ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାୟଗଡ଼ା ସୀମାନ୍ତରେ ସକ୍ରିୟ ବାଲି ମାଫିଆ
  • ରାତି ଅଧିଆ ଆନ୍ଧ୍ରକୁ ଚାଲିଛି ବେଲଗାମ ବାଲି ଚାଲାଣ
  • ବେଆଇନ ବାଲି ଚାଲାଣ ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ
  • ଅଭିଯୋଗକୁ ପ୍ରଶାସନର ଖଣ୍ଡନ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଓ ପଡୋଶୀ ଆନ୍ଧ୍ର ସୀମାନ୍ତରେ ସକ୍ରିୟ ହୋଇପଡିଛନ୍ତି ବାଲି ମାଫିଆ। ନାଗାବଳୀ ନଦୀ ପଠାରୁ ବେଆଇନ ଭାବେ ମେସିନ ଜରିଆରେ ହେଉଛି ବାଲି ଉତ୍ତୋଳନ। ରାତି ଅଧିଆ ନଦୀ ଭିତରୁ ଚାଲିଛି ବେଲଗାମ ବାଲି ଚାଲାଣ। ନଦୀ ତୁଠରୁ ଉଠୁଛୁ ସବୁଦିନ ଶତାଧିକ ଟ୍ରିପ ବାଲି। ଡମ୍ପିଂୟାର୍ଡରେ ଜମାହେଲା ପରେ ରାତାରାତି ଟ୍ରକ ଯୋଗେ ପଡୋଶୀ ଆନ୍ଧ୍ରକୁ ହେଉଛି ଚାଲାଣ। ତେବେ ଏ ନେଇ ରାଜସ୍ୱ ବିଭାଗ ନିକଟରେ ସବୁ ସୂଚନା ଥାଇ ମଧ୍ୟ ଜାଣିଶୁଣି ଅଖି ବୁଜିଦେଇଥିବା ଅଭିଯୋଗ ହେଉଛି।

ସେପଟେ ଭାରିଯାନ ଦ୍ୱାରା ରାଜ୍ୟ ବାହରକୁ ବାଲି ଚାଲାଣ ହେଉ ଥିବାବେଳେ ପରିବହନ ବିଭାଗର ବିନା ଅନୁମତିରେ ଆନ୍ଧ୍ର ରାଜ୍ୟ ପରମିଟ୍‍ ଥିବା ଗାଡିରେ ବୁହା ହେଉଛି ବାଲି। ଏଭଳି ବେଲଗାମ ଭାବେ ଦୀର୍ଘଦିନରୁ ନାଗାବଳୀ ନଦୀରୁ ବାଲି ଉଠାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମଧ୍ୟ ଚୁପ୍‌ ଥିବା ସ୍ଥାନୀୟ ଲୋକେ ଅଭିଯୋଗ ହେଉଛି।

ଖୋଦ୍‍ ଜିଲ୍ଲା ମୁଖ୍ୟାଳୟରୁ ମାତ୍ର କେଇ କିଲୋମିଟର ଦୂରତାରେ ଅବସ୍ଥିତ ପ୍ରତାପ ପୁର ଛକ ନିକଟ ବାଲିଘାଟ ଓ ଗୁରୁରାଜଗୁଡାଠାରେ ନାଗାବଳୀ ନଦୀତୁଠରେ ଆନ୍ଧ୍ର ବାଲି ଠିକାଦରଙ୍କ  ଚାଲିଛି ଏପରି ମାଫିଆରାଜ । ବିନା କୌଣସି ଅନୁମତିରେ ନଦୀପଠାରୁ ମେସିନ ମାଧ୍ୟମରେ ପ୍ରତ୍ୟେକ ଦିନ ସନ୍ଧ୍ୟାହେଲେ ବାଲି ଉତ୍ତୋଳନ ହୋଇ ପରେ ଟ୍ରାକ୍ଟର ଜରିଆରେ ଆଣି ପାର୍ଶ୍ୱସ୍ତ ଉପକୂଳ ଅଞ୍ଚଳର ଏକ ପରିତ୍ୟକ୍ତ ସ୍ଥାନରେ ବାଲି ଜମା ରଖୁଥିବା ଦେଖିବାକୁ ମିଳୁଛି।

ପରେ ସେଠାରୁ ଟ୍ରକ ଯୋଗେ ସମ୍ପୃକ୍ତ ଠିକାଦାର ମେସିନ ଦ୍ୱାରା ବୋଝେଇ କରି ଏହି ବାଲିକୁ ପଡୋଶୀ ଆନ୍ଧ୍ର ରାଜ୍ୟକୁ ଚାଲାଣ କରୁଥିବା ସୂଚନା ମିଳିଛି। ପଡୋଶୀ ରାଜ୍ୟରେ ବାଲି ଅଭାବ ଓ ଲୋକଙ୍କ ଚାହିଦା ଅଧିକ ରହିଥିବାରୁ ଠିକାଦାର ଉକ୍ତ ବାଲିକୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ଦେଖିବାକୁ ମିଳୁଛି । ସେପଟେ ଆନ୍ଧ୍ରକୁ ବାଲି ବୋଝେଇ କରି ନେଉଥିବା ଭାରି ଯାନ ରାଜସ୍ୱ ବିଭାଗର ଅନୁମୋଦିତ ୱାଇ ଫର୍ମ ଓ ପରିବହନ ବିଭାଗର କୌଣସି ଅନୁମତିରେ ନନେଇ ରାତି ଅଧିଆ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳୁଛି।

