ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ରାଗିଂ ଘଟଣା ପାଇଁ ନିଆଗଲା ଦୃଢ଼ କାର୍ଯ୍ୟାନୁଷ୍ଟାନ। ସିନିଅର ଛାତ୍ରମାନେ ଜୋରଜବରଦସ୍ତ ଜୁନିଅର୍ ଛାତ୍ରଛାତ୍ରୀଙ୍କୁ ରାଗିଂ କରିବା ଭାରିପଡ଼ିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ପରୀକ୍ଷାରୁ ବାଦ୍‌ ଦିଆଯାଇଥିବା ବେଳେ ୫୨ ଜଣ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କହିଛନ୍ତି।

ସେମାନେ ସ୍ୱେଚ୍ଛାକୃତ ଭାବେ ନିଜର ଦୋଷ ସ୍ୱୀକାର କରିନେଇଥିବାରୁ ତାଙ୍କ ବିରୁଦ୍ଧରେ ସେଭଳି କୌଣସି ନିଷ୍ପତି ନିଆଯାଇନାହିଁ।

ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ସ୍ୱାଗତ କରିବା ଆଳରେ ସିନିଅରମାନେ ସେମାନଙ୍କୁ ରାଗିଂ କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ ଏବଂ ଏହି ତଦନ୍ତର ଦାୟିତ୍ୱ ନେଇଥିଲେ ବିଶ୍ୱବିଦ୍ୟାଳୟର କୁଳସଚିବ ଉପମା କାଲୋ।

ରାଗିଂ ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ଶୃଙ୍ଖଳାଗତ କମିଟିର ଜରୁରୀ ବୈଠକ ବସିଥିଲା। ଏଥିରେ ଦୋଷୀ ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିଷ୍ପତି ହୋଇଥିଲା। ଏହାପରେ ଦୋଷୀ ଛାତ୍ରଙ୍କ ବିରୁଦ୍ଧରେ ଏଭଳି ନିଷ୍ପତି ନିଆଯାଇଛି।

କିଛିଦିନ ତଳେ ଭିଏସ୍ଏସୟୁଟିରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ସ୍ୱାଗତ କରିବା ବାହାନାରେ ଜୋରଜବରଦସ୍ତ ତାଙ୍କୁ ରାଗିଂ କରିଥିଲେ।

ସିନିଅରମାନେ ଜୁନିଅରଙ୍କୁ ଅଶ୍ଲୀଳ ଅଙ୍ଗଭଙ୍ଗୀ ପ୍ରଦର୍ଶନ ସହ ଷ୍ଟେଜ୍ ଉପରେ ଖାଲି ଦେହରେ ନାଚିବାକୁ ବାଧ୍ୟ କରିଥିଲେ। ଏଥିସହ କାନଧରି ବସଉଠ୍ ହେବା, ଜୁନିଅରଙ୍କୁ ସିଡ଼ିରେ ମାଡ଼ମାରିବା ସହ କାନ ଧରି ଦୌଡ଼ିବାକୁ କୁହାଯାଇଥିଲା।

ହଷ୍ଟେଲର ଏସବୁ ଦୃଶ୍ୟକୁ କେହି ମୋବାଇଲରେ ସୁଟିଂ କରିଥିଲେ। ଏହାପରେ ଏହି ଭିଡିଓଟି ଭାଇରାଲ ହୋଇଥିଲା।

Comment