ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସାରା ଦେଶ ଆଜି ପାଳିଛି ବକ୍ରି ଇଦ୍‌। ମସ୍‌ଜିଦରେ ନମାଜ ପାଠ କରି ମୁସଲିମ୍‌ ସଂପ୍ରଦାୟର ଲୋକେ ପରସ୍ପରକୁ ଇଦ୍‌ ଶୁଭେଚ୍ଛା ଜଣାଇଥିଲେ। ତେବେ ଏସବୁ ଭିତରେ ସାରା ଦେଶବାସୀଙ୍କ ନଜର ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏବଂ ଓମାର ଅବଦୁଲ୍ଲାଙ୍କ ଉପରେ ରହିଥିଲା।

ଜମ୍ମୁ କଶ୍ମୀରରୁ ୩୭୦ ଉଛେଦ ହେବା ପରେ ଏହି ଦୁଇ ନେତା ଗିରଫ ହୋଇଛନ୍ତି। ସେମାନେ ଆଜି କେମିତି ଇଦ୍‌ ପାଳନ କଲେ ତାାହା ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଥିଲା।

ଯେଉଁଦିନ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ହେଲା ତାର ଗୋଟିଏ ଦିନ ପୂର୍ବରୁ ମୁଫ୍‌ତି ଏବଂ ଅବଦୁଲ୍ଲାଙ୍କୁ ଗୃହ ବନ୍ଦୀ କରାଯାଇଥିଲା। ଏହାପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଇଦ୍‌ ଅବସରରେ ସେମାନଙ୍କୁ ପୋଲିସ ଛାଡ଼ିପାରେ ବୋଲି କୁହାଯାଉଥିଲା। ହେଲେ ସେମିତି କିଛି ଘଟି ନାହିଁ।

ମୁଫ୍‌ତି ଏବଂ ଅବଦୁଲ୍ଲା ସେଣ୍ଟାଉର ହୋଟେଲରେ ନମାଜ ପାଠ କରିଥିବା ଦେଖିବାକୁ ମିଳିଛି।

ପ୍ରତିବର୍ଷ ଇଦ୍‌ରେ ମୁଫ୍‌ତି ଏବଂ ଅବଦୁଲ୍ଲାଙ୍କ ବାସଭବନ ଲୋକଙ୍କ ଗହଳ ଚହଳରେ ଫାଟି ପଡୁଥିଲା। ଖାଇବା ପିଇବାର ଆସର ଜମୁଥିଲା। ହେଲେ ଆଜି ତାଙ୍କ ବାସଭବନ ଖାଁ ଖାଁ ଲାଗୁଥିଲା। ଉଭୟ ନେତାଙ୍କ ଘର ଆଗରେ ପୋଲିସ ଗାଡ଼ି ଜଗି ରହିଥିଲା।

ଓମାର ଅବଦୁଲ୍ଲାଙ୍କ ବାପା ଫାରୁକ୍ ଅବଦୁଲ୍ଲା ଜମ୍ମୁ କଶ୍ମୀରସ୍ଥିତ ବାସଭବନରେ ରହିଛନ୍ତି। ତାଙ୍କ ଘର ଚାରିପଟେ ପୋଲିସ ଜଗି ରହିଥିବାରୁ ସେ ବହାରକୁ ଆସିପାରି ନଥିଲେ।

ଓମାର ଅବଦୁଲ୍ଲା ଗିରଫ ହୋଇ ହରି ନିବାସ ପ୍ୟାଲେସରେ ରହିଛନ୍ତି। ସେହିପରି ମୁଫ୍‌ତି ଗିରଫ ହୋଇ ଚେସ୍‌ମା ସହରେ ରହିଛନ୍ତି। ଉଭୟ ପୋଲିସ ସୁରକ୍ଷା ବଳୟ ଭିତରେ ରହିଛନ୍ତି। ଉଭୟ ଆଜି ନମାଜ ପାଠ କରିବାକୁ ଚାହିଁବାରୁ ସେମାନଙ୍କ ପାଇଁ ସେଣ୍ଟାଉର ହୋଟେଲରେ ବିଶେଷ ବ୍ୟବସ୍ଥା କରାଯାଇଥିଲା।

Comment