ଗୁରୁତ୍ୱପୂର୍ଣ୍ଣ କଥା ପ୍ରତିବର୍ଷ ନଗାବଳୀ ନଦୀରେ ବନ୍ୟା ପରିସ୍ଥିତି ଉପୁଜୁଥିବା ସହ କିଛି ଗାଁ ନାଗବଳୀରେ ଲୀନ ହେବାକୁ ବସିଲାଣି ଏଭଳି ସ୍ଥଳେ ନଦୀ ତୁଠରୁ ଶହସ୍ର ଟ୍ରିପ ବାଲି ଉଠାଣ ଯୋଗୁଁ ନଗାବଳୀ କୂଳ ଲଙ୍ଘିବା ଆଶଙ୍କା ସ୍ଥାନୀୟ ବାସୀନ୍ଦାଙ୍କୁ ଆତଙ୍କିତ କରୁଛି। ଠିକାଦାରଙ୍କ ମନ ମୁତାବକ ନଦୀରୁ ବାଲି ଉଠାଣ ଯୋଗୁଁ ପ୍ରତିବର୍ଷ ନଦୀ ତାର ଗତିପଥ ପରିବର୍ତ୍ତନ କରୁଛି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ନାଗାବଳୀରେ ବନ୍ୟା ପରିସ୍ଥିତି ଦେଖାଦେଲେ ଉପକୂଳ ବାସୀଙ୍କ ପାଇଁ ଏହା ଭୟାବହ ପରିସ୍ଥିତି ସୃଷ୍ଟି କରିବ ନେଇ ସମ୍ଭାବନା ଦେଖାଦେଇଛି।

ସ୍ଥାନୀୟ ଠିକାଦାର ଲିଜ୍‍ ମାଧ୍ୟମରେ ବାଲି ଉତ୍ତୋଳନ ସକାଶେ ଅନୁମତି ହାସଲ କରି ପରବର୍ତ୍ତୀ ସମୟରେ ଆନ୍ଧ୍ର ବାଲି ମାଫିଆଙ୍କୁ ମାସିକ ସୂତ୍ରରେ ବାଲି ଉଠାଣ ନିମନ୍ତେ ଅନୁମତି ପ୍ରଦାନ କରୁଥିବା ଜଣାପଡିଛି।

ପ୍ରତାପପୁର ବାଲିଘାଟରୁ ୭୮୦୦କ୍ୟୁବିକ ମିଟର ଓ ଗୁରୁରାଜଗୁଡାରୁ ୭୫୦୦କ୍ୱୁବିକ ମିଟର ବାଲି ଉତ୍ତୋଳନ କରିବାକୁ ରାଜସ୍ୱ ବିଭାଗ  ଅନୁମତି ଦେଇଥିବାବେଳେ ଠିକାଦର ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ମନମୁତାବକ ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇଛି । ବାରମ୍ବାର ଏ ନେଇ ଅଭିଯୋଗ ହେଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି।

ଏ ସମ୍ପର୍କରେ ତହସିଲଦାର ଉମାଶଙ୍କର ବେହେରା କହିଛନ୍ତି,‘‘ ଠିକାଦର ଲିଜ ମୁତାବକ ବାଲି ଉତ୍ତୋଳନ କରୁଛନ୍ତି । ମେସିନ ମାଧ୍ୟମରେ ନଦୀ ଭିତରୁ ବାଲି ଉଠାଣ କରାଯାଉ ନାହିଁ । ଏଭଳି ଅଭିଯୋଗ ଆସିଲେ ସଙ୍ଗେସଙ୍ଗେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏଥିସହ ବିନା ୱାଇ୍‍ ଫର୍ମ ଥାଇ କୌଣସି ଗାଡି ବାଲି ଚାଲାଣ କରୁଥିଲେ ତର୍କିତ ଚଢାଉ କରି ସମ୍ପୃକ୍ତ ଗାଡ଼ି ମାଲକଙ୍କଠାରୁ ଜରିମାନା ଆଦାୟ କରାଯାଉଛି’’।

ଅନ୍ୟପଟେ ଏ ସଂକ୍ରାନ୍ତରେ ପରିବହନ ଅଧିକାରୀ ଦିଲୀପ କୁମାର ଦଳାଇଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ‘‘ଏ ନେଇ ବିଭାଗର ଦୃଷ୍ଟିଗୋଚର ରହିଛି। ଏଭଳି ବିନା ପରମିଟରେ ବେଆଇନ ବାଲି ପରିବହନ କରୁଥିବା ଗାଡିଗୁଡ଼ିକ ଉପରେ ବିଭିନ୍ନ ସମୟରେ ସୀମାନ୍ତ କେରେଡାଠାରେ ଚଢାଉ କରାଯାଉଛି। ଜାତୀୟ ପରମିଟ ଥିବା ଗାଡିଗୁଡିକୁ ଛାଡିବା ସହ ବେଆଇନ ଚାଲାଣକାରୀ ଗାଡ଼ିଗୁଡ଼ିକୁ ଠାରୁ ମୋଟା ଅଙ୍କର ଟଙ୍କା ଜରିମାନା ଆଦାୟ କରାଯାଉଛି’’।

Comment