ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭେଜିଆ ଛକ ନିକଟରେ ଗୁରୁବାର ଏକ ପିକନିକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଅଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

ସମ୍ବଲପୁରରୁ ପିକନିକ ସାରି ବସଟି ଯାଜପୁରର ବଡ଼ଚଣାକୁ ଫରୁଥିଲା। ଏଥିରେ ୫୧ ଜଣ ଯାତ୍ରୀ ଥିଲେ। ଗୁରୁବାର ସକାଳେ ଢେଙ୍କାନାଳର ଭେଜିଆ ଛକରେ ବସଟି ଭାରସାମ୍ୟ ହରାଇ ଏକ ହାଇୱା ଟ୍ରକକୁ ଧକ୍କା ଦେଇଥିଲା। ଏହାପରେ ବସ୍ ସହ ଆଉ ଏକ ଟ୍ରକ ଆସି ଧକ୍କା ହୋଇଥିଲା। ଫଳରେ ଦୁଇଟି ଟ୍ରକ ମଝିରେ ବସଟି ଫସି ଯାଇଥିଲା।

ଦୁର୍ଘଟଣାର ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ବସ୍ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ।

ତେବେ ଏହି ଦୁର୍ଘଟଣାର କାହିଁକି ଘଟିଲା ତାହାର ପ୍ରକୃତ କାରଣ ଜଣା ପଡ଼ିନାହିଁ। କୁହୁଡ଼ି ଯୋଗୁଁ ବସ୍ ଓ ଟ୍ରକ ଧକ୍କା ହୋଇଥିବା ଆଶଙ୍କା କରାଯାଉଛି।    

Tags: #Dhenkanal #BusAccident #PicnicBus #RoadAccident #Odisha

Comment