ଓଡ଼ିଶାଲାଇଭ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆନ୍ଧ୍ର-ଓଡିଶା ସୀମାନ୍ତ ରାୟଗଡ଼ା ଜିଲ୍ଲା କେରେଡା ପଞ୍ଚାୟତର ଅନିଜା ଗାଁ ଲୋକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ନାଗାବଳୀ ନଦୀ ପାର ହେବାକୁ ଗ୍ରାମବାସୀ ଏକ ମୋଟର ଚାଳିତ ଡଙ୍ଗାର ସହାଯ୍ୟ ନିଅନ୍ତି ଯାହାକୁ ଜିଲ୍ଲା ପ୍ରଶାସନ ଅସିଦ୍ଧ ଘୋଷଣା କରିଛନ୍ତି।

ତେବେ ସରକାରଙ୍କ ନିୟମାନୁଯାୟୀ ଚଳାଚଳ କରିବା ପାଇଁ ବୋଟ ରୁଲ ୨୦୦୪ ଅନୁଯାୟୀ ଡଙ୍ଗାଟି ପଞ୍ଜିକୃତ ହୋଇଥିବା ଦରକାର। ଡଙ୍ଗା ଚାଳକ ତାଲିମପ୍ରାପ୍ତ ହୋଇଥିବା ଦରକାର ଓ ଯାତାୟାତ କରୁଥିବା ସମସ୍ତ ଯାତ୍ରୀ ଲାଇଫ ଜାକେଟ ପିନ୍ଧିବା ଦରକାର। ତେବେ ଗ୍ରାମବାସୀମାନେ ଏହି ନିୟମ ଗୁଡ଼ିକୁ ଉଲଙ୍ଘନ କରୁଥିବା ଓ ଲୋକଙ୍କୁ ଅସୁରକ୍ଷିତ ଭାବେ ଯାତାୟାତ କରୁଥିବା ଦେଖି ବ୍ଳକ ପ୍ରଶାସନ ତରଫରୁ ଡଙ୍ଗା ଚଳାଚଳକୁ ବେଆଇନ କହି ବନ୍ଦ କରି ଦିଆଯାଇଛି।

”ନଦୀର ଉଭୟ ପାରିର ଡଙ୍ଗା ଘାଟ କରାଯିବ, ବ୍ୟବହାର କରାଯାଉଥିବା ଡଙ୍ଗାକୁ ସରକାରଙ୍କ ନିୟମାନୁସାରେ ପଞ୍ଜିକୃତ କରାଯିବ ଓ ମେସିନ୍ ଡଙ୍ଗା ଚାଳକଙ୍କୁ ଚିଲିକାଠାରେ ତାଲିମ୍ ପ୍ରଦାନ କରାଯିବା ପରେ ପୁଣି ଡଙ୍ଗା ଚଳାଚଳ ପାଇଁ ଅନୁମତି ଦିଆଯିବ”, ରାୟଗଡ ବ୍ଳକ ବିଡିଓ ରାଜେନ୍ଦ୍ର ମାଝି କହିଛନ୍ତି।

ନଦୀ ପାର ହେବାକୁ ଅସୁବିଧା ହେଉଥିବା ବେଳେ ପ୍ରଶାସନର ସହଯୋଗ କିମ୍ବା ନେତା, ମନ୍ତ୍ରୀଙ୍କ ଆଶ୍ୱାସନାକୁ ଅପେକ୍ଷା ନ କରି କିଛି ଦିନ ତଳେ ନିଜ ଭିତରେ ଚାନ୍ଦା କରି ଏକ ମଟର ଚାଳିତ ଡଙ୍ଗା କିଣିଥିଲେ ଗ୍ରାମବାସୀ। ଏହା ଯୋଗୁଁ ନଦୀ ଆରପଟରେ ପ୍ରାୟ ୪ ଖଣ୍ଡ ଗାଁ ଉପକୃତ ହୋଇଥିଲେ।

ଯାତାୟତରେ ଅସୁବିଧା ହେତୁ ଏଭଳି ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ। ଗତ ମାର୍ଚ୍ଚ ମାସରୁ ପୋଲ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଶେଷ ହେଲା ବେଳକୁ ଆହୁରି ଦୁଇ ବର୍ଷ ସମୟ ଲାଗିବ ବୋଲି ଗ୍ରାମ ଉନ୍ନୟନ ବିଭାଗର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ମଣ୍ଡଳ କହିଛନ୍ତି। ନଦୀ ପଥକୁ ଛାଡ଼ି ଦେଲେ ସଡ଼କ ପଥରେ ଆନ୍ଧ୍ର ଦେଇ ୨୦ କିଲୋମିଟର ଯିବାକୁ ପଡ଼ୁଛି।

ଅନ୍ୟପକ୍ଷରେ ଡଙ୍ଗା ବନ୍ଦ ହେବା ଫଳରେ ଗ୍ରାମରୁ ରୋଗୀଙ୍କୁ ଡାକ୍ତରଖାନା ନେବା, ଛୋଟ ପିଲା ସ୍କୁଲ ଯିବା ଓ ପ୍ରତିଦିନ ଲୋକମାନେ କାମକୁ ଯିବାକୁ ହଇରାଣ ହେଉଛନ୍ତି। ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Comment