ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ପୁଣି ଆକ୍ସନ ମୋଡ୍‌କୁ ଓହ୍ଲାଇଛି କମିସନରେଟ୍ ପୋଲିସ୍। କିଛି ଦିନ ବ୍ୟବଧାନ ପରେ ପୋଲିସ୍ ପୁଣି ଏନକାଉଣ୍ଟର କରିଛି। ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ଓରଫ ମନୋଜ ପାତ୍ର ପୋଲିସ୍ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସର ପାଲଟା ଗୁଳିରେ ସେ ଘାଇଲା ହୋଇଛି।

ଅମିତର ଡାହାଣ ଗୋଡ଼ରେ ଗୁଳି ମାଡ଼ ହେବାରୁ ସେ ଆଗକୁ ଯାଇ ନପାରିବାରୁ ପୋଲିସ୍ ତାକୁ କାବୁ କରିନେଇଛି। ଅମିତର ଘର ନିଶ୍ଚିନ୍ତକୋଇଲି ଖଣ୍ଡା ସାହି ଅଞ୍ଚଳରେ।

ଅମିତ ପାଖରୁ ପୋଲିସ୍ ଗୋଟିଏ ୭.୬୨ ଏମ୍ଏମ୍ ପିସ୍ତଲ, ୨ ରାଉଣ୍ଡ୍ ଅଫୁଟା ଗୁଳି, ୪ଟି ଖୋକା, ଏକ ନାଲି ରଙ୍ଗର ଆଇ-୧୦ କାର୍ ଜବତ କରିଛି। ଏନକାଉଣ୍ଟରରେ ଶିକାର ହୋଇଥିବା ଅମିତକୁ ଜଗତପୁର ପୋଲିସ୍ ନିଜ ହେପାଜତକୁ ନେଇ ଏବେ ଚିକିତ୍ସା ପାଇଁ ଏସ୍‌ସିବି ଡାକ୍ତରଖାନାରେ ଭର୍ତ୍ତି କରିଛି।

ଗତ ଦୁଇ ମାସ ତଳେ ଜଗତପୁର ଇମାମ ନଗର ଅଞ୍ଚଳରେ ରହୁଥିବା ଶିଳ୍ପପତି ଗୌତମ ବାହାରଙ୍କ ଘରେ କିଛି ଦୁର୍ବୃତ୍ତ ପଶି ଡକାୟତି କରିଥିଲେ। ମହିଳାଙ୍କୁ ଅସଦାଚରଣ କରିବା ସହ ଅନ୍ୟ ସଦସ୍ୟଙ୍କୁ  ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ।

ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଅମିତ  ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଅଭିମୁଖେ ଜଗତପୁର କେନାଲ ରୋଡରେ ଯାଉଥିବା ପୋଲିସ୍ ସୁରାକ୍ ପାଇଥିଲା। ଜଗତପୁର ପୋଲିସ୍ ଏବଂ ସ୍ପେସାଲ୍ ସ୍କ୍ୱାଡ୍ ଅଧିକାରୀମାନେ କେନାଲ୍ ରୋଡ୍‌ରେ ପହଞ୍ଚି ଅଭିଯୁକ୍ତ ଅମିତକୁ ଧରିବା ପାଇଁ ଉଦ୍ୟମ କରୁଥିବା ସମୟରେ ଅମିତ୍ ପୋଲିସ୍ ଉପରକୁ ଗୁଳି ମାଡ଼ କରିଥିଲା।

ଗୋଟିଏ ଗୁଳି ପୋଲିସ୍ ଭ୍ୟାନରେ ବାଜିବାରୁ ଅଧିକାରୀମାନେ ବର୍ତ୍ତି ଯାଇଥିଲେ। ପୋଲିସ ପାଲଟା ଗୁଳି ମାଡ଼ କରିଥିଲା। ପୋଲିସ୍ ଗୁଳିଟି ଅମିତର ଡାହାଣ ଗୋଡ଼ରେ ବାଜିବାରୁ ସେ କଚାଡ଼ି ହୋଇପଡ଼ିଥିଲା।

ଅମିତ ବିରୋଧରେ କଟକ ସଦର, ଦରଘାବଜାର, କ୍ୟାପିଟାଲ, ଚନ୍ଦ୍ରଶେଖରପୁର, ତମାଣ୍ଡୋ, ବାଦାମବାଡ଼ି, ସହିଦ ନଗର, ଖଣ୍ଡଗିରି, ଇନଫୋସିଟି, ଓଲଟପୁର, ପୁରୀ ସମୁଦ୍ର କୂଳ, କୁମ୍ଭାରପଡ଼ା, ବଳିଆ ପଣ୍ଡା ଥାନାରେ ଡକାୟତି, ଚୋରି, ରାହାଜାନୀ, ହତ୍ୟା ଉଦ୍ୟମ ଭଳି ଏକାଧିକ ସଙ୍ଗୀନ ମାମଲା ଥିବା ପୋଲିସ କହିଛି।

Comment