ଓଡ଼ିଶାଲାଇଭ୍‌ ବ୍ୟୁରୋ

୩୭୦ ଉଚ୍ଛେଦ ପରେ ସମୁଦ୍ରତଟ ଦେଇ ଆତଙ୍କବାଦୀ ଆକ୍ରମଣ ଆଶଙ୍କା। ଓଡ଼ିଶାର ୭ ସମୁଦ୍ରକୂଳ ଜିଲ୍ଲାକୁ ସତର୍କ ସୂଚନା ଜାରି।

ଜମ୍ମୁ କଶ୍ମୀର ଉପରୁ ଧାରା ୩୭୦ ହଟାଇ ଦିଆଯିବା ପରେ ବର୍ତ୍ତମାନ ଭାରତ ଉପରେ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରିଛି ଗୁଇନ୍ଦା ବିଭାଗ। ବିଶେଷ କରି ସମୁଦ୍ର ତଟ ଦେଇ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ଦେଶର ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟକୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ଆକ୍ରମଣ ନେଇ ଓଡ଼ିଶାର ସମୁଦ୍ରକୁଳିଆ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

ଓଡ଼ିଶାର ସମୁଦ୍ର କୂଳବର୍ତ୍ତୀ ୭ଟି ଜିଲ୍ଲାର ଏସ୍‌ପିଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର କୂଳବର୍ତ୍ତୀ ୧୮ଟି ସାମୁଦ୍ରିକ ଥାନାକୁ ସଜାଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ମିଳେ ତେବେ ତୁରନ୍ତ ସୂଚନା ଦେବାକୁ ଧିବରମାନଙ୍କୁ ପରାମର୍ଶ ଦିଆଯାଇଛି। ଏନେଇ ରେଳ ଓ ମେରାଇନ୍‌ ବିଭାଗ ଏଡିଜେ ପ୍ରଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଜମ୍ମୁ କଶ୍ମୀର ଉପରୁ ଧାରା ୩୭୦ ହଟାଇ ଦିଆଯିବା ପରେ ବର୍ତ୍ତମାନ ପାକିସ୍ତାନ ବିଳିବିଳଉଛି। ଆଗାମୀ ଦିନରେ ଭାରତରେ ପୁଲୱାମା ହମ୍‌ଲା ଭଳି ଗଟଣା ଘଟିପାରେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ ଖାନ୍‌ କହିଥିଲେ। ଏସମସ୍ତକୁ ଦୃଷ୍ଟିରେ ରଖିଲେ. ଭାରତ ପ୍ରତି ପାକିସ୍ତାନ କିଛି ବି ଭୁଲ ପଦକ୍ଷେପ ନେଇ ପାରେ ବୋଲି ଆଶଙ୍କା କରାଯାଉଛି।

Comment