ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଛି ପ୍ରବାସୀ ଓଡ଼ିଆଙ୍କ ବସ୍‌। ଏହି ଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ନିକଟସ୍ଥ ଗୁମ୍ମା ଘାଟି ନିକଟରେ। ଏଥିରେ ଡ୍ରାଇଭରଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କେରଳ ରାଜ୍ୟରେ ଫଶି ରହିଥିବା ଓଡ଼ିଆ ପ୍ରବାସୀମାନେ ଏକ ମିନି ବସ୍ ଯୋଗେ କଳାହାଣ୍ଡି ଜିଲ୍ଲା ଅଭିମୁଖେ ଯାଉଥିଲେ। ରାୟଗଡ଼ା ନିକଟସ୍ଥ ଗୁମ୍ମା ଘାଟିରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘାଟି ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଗାର୍ଡୱାଲକୁ ଧକ୍କା ଦେଇଥିଲା।

ଆହତ ୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହାସହ ୫ଜଣଙ୍କୁ ପ୍ରାଥମିକ ଚିକିତ୍ସା କରି ଛାଡ଼ି ଦିଆଯାଇଛି। ବର୍ତ୍ତମାନ ଅନ୍ୟ ଆହତମାନେ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

କଳାହାଣ୍ଡି ଜିଲ୍ଲାର ୯ଜଣ ପ୍ରବାସୀ କେରଳ ରାଜ୍ୟର ବିଭିନ୍ନ କମ୍ପାନିରେ ଶ୍ରମିକ ରୂପେ କାର୍ଯ୍ୟ କରିବାକୁ ଯାଇ ସେଠାରେ ଫସି ରହିଥିଲେ। ଦୀର୍ଘ ଦେଢ଼ମାସରୁ ଅଧିକ ସମୟ ତାଲାବନ୍ଦ ଯୋଗୁଁ ସେଠାରେ ଭୋକ ଉପବାସରେ ରହିବା ପରେ ସାମାନ୍ୟ ନିୟମ କୋହଳ ହେଲା ପରେ ଶ୍ରମିକମାନେ ମିନି ବସ୍ ଯୋଗେ ନିଜ ଜିଲ୍ଲା କଳାହାଣ୍ଡି ଅଭିମୁଖେ ଫେରୁଥିଲେ।

Comment