ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ କଟ୍ରାଗୁଡ଼ା ଗାଁର ଦୁଇ ବର୍ଷର ଶିଶୁ ଦେହରେ ଗରମ ପାଣି ଢାଳି ହୋଇଯିବାରୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଶିଶୁ ଦେହର ଅଧିକାଂଶ ଜାଗା ପୋଡିଯାଇଥିବା ସୂଚନା ମିଳିଛି।

ସୋମବାର ବିଳମ୍ବିତ ରାତିରେ କଟ୍ରାଗୁଡ଼ା ଗାଁ ସନିଆ ନାୟକଙ୍କ ଦୁଇ ବର୍ଷର ଝିଅ ଦେହରେ ଗରମ ପାଣି ଢ଼ାଳି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ଝିଅକୁ ବାଇକ ଯୋଗେ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।

ପ୍ରାଥମିକ ଚିକିତ୍ସା ପରେ ଶିଶୁର ଅବସ୍ଥା ଗୁରୁତର ହେବାରୁ ଆଜି ସକାଳେ କୋରାପୁଟ ଶହୀଦ ଲଷ୍ମଣ ନାୟକ ମେଡିକାଲ କଲେଜକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ନିଜ ଘରେ ପଡୋଶୀ ଖେଳୁଥିବା ସମୟରେ କାଠଚୁଲି ନିକଟରେ ଥିବା ଗରମ ପାଣି ଢାଳି ହୋଇ ଏହି ଅଘଟଣ ଘଟିଛି ବୋଲି ପରିବାର ଲୋକେ କହିଛନ୍ତି।

Comment