ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁର୍ଲା ବୈଷୟିକ ବିଶ୍ୱବିଦ୍ୟାଳୟରେ ୫୦ ଛାତ୍ରଙ୍କୁ ରାଗିଂ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ।

ପୁଣି ଫେରିଲା ରାଗିଂ। ନୂଆ କରି ଆଡମିଶନ କରିଥିବା ଛାତ୍ରଙ୍କୁ ୱେଲକମ୍‌ ସେରିମନି ନାଁ ରାଗିଂ। ଏହି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ। ନୂଆ କରି ଆଡମିଶନ କରିଥିବା ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କୁ ହଷ୍ଟେଲ ପରିସରରେ ରାଗିଂ କରାଯାଇଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହୋଇଛି।

ୱେଲକମ୍‌ ସେରିମନି ନାଁରେ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ୧୦୦ରୁ ଅଧିକ ସିନିଅର ଛାତ୍ର ପାଖାପାଖି ୫୦ ଜଣ ଜୁନିଅର ଛାତ୍ରମାନଙ୍କୁ ରାଗିଂ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏଥିସହିତ ହଷ୍ଟେଲ କ୍ୟାଣ୍ଟିନ୍‌ରେ ଛାତ୍ରଙ୍କ ସାର୍ଟ ଚିରି ଅପମାନିତ କରାଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଯାହା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଘଟଣାଟି ପ୍ରକାଶ ପାଇବା ପରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। ରାଜ୍ୟ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ରାଗିଂ ଘଟଣାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି।

Comment