ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଲାଗି ରହିଛି। ଏହାର ପ୍ରଭାବରେ ବଲାଙ୍ଗିର ସହରରେ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଛି। ସୋମବାର ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ସହର ଭିତର ଦେଇ ଯାଇଥିବା ଲକ୍ଷ୍ମୀ ନଦୀ ଜଳସ୍ତର ହଠାତ୍ ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇଥିଲା।

ଜଳ ନିଷ୍କାସନ ପାଇଁ ବଲାଙ୍ଗିରରେ କୌଣସି ସୁବିଧା ନଥିବାରୁ ବନ୍ୟା ଜଳ ସହର ଭିତରେ ରାସ୍ତା ଉପରେ ଛୁଟିଥିଲା। ସଠିକ ଭାବରେ ପାଣି ନିଷ୍କାସନ ହୋଇ ନ ପାରିବାରୁ ତଳିଆ ଅଞ୍ଚଳରେ ଥିବା ଅନେକ ଘର ଭିତରକୁ ପାଣି ପଶି ଯାଇଥିଲା।

ଏହାର ପ୍ରଭାବରେ ପ୍ୟାଲେସ ଲାଇନ, ଫରେଷ୍ଟ କଲୋନୀ, ରାଜେନ୍ଦ୍ର ପଡ଼ା, ପ୍ରତାପସାଗର ପଡ଼ା, ତେଲିଗୋଠପଡ଼ା, ବରପାଲି ପଡ଼ା ଅଞ୍ଚଳ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଅନେକ ଘରର ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଯାଇଛି। ଏହାଛଡ଼ା ରାଜପଥରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ବଲାଙ୍ଗିର ଓ ସମ୍ବଲପୁର ଏବଂ ବଲାଙ୍ଗିର ଓ ଭବାନୀପାଟଣା ମଧ୍ୟରେ ଯୋଗଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା।

ଗତ ୪୮  ଘଣ୍ଟା ଭିତରେ ବଲାଙ୍ଗିରରେ ୫୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ ବର୍ଷ ତୁଳନାରେ ଏହା ସର୍ବାଧିକ ବୋଲି କୁହାଯାଉଛି। ତେବେ ବୁଧବାର ବର୍ଷା ହୋଇ ନଥିବାରୁ ବନ୍ୟାର ପ୍ରଭାବ ସାମାନ୍ୟ ହ୍ରାସ ପାଇଛି ଏବଂ ଲକ୍ଷ୍ମୀ ନଦୀ ଜଳସ୍ତର ମଧ୍ୟ କମିଛି।

ସୁରକ୍ଷାଗତ କାରଣରୁ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ବିଭିନ୍ନ ଆଶ୍ରୟସ୍ଥଳୀରେ ରହୁଥିବା ଲୋକମାନେ ଧୀରେଧୀରେ ଘରକୁ ଫେରିବା ଆରମ୍ଭ କରୁଛନ୍ତି।

Comment