ଓଡ଼ିଶାଲାଇଭ୍‌ ବ୍ୟୁରୋ

କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ବିରୋଧ କରିବା ପାକିସ୍ତାନ ପାଇଁ ମହଙ୍ଗା ପଡ଼ିଛି। ଏହାର ବିରୋଧ କରି ଭାରତ ସହ ବାଣିଜ୍ୟକ ସଂପର୍କ କାଟିବା ନିଷ୍ପତ୍ତି ପାକିସ୍ତାନର ଅଣ୍ଟା ଭାଙ୍ଗି ଦେଲାଣି। ଭାରତରୁ ଯାଉଥିବା ସମସ୍ତ ସାମଗ୍ରୀ ଉପରେ ରୋକ ଲାଗିବା ପରେ ପାକିସ୍ତାନ ବଜାରରେ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଆକାଶ ଛୁଆଁ ହେଲାଣି। ଏକ ରିପୋର୍ଟ ଅନୁସାରେ ପାକ୍‌ରେ ଏବେ ଏମିତି ପରିସ୍ଥିତି ଯେ ଇଦ୍‌ ପାଳିବା ମଧ୍ୟ ସେଠାକାର ଜନତାଙ୍କ ପାଇଁ ମୁସ୍କିଲ ହୋଇପଡ଼ିବ।

ପାକ୍‌ ଜନତା ଓ ବ୍ୟବସାୟୀଙ୍କ କହିବା ଅନୁସାରେ ଏଥର ଇଦ ପାଳିବା ବି କଷ୍ଟ ହୋଇପଡ଼ିବ। କାରଣ ଭାରତରୁ ଆସୁଥିବା ଜିନିଷ ଉପରେ ପ୍ରତିବନ୍ଧକ ଲାଗିବା ପରେ ଏଠାରେ ସବୁ ଜିନିଷ ମହଙ୍ଗା ହୋଇପଡ଼ିଛି। ମହଙ୍ଗା ଯୋଗୁଁ ଅବଶ୍ୟକୀୟ ଜିନିଷ କିଣିବା କଷ୍ଟକର।

ଭାରତ ସହ ସଂପର୍କ କାଟିବା ପରେ ପାକିସ୍ତାନ ବଜାରରେ ପନିପରିବା ଦରରେ ନିଆଁ ଲାଗିଛି। ଟମୋଟ କେଜିକୁ ୩୦୦ ଟଙ୍କା ହୋଇଛି। କେବଳ ଟମାଟୋ ନୁହେଁ ଅନ୍ୟ ପରିବା ଦର ମଧ୍ୟ ବୃଦ୍ଧି ପାଇଛି।

ପାକ୍‌ରେ କ୍ଷୀର ଲିଟର ପିଛା ୧୦୦ ପାର୍‌ କରିଛି। ସେହିପରି ପାକିସ୍ତାନରେ ସୁନା ଦର ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଭାରତରେ ୧୦ ଗ୍ରାମର ସୁନାର ଦାମ ୩୭ ହଜାର ୯ ଶହ ଟଙ୍କା ଥିଲାବେଳେ ପାକିସ୍ତାନରେ ଏହା ଦୁଇ ଗୁଣା ବଢ଼ିଛି।

ଭାରତ ସହ ସଂପର୍କ କାଟିବା ଯୋଗୁଁ ପାକିସ୍ତାନ ସେୟାର ବଜାରକୁ ମଧ୍ୟ କ୍ଷତି ପହଞ୍ଚିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଖାନଙ୍କ ନିଷ୍ପତ୍ତି ଯୋଗୁଁ ପୂରା ଦେଶକୁ ଏହାର କ୍ଷତି ସହିବାକୁ ପଡ଼ୁଛି। କାରଣ ଦ୍ୱିପାକ୍ଷିକ ବ୍ୟବସାୟରେ ୮୦ ପ୍ରତିଶତ ଜିନିଷ ଭାରତରୁ ପାକିସ୍ତାନକୁ ଯାଇଥାଏ। ମାତ୍ର ୨୦ ପ୍ରତିଶତ ଜିନିଷ ପାକିସ୍ତାନରୁ ଭାରତକୁ ଆସିଥାଏ। ସେଥିପାଇଁ ଏହାର ପ୍ରଭାବ ଭାରତ ଉପରେ ବିଶେଷ ପଡ଼ୁନାହିଁ।

Comment