ଓଡ଼ିଶାଲାଇଭ୍ ବ୍ୟୁରୋ

  • ବୈଠକ ସମ୍ପୂର୍ଣ୍ଣ ଅଣଔପଚାରିକ ବୋଲି କହିଲା ଜାତିସଂଘ
  • ଏହା ଭାରତର ଆଭ୍ୟନ୍ତରୀଣ ମାମଲା –  ଜାତିସଂଘ
  • ଉଭୟ ଦେଶକୁ ଶାନ୍ତି ବଜାୟ ରଖିବାକୁ ପରାମର୍ଶ

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏଥିରେ ଅନ୍ତରାଷ୍ଟ୍ରୀୟ ସମୁଦାୟର ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ ବୋଲି ଜାତିସଂଘ ସୁରକ୍ଷା ପରିଷଦ ସ୍ପଷ୍ଟ କରିଦେଇଛି। ବୈଠକ ପରେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ୍‌ ଆକବରୁଦ୍ଦିନ୍‌ ଗଣମାଧ୍ୟମରେ ଏ କଥା କହିଛନ୍ତି ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ (ୟୁଏନଏସସି) ଜମ୍ମୁ-କଶ୍ମୀର ମାମଲାକୁ ନେଇ ହୋଇଥିବା ଅଣଔପଚାରିକ ବୈଠକ ପରେ ପାକିସ୍ତାନ ଏବଂ ଚୀନ୍‌କୁ ଜୋରଦାର ଝଟକା ଲାଗିଛି। ୟୁଏନଏସସି ବୈଠକରେ ସଦସ୍ୟ ଦେଶ ଉଭୟ ରାଷ୍ଟ୍ରରେ ଶାନ୍ତି ବଜାୟ ରଖିବାକୁ କହିଛନ୍ତି। ଏହା ସହିତ ସୀମାରେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ଉଭୟ ଦେଶକୁ କୁହାଯାଇଛି। ୟୁଏନଏସସି ମଧ୍ୟ କଶ୍ମୀର ମାମଲାକୁ ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହିଛି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। କଶ୍ମୀର ପ୍ରସଙ୍ଗରେ ଅନ୍ତରାଷ୍ଟ୍ରୀୟ ସମୁଦାୟର ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ ବୋଲି ବୈଠକ ପରେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ୍‌ ଆକବରୁଦ୍ଦିନ୍‌ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।

ଆକବରୁଦ୍ଦିନ୍‌ କହିଛନ୍ତି, ‘‘କଶ୍ମୀର ସମସ୍ୟା ଭାରତର ଆଭ୍ୟନ୍ତରୀଣ ମାମଲା। ଏହି ସମସ୍ୟାର ସମାଧାନ କିଭଳି କରାଯିବ ତାହା ମଧ୍ୟ ଭାରତ ନିଷ୍ପତ୍ତି ନେବ। ସରକାର କଶ୍ମୀରରୁ ଧୀରେ ଧୀରେ କଟକଣା ହଟାଉଛନ୍ତି ଏବଂ ସରକାର ସେଠାରେ ସ୍ଥିତି ସ୍ୱଭାବିକ କରାଇବାକୁ ପ୍ରତିଶ୍ରୁତିବଦ୍ଧ।’’

ସେ ଆହୁରି କହିଛନ୍ତି ଯେ, କିଛି ଲୋକ କଶ୍ମୀରରେ ଅଶାନ୍ତି ଏବଂ ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି। କିନ୍ତୁ ଭାରତ କାଶ୍ମୀରରେ ଶାନ୍ତି ଏବଂ ବିକାଶ ଦିଗରେ କାର୍ଯ୍ୟ କରୁଛି। କିଛି ଲୋକ ଜିହାଦ ନାମରେ କାଶ୍ମୀରରେ ଆତଙ୍କବାଦ ଏବଂ ହିଂସା ସୃଷ୍ଟି କରିବାକୁ ଚାହୁଁଛନ୍ତି। ଆମେ ଏଭଳି ହେବାକୁ ଦେବୁନାହିଁ।

ପାକିସ୍ତାନ ସହ କାଶ୍ମୀର ଏବଂ ଅନ୍ୟାନ୍ୟ ସମସ୍ୟା କେବଳ ଦ୍ଵିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ। କିନ୍ତୁ ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦ ନ ରୋକିଛି ସେ ପର୍ଯ୍ୟନ୍ତ ପାକିସ୍ତାନ ସହ ଆଲୋଚନା ହୋଇ ପାରିବ ନାହିଁ ବୋଲି ଆକବରୁଦ୍ଦିନ୍‌ କହିଛନ୍ତି। ଆମେ ଏବେ ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୭୨ରେ ହୋଇଥିବା ଶିମଲା ରାଜିନାମାକୁ ନେଇ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଏହା ସହିତ ପାକିସ୍ତାନ ମଧ୍ୟ ଏଥିରେ ବିଶ୍ୱାସ ରଖିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଆକବରୁଦ୍ଦିନ୍‌।

ସୂଚନାଯୋଗ୍ୟ ଯେ, କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ବୈଠକ କରିବାକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦକୁ ଚିଠି ଲେଖି ଦାବି କରିଥିଲା। ଏହାକୁ ସମର୍ଥନ କରି ଚୀନ ମଧ୍ୟ ସୁରକ୍ଷା ପରିଷଦରେ ଏହି ଦାବି କରିଥିଲା। ଫଳରେ ଆଜି ସୁରକ୍ଷା ପରିଷଦର ରୁଦ୍ଧ ଦ୍ଵାର ବୈଠକରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ୟୁଏନଏସସିର କଶ୍ମୀର ପ୍ରସଙ୍ଗକୁ ନେଇ ରୁଷ ଭାରତ ପକ୍ଷରେ ନଜର ଆସିଥିବା ବେଳେ ଚୀନ ପାକିସ୍ତାନ ସ୍ଵରରେ ସ୍ଵର ମିଳାଇଥିଲା। ସେପଟେ ରୁଷ ଭାରତକୁ ସମର୍ଥନ କରି ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହିଥିଲା। ତେବେ ୟୁଏନଏସସିର ଏହି ବୈଠକରେ ଚୀନ ବ୍ୟତୀତ ଅନ୍ୟ କୌଣସି ଦେଶ ପାକିସ୍ତାନକୁ ସମର୍ଥନ କରି ନଥିଲେ।

Comment