ଓଡ଼ିଶାଲାଇଭ୍ ବ୍ୟୁରୋ

 

ଦ୍ୱିତୀୟ ଶ୍ରେଣୀରେ ପଢ଼ିଲା ବେଳେ ଜଣେ ଭଉଣୀ କହିଲେ, ‘ଏଇଟା ମାଇଚିଆଟା’

‘‘ଗାଁ ଦାଣ୍ଡରେ ଚାଲିଗଲା ବେଳେ ଶୁଣିବାକୁ ମିଳୁଥିଲା ଟାହିଟାପରା’’

‘‘ଘରେ ବି ସହିବାକୁ ପଡୁଥିଲା ଗଞ୍ଜଣା’’

‘‘ବାପା, ମା’ ମତେ ଦୂରେଇ ଦେଲେ’’

‘‘ଜେଜେ ମା’ ପୁରୀରେ ମତେ ଛାଡ଼ିଦେଇ କୁଆଡ଼େ ଚାଲିଗଲା’’

ଘରେ, ବାହାରେ ଟାହିଟାପରା ଶୁଣି ବଡ଼ ହୋଇଥିବା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ନୀଲମ କିନ୍ନରଙ୍କର ଏହା ହେଉଛି ସଂଘର୍ଷର କାହାଣୀ।

ପିଲାବେଳେ ବାପା, ମା’ ନାଁ ଦେଇଥିଲେ ନୀଲୁ। ବଡ଼ ହେବା ପରେ ନିଲୁରୁ ନାଁ ସ୍କୁଲରେ ଲେଖାଇଲେ ବାପା। ନୀଲୁ ଯେତେବେଳେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିଲା ସେତେବେଳେ ସ୍କୁଲର ଜଣେ ବଡ଼ ଭଉଣୀ କହିଥିଲେ ‘ଏଇଟା ମାଇଚିଆଟା’। ଇଏ ପାଠ କ’ଣ ପଢ଼ିବ? ସେଦିନର ସେ ବଡ଼ ଭଉଣୀଙ୍କ କଥା କୁ ସହଜରେ ବୁଝି ପାରି ନଥିଲେ ନୀଲୁ।

ଘରକୁ ଆସି ଜେଜେ ମା’ଙ୍କୁ ସବୁ କଥା କହିଲେ। ଜେଜେ ମା’ ନୀଲୁକୁ କହିଲେ ତୁ ଆଉ ପାଠ ପଢ଼ିବୁନି। ଜେଜେ ମା’ ସେଦିନ କାହିଁକି ଏମିତି କହିଲେ ତାହା ବି ବୁଝି ପାରି ନଥିଲା ନୀଲୁ। ଶେଷରେ ନୀଲୁ ପୁରୁଷୋତ୍ତମପୁରର ଏକ ହୋଟେଲରେ କାମ କଲା। ୬ ମାସ ପରେ ପୁଣି ଘରକୁ ଫେରି ଆସିଲା। କିନ୍ତୁ ଘରେ ସେ ବେଶୀଦିନ ରହିଲାନି। ଗାଁରେ ବି ଟାହିଟାପରା ଶୁଣିବାକୁ ମିଳିଲା।

‘‘ହଠାତ୍ ମତେ ଜେଜେ ମା’ କହିଲା ପୁରୀ ଯିବା। ମୁଁ ଖୁସି ହୋଇଗଲି। ଜେଜେ ମା’ ଆଣି ମତେ ବଡ଼ଦେଉଳ ପାଖରେ ବସାଇ ହାତରେ ୧୦ ଟଙ୍କା ଦେଇ କୁଆଡ଼େ ଚାଲିଗଲା। ଦିନ ଯାଇ ସନ୍ଧ୍ୟା ହେଲା, କିନ୍ତୁ ଜେଜେ ମା’ ଆସିଲାନି’’, ସେଦିନର କଥା ମନେପକାଇ ଆଖିରୁ ଲୁହ ଗଡ଼ାଇ ଏହା କହିଛନ୍ତି ନୀଲୁ।

ନୀଲୁର କାନ୍ଦ ଶୁଣି କିଛି କିନ୍ନର ତା’ ପାଖକୁ ଆସିଲେ। ସବୁ କଥା ଶୁଣିବା ପରେ ତାକୁ ସୁରଟ ନେଇଗଲେ। ସୁରଟରେ ନୀଲୁର ନାଁ ବଦଳିଗଲା। ନୀଲୁରୁ ସେ ହୋଇଗଲା ନୀଲମ କିନ୍ନର।

‘‘ଘର କଥା ମନେପଡ଼ିଲେ ମୁଁ କାନ୍ଦେ’’

ସୁରଟ ଚାଲି ଆସିବା ପରେ ନୀଲୁକୁ ଅନ୍ୟ କିନ୍ନରମାନେ ଭଲ ପାଇଲେ। ଧିରେ ଧିରେ ବଡ଼ ହେବା ପରେ ଅନ୍ୟ କିନ୍ନରମାନଙ୍କ ସହ ମିଶି ନୀଲମ ଟ୍ରେନରେ ପଇସା ମାଗିଲା। ସେହି ପଇସାରେ ହିଁ ନୀଲମ ବଡ଼ ହେଲା।

‘‘ସୁରଟରେ ରହିବା ଭିତରେ ଘର କଥା ମୋର ବହୁନ ମନେ ପଡୁଥିଲା। ଘର କଥା ମନେପକାଇ ମୁଁ ବହୁତ କାନ୍ଦୁଥିଲି। ଜେଜେ ମା’ ଉପରେ ରାଗୁଥିଲି। ଭଗବାନଙ୍କୁ ଗାଳି ଦେଇ ପ୍ରଶ୍ନ କରୁଥିଲି ମୋର ଭୁଲ କ’ଣ? କାହିଁକି ମୋ’ ପିଲାଦିନ ଛଡ଼େଇ ନେଲ? ମା’କୁ ବି ମନେମନେ ଗାଳି ଦେଉଥିଲି।’’

ସୁରଟରୁ ପୁଣି ପୁରୁଷୋତ୍ତମପୁର

ସୁରାଟରେ କାମ କରୁଥିବା ବେଳେ ଗାଁ ର ଜଣେ ଘର ପାଖ ଖୁଡ଼ି ଦେଖା ହୁଅନ୍ତି ନୀଲମର। ନିଲୁ ତାଙ୍କୁ ଚିହ୍ନି ପ୍ରଥମେ ନିଜ ପରିଚୟ ଲୁଚାଇ ରଖିଲା।

‘‘ଗାଁର ଖୁଡ଼ି ମତେ ଦେଖି ଦୋ ଦୋ ଚିହ୍ନା ହେଲେ। ପଚାରିଲେ ତମେ ନୀଲୁକୁ ଜାଣିଛ? ମୁଁ କହିଲି କୋଉ ନୀଲୁ? ସେ ମତେ ସବୁ କାହାଣୀ ଶୁଣାଇଲେ। ତାଙ୍କରିଠାରୁ ହିଁ ଶୁଣିଲି ମୋ’ ବାପା ମତେ ମାରିଦେବାକୁ ଚାହୁଁଥିଲେ। ଏଣୁ ଜେଜେ ମା’ ମତେ ଆଣି ପୁରୀରେ ଛାଡ଼ିଦେଇ ଚାଲିଗଲା’’

‘‘ଖୁଡ଼ିଙ୍କଠାରୁ ଘର କଥା ଶୁଣି ମୋର ଘରକୁ ଆସିବାକୁ ମନ ହେଲା। ବାପା, ମା’ ଜେଜେ ମା’ଙ୍କୁ ଦେଖିବାକୁ ମନ ହେଲା। ଗାଁକୁ ଆସିବାକୁ ଇଚ୍ଛା ହେଲା। ଶେଷରେ ଗାଁ ଆସିଲି। ହେଲେ ପୁଣି ସେହି ଟାହି ଟାପରା ଓ ଗାଁ ଲୋକଙ୍କ ନାଲି ଆଖି ମତେ କଷ୍ଟ ଦେଲା’’, କହିଛନ୍ତି ନୀଲମ।

ଗାଁରେ ପାଦ ଦେଉ ଦେଉ ଲୋକଙ୍କ ନାଲିଆଖି

‘‘ଗାଁରେ ରହିବାକୁ ହେଲେ ଶାଢ଼ି, ଚୁଡ଼ି ଖୋଲିବାକୁ ପଡ଼ିବ। ଚୁଟି କାଟି ବାହାକୁ ହେବାକୁ ପଡ଼ିବ। ନହେଲେ ଗାଁରୁ ବିଦା ହେବ’’, ଗାଁ ଲୋକଙ୍କ ଏହି ଧମକ ସେଦିନ ନୀଲୁ ଓରଫ୍ ନୀଲମ ମନରେ ଆଘାତ ଦେଇଥିଲା।

ଯେଉଁ ଜେଜେ ମା’ ଚୋଟ ବେଳେ ପୁରୀରେ ଛାଡ଼ି ଦେଇଥିଲା ସେହି ଜେଜେ ମା’ ଆସି ଗାଁ ଲୋକଙ୍କୁ ଧିକ୍କାର କରି ଘରକୁ ନେଇଥିଲା। ହେଲେ ଗାଁ ଲୋକଙ୍କ ଟାହି ଟାପରା ଘର ଲୋକଙ୍କୁ ଭଲ ଲାଗିଲାନି। ଲୋକଙ୍କ କଥା ଶୁଣି ସେ ବାହା ହୋଇଥିଲା।

‘‘ମୁଁ ଯାହାକୁ ବାହା ହେଲି ତାକୁ ପୂର୍ବରୁ ସବୁ କଥା କହିଦେଲି। ଗଣ୍ଡେ ଖାଇବାକୁ ଏବଂ ଖଣ୍ଡେ ପିନ୍ଧିବାକୁ ଦେଇପାରିବ କି ବୋଲି ସେ ମତେ ପ୍ରଶ୍ନ କରିଥିଲା। ମୁଁ ତାକୁ ହଁ କହିଥିଲି। ଶେଷରେ ସେ ମତେ ବାହା ହେବାକୁ ରାଜି ହେଲା। ଆଜି ବି ସେ ମୋ’ ସାଙ୍ଗରେ ରହୁଛି’’, କହିଛନ୍ତି ନୀଲମ।

ପୁଣି ନୀଲମ ଗାଁ ଛାଡ଼ି ସୁରଟ ପଳାଏ। ୧୪ ବର୍ଷ ପରେ ଫେରେ। ଭୁବନେଶ୍ୱର ଆସି କିନ୍ନର ଗୁରୁ ମୀରା ପରିଡ଼ାଙ୍କୁ ଦେଖା କରେ। ସେବେଠାରୁ ମୀରା ତାକୁ ନିଜର କରିନେଇଛନ୍ତି। ପିଲାଟି ଦିନରୁ ସଂଘର୍ଷ କରି ବଞ୍ଚିଥିବା ନୀଲମ ଆଜି ସମାଜରେ ନିଜ ପରିଚୟରେ ବଞ୍ଚି ଅନ୍ୟମାନଙ୍କୁ ସ୍ନେହ ବାଣ୍ଟୁଛନ୍ତି।

Comment