ଓଡ଼ିଶାଲାଇଭ୍ ବ୍ୟୁରୋ

- ଚିଦାମ୍ବରମ୍ଙ୍କୁ ପୁଣି ଝଟ୍କା
- ସିବିଆଇ କୋର୍ଟରେ ଜାମିନ ଆବେଦନ ଖାରଜ
- ୨୬ ଯାଏଁ ସିବିଆଇ ହେପାଜତରେ ରହିବେ ଚିଦାମ୍ବରମ୍
- ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବ ସିବିଆଇ
- ଚିଦାମ୍ବରମ୍ଙ୍କୁ ପ୍ରତିଦିନ ଭେଟି ପାରିବେ ଓକିଲ ଏବଂ ପରିବାର ସଦସ୍ୟ
ପି ଚିଦାମ୍ବରମ୍ଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ସିବିଆଇ। ସିବିଆଇ ସ୍ୱତନ୍ତ୍ର କୋର୍ଟ ଏହି ଅନୁମତି ଦେଇଛନ୍ତି। ୨୬ ତାରିଖ ଯାଏଁ ଚିଦାମ୍ବରମ୍ ସିବିଆଇ ହେପାଜତରେ ରହିବେ।
ରିମାଣ୍ଡ ବେଳେ ସିବିଆଇ ଚିଦାମ୍ବରମ୍ଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବ। ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସହ ସାମ୍ନାସାମ୍ନି କରି ବହୁ ତଥ୍ୟ ହାସଲ କରିବା ପାଇଁ ସିବିଆଇ ଉଦ୍ୟମ କରିବ।
ରିମାଣ୍ଡ ସମୟରେ ପି ଚିଦାମ୍ବରମ୍ଙ୍କୁ ତାଙ୍କ ଓକିଲ ଏବଂ ପରିବାର ସଦସ୍ୟ ଦିନକୁ ୩୦ ମିନିଟ୍ ଦେଖା କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି।
ଆଇଏନ୍ଏକ୍ସ ମିଡିଆ ମାମଲାରେ ପି ଚିଦାମ୍ବରମଙ୍କୁ ବୁଧବାର ସନ୍ଧ୍ୟାରