ଓଡ଼ିଶାଲାଇଭ ବ୍ୟୁରୋ
ଲଗାଣ ବର୍ଷାରେ ବେହାଲ ହୋଇଛି ଓଡ଼ିଶା। ଦୁଇଦିନ ହେବ ଲଗାତାର ବର୍ଷା ହେବା ଯୋଗୁଁ ସାରା ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାସହ ଗତ ଦୁଇ ସପ୍ତାହରେ ବନ୍ୟା ଓ ବର୍ଷାରେ ରାଜ୍ୟରେ ୮ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଆଜି ପ୍ରେସମିଟ୍ରେ କହିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ।
କଳାହାଣ୍ଡିରେ ଦୁଇ ଜଣ, ନବରଙ୍ଗପୁରରେ ଜଣେ, କନ୍ଧମାଳ ଜଣେ, କୋରାପୁଟ ଜଣେ ଓ ମାଲକାନଗିରିରେ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତଙ୍କର ମୃତ୍ୟୁ ବନ୍ୟାଜଳରେ ଭାସି, କାନ୍ଥ ଭୁଶୁଡ଼ି ଓ ସାପ କାମୁଡ଼ାରେ ହୋଇଛି ବୋଲି ସୂଚନା ଦେଇଛନ୍ତି ଏସଆରସି।
ଏହାସହ ଗତ ଦୁଇ ଦିନ ହେବ ରାଜ୍ୟରେ ପୁଣି ଲଗାତାର ବର୍ଷା ଆରମ୍ଭ ହୋଇଛି। ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। କଳାହାଣ୍ଡିର କର୍ଲାମୁଣ୍ଡାରେ ସର୍ବାଧିକ ୬୦୮ମିମି ବର୍ଷା ରେକର୍ଡ କରାଯାଇଛି। କଳାହାଣ୍ଡିର କାଳୀଗଙ୍ଗା ନଦୀର ଜଳସ୍ତର ବଢ଼ିଛି। ଫଳରେ ସେଠାରୁ ସାରଗଡ଼ ଗ୍ରାମର ୧୫୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।
ସେହିପରି ବୌଦ୍ଧ ଜିଲ୍ଲାର ତେଲ ଓ ଖଡ୍ଗ ନଦୀ ଉଛୁଳିବାରୁ ଅନେକ ଗାଁରେ ପାଣି ପଶିଯାଇଛି। ଖମନମୁଣ୍ଡାର ଦେଓଗାଁ, ରେଙ୍ଗାଲିର କମଘାଟ ଓ ଗମ୍ଭାରୀପଦର ଗାଁ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଅଡାଗୌଡା ପୋଲ ଉପରେ ୫ ଫୁଟର ପାଣି ଚାଲିଥିବାବେଳେ କଣ୍ଟାମାଳ-ବାଲିଗୁଡା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି ।