ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ମହାନଗର ନିଗମ (ସିଏମସି)ର ନୂତନ କମିଶନର ଭାବେ ଯୋଗ ଦେଇଛନ୍ତି ନିଖିଲ ପବନ କଲ୍ୟାଣ। ସୋମବାର ଦିନ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କରି ସେ ନିଜର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ନିଖିଲ ପବନ କଲ୍ୟାଣ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ୱରେ ଥିଲେ।

ଦାୟିତ୍ୱ ଭାର ଗ୍ରହଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିଖିଲ ପବନ କଲ୍ୟାଣ କହିଛନ୍ତି, ‘‘କଟକ ଭଳି ଏକ ପୁରୁଣା ସହରର ସମସ୍ୟା କ’ଣ ରହିଛି ତାହାକୁ ପ୍ରଥମେ ବୁଝିବାର ଅଛି। ଜଳବନ୍ଦୀ, ଜାଇକା ଭଳି ସମସ୍ୟାକୁ ସମସ୍ତଙ୍କ ସହଯୋଗରେ ସମାଧାନ କରିବାକୁ ଚେଷ୍ଟା କରିବି। କଟକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପ୍ରଥମ କାମ ହେବ। ସମସ୍ତଙ୍କୁ ନେଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଆଗକୁ ନେଇ ଯିବାକୁ ସବୁବେଳେ ଉଦ୍ୟମ ରହିବ’’।

୨୦୧୨ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ହେଉଛନ୍ତି ନିଖିଲ ପବନ କଲ୍ୟାଣ। ପୂର୍ବରୁ ସେ ସୁନ୍ଦରଗଡ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏହାସହ ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତେଣୁ ସହରର ବିକାଶ ଦିଗରେ ପୂର୍ବ ଅଭିଜ୍ଞତାକୁ ନେଇ ବିଭିନ୍ନ ସମସ୍ୟାର ସମାଧାନ କରିବେ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରାଥମିକତା ଭିତ୍ତିରେ ଚଣ୍ଡିମନ୍ଦିର ଉନ୍ନତିକରଣ ପ୍ରକଳ୍ପ କାମ, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସଂପ୍ରସାରଣ କାର୍ଯ୍ୟ, ନେତାଜୀ ବସ୍ ଟର୍ମିନାଲ, ଜାଇକା ପ୍ରକଳ୍ପ ଆଦି କାମକୁ ପ୍ରାଧାନ୍ୟ ଦିଆଯିବ। ବରିଷ୍ଠ ଅଧିକାରୀଙ୍କ ସହ ସମସ୍ତ କାମର ସମୀକ୍ଷା କରାଯାଇ ଏହାକୁ ତ୍ୱରାନ୍ୱିତ କରାଯିବ। ଏହାସହ କଳା ସଂସ୍କୃତିର ସହରରେ ପରମ୍ପରା ବଜାୟ ସହ କିଭଳି ସମସ୍ତ ପ୍ରକାର ପର୍ବପର୍ବାଣୀ ସୁରୁଖୁରୁରେ ସମ୍ପାଦନ ହେବ ଓ ଭାଇଚାରା ବଜାୟ ରହିବ ସେନେଇ ବିଶେଷ ଧ୍ୟାନ ଦିଆଯିବ ବୋଲି ନୂଆ କମିଶନର କହିଛନ୍ତି ।

Comment