ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅନ୍ ସାଇଡ୍ ଆବର୍ଜନା କମ୍ପୋଷ୍ଟ୍ କରିବାକୁ ଉଦ୍ୟମ ହେବ। ଖାସ୍ କରି ପିପିପି ମୋଡରେ ଏହି କାର୍ଯ୍ୟ ହେବ। ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ସିଏମ୍‌ସି କର୍ତ୍ତୃପକ୍ଷ।

ପ୍ରଥମ ପର୍ଯ୍ୟାୟରେ ଆଜି ମହାନଦୀ ବିହାରସ୍ଥିତ ବିଏସ୍ଏନ୍ଏଲ୍ କଲୋନିରେ ମିନି କମ୍ପୋଷ୍ଟ୍ ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହୋଇଛି। ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଛନ୍ତି।

କଲୋନିରୁ ବାହାରୁଥିବା ଆବର୍ଜନାକୁ ନେଇ ଏଠାରେ ଜୈବିକ ଖତ ପ୍ରସ୍ତୁତ କରାଯିବ। ଫଳରେ ସ୍ଥାନୀୟ କଲୋନୀର କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାରେ ସୁଧାର ଆସିବ। କଟକ ମହାନଗର ନିଗମ(ସିଏମ୍‌ସି) ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନର୍‌ସିପ୍‌(ପିପିପି) ମୋଡରେ ଇମ୍ଫା ସହିତ ମିଶି ଏହି ପ୍ଲାଣ୍ଟ୍ ପ୍ରତିଷ୍ଠା କରିଛି।

ବ୍ୟବସ୍ଥା ମୁତାବକ ଏହି କଲୋନିରେ ପ୍ରାୟ ୬୦ଟି ପରିବାର ରହୁଛନ୍ତି। ତେଣୁ ପରିବାର ପିଛା ଡଷ୍ଟବିନ୍ ପ୍ରଦାନ କରାଯିବ। ଏହାସହ ଡଷ୍ଟବିନରେ ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା ଅଲଗା ଭାବେ ପକାଇବା ପାଇଁ ମଧ୍ୟ ଲୋକଙ୍କୁ ସଚେତନ କରାଯିବ।

ପରେ ସେଠାରୁ ଦୈନିକ ବାହାରୁଥିବା ଆବର୍ଜନା ସେହି କଲୋନିରେ ହେବାକୁ ଥିବା ପ୍ଲାଣ୍ଟରେ କମ୍ପୋଷ୍ଟ୍ କରାଯାଇ ଜୈବିକ ସାର ପ୍ରସ୍ତୁତ କରାଯିବ। ତେଣୁ ପ୍ରଥମ ୬ମାସ ପର୍ଯ୍ୟନ୍ତ ଏହାକୁ ପରିଚାଳନା କରାଯିବ। ତେଣୁ ପ୍ରଥମ ପର୍ଯ୍ୟାୟରେ ପ୍ଲାଣ୍ଟରେ ସିଏମ୍‌ସିର କିଛି ସୁଇପର୍ ନିୟୋଜିତ ହୋଇ ଏହି କାମ କରିବେ। ପରେ ପ୍ରସ୍ତୁତ ସାର କଲୋନୀ ବାସିନ୍ଦା ବ୍ୟବହାର କରିପାରିବେ କିମ୍ବା ବିକ୍ରି ମଧ୍ୟ କରିପାରିବେ।

ଏହିଭଳି ୬ମାସ ମଧ୍ୟରେ ସ୍ଥାନୀୟ କଲୋନି ରେସିଡେନ୍ସିଆଲ୍ ୱେଲଫେୟାର ଆସୋସିଏସନକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ଏହା କଲୋନି ବାସିନ୍ଦାଙ୍କ ପାଇଁ ବେଶ୍ ଲାଭଦାୟକ ହେବା ସହିତ ଅନ୍ୟ ଲୋକଙ୍କ ପାଇଁ ମଧ୍ୟ ଉଦାହରଣ ପାଲଟିବ।

Comment