ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହୋଇଛି। ସୋମବାର ରାତିରୁ ପଶ୍ଚିମ ଓଡ଼ିଶାରେ ବର୍ଷା କାଚୁଛି। ଫଳରେ ବଲାଙ୍ଗିର ସହର ଜଳବନ୍ଦୀ ହୋଇଯାଇଛି। ଏବେ ବି ବର୍ଷା ଜାରି ରହିଛି।

ଲଗାଣ ବର୍ଷାରେ ସହର ପୂରା ବେହାଲ୍ ହୋଇଯାଇଛି। ରାସ୍ତାରେ ୨ରୁ ୩ ଫୁଟ ଉଚ୍ଚରେ ପାଣି ଚାଲୁଛି। ଫଳରେ ଯାତାୟତ ପୂରା ଠପ୍‌ ହୋଇଯାଇଛି। ବଲାଙ୍ଗିର ସହରର ତଳିଆ ଅଞ୍ଚଳରେ ପାଣି ପଶି ଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ବର୍ଷାକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲାପାଳ ଅରବିନ୍ଦ ଡାକୁଆ ସମସ୍ତ ସ୍କୁଲ, କଲେଜ ବନ୍ଦ ଘୋଷଣା କରିଛନ୍ତି। ଆଜି ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିଲା। ଦୋକାନ, ବଜାର ବି ବନ୍ଦ ରହିଥିଲା।

ବଲାଙ୍ଗିର ସହରକୁ ଯୋଗାଯୋଗ କରୁଥିବା ସମସ୍ତ ମୁଖ୍ୟ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି। ପାର୍କିଂରେ ରଖାଯାଇଥିବା ଗାଡ଼ି ବର୍ଷା ପାଣିରେ ଭାସୁଥିବା ଦେଖିବାକୁ ମିଳିଛି।

ତଳିଆ ଅଞ୍ଚଳରେ ଓଡ୍ରାଫ୍‌ ଟିମ୍‌ ନିୟୋଜିତ କରାଯାଇଛି। ଓଡ୍ରାଫ୍ ଟିମ୍‌ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରୁଛନ୍ତି।

ନୂଆପଡ଼ା, କଳାହାଣ୍ଡି, ବରଗଡ଼ ଜିଲ୍ଲାରେ ମଧ୍ୟ ବର୍ଷା ଲୋକଙ୍କୁ ଘରୁ ବାହାର କରି ଦେଉନି। ପ୍ରବଳ ବର୍ଷା ଯୋଗୁଁ ଏହି ତିନି ଜିଲ୍ଲାର ସ୍ଥିତି ବେହାଲ ହୋଇଯାଇଛି। ଚାଷଜମିରେ ବର୍ଷା ପାଣି ମାଡ଼ି ଯାଇଛି। ଏହି ତିନି ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି।

Comment