ବଞ୍ଚିତ ହେଉଥିଲେ। ଧାରା ୩୭୦ ଉଚ୍ଛେଦ କାଶ୍ମୀରବାସୀଙ୍କ ଭଲ ପାଇଁ ହିଁ ହୋଇଛି।”

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧିଙ୍କ ସମୟରେ ସାରା ଭାରତରେ ପଞ୍ଚାୟତରାଜ ଆକ୍ଟ ଆରମ୍ଭ ହୋଇଥିଲା। ଆମ ଦେଶରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା। ହେଲେ କଶ୍ମୀରରେ ଏହା ଆଜି ପର୍ଯ୍ୟନ୍ତ ଲାଗୁ ହୋଇପାରିନାହିଁ ବୋଲି ସେ କହିଛନ୍ତି।

କଶ୍ମୀର ପିଲାମାନଙ୍କ ଉନ୍ନତମାନର ଶିକ୍ଷା ପାଇଁ ସ୍କୁଲ କଲେଜ ନାହିଁ। ସ୍ୱାସ୍ଥ୍ୟସୁବିଧା ପାଇଁ ଭଲ ମେଡିକାଲ ନାହିଁ। ବର୍ତ୍ତମାନ ଧାରା ୩୭୦ ହଟାଇ ଦିଆଯିବା ପରେ କେନ୍ଦ୍ରର ସମସ୍ତ ଆଇନ୍‌ କାନୁନ କଶ୍ମରୀ ଉପରେ ଲାଗୁ ହୋଇପାରିବ। କଶ୍ମରୀବାସୀ ବର୍ତ୍ତମାନ ଭାରତର ଅନ୍ୟ ରାଜ୍ୟବାସୀଙ୍କ ଭଳି ସମସ୍ତ ସୁବିଧା ସୁଯୋଗ ପାଇପାରିବେ।

“କଶ୍ମରୀ ସରକାରଙ୍କୁ ମିଳୁଥିବା ଆୟର ବଡ଼ ସ୍ରୋତ ହେଉଛି ଟ୍ୟୁରିଜମ ବା ପର୍ଯ୍ୟଟନ। ତେବେ କଶ୍ମୀରରେ ପର୍ଯ୍ୟଟକଙ୍କ ପାଇଁ ସେତେଟା ସୁବିଧା ନାହିଁ। ରହିବା ପାଇଁ ଉନ୍ନତ ଧରଣର ହୋଟେଲ ନାହିଁ। ସେହିପରି ଧାରା ୩୭୦ ଫଳରେ କଶ୍ମୀରରେ ଅନ୍ୟ ରାଜ୍ୟର ଲୋକେ ଜମି କିଣି ପାରିବ ନାହିଁ। ବର୍ତ୍ତମାନ ଏହା ହଟିବା ପରେ କଶ୍ମୀରରେ ହୋଟେଲ ଶିଳ୍ପ ଗଢ଼ିଉଠିବାରେ କୌଣସି ସନ୍ଦେହ ନାହିଁ। ଯାହା ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହିତ ଘାଟିର ଉନ୍ନତି ହେବ” କହିଛନ୍ତି ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର।

ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ଅନେକ ଖୁସି ନାହାନ୍ତି। ଲଦାଖ ଏବଂ ଜମ୍ମୁର ଲୋକମାନେ ୩୭୦ ଧାରା ହଟିବାରେ ଖୁସି ଥିବା ବେଳେ କଶ୍ମୀର ଉପତ୍ୟକାରେ ଥିବା କିଛି ଅଳ୍ପସଂଖ୍ୟକ ଲୋକେ ଏହାକୁ ବିରୋଧ କରୁଛନ୍ତି। ତେବେ ସେମାନେ କାହିଁକି ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମେଜର ଜେନେରାଲ ବସନ୍ତ କୁମାର।

LEAVE A REPLY

Please enter your comment!
Please enter your name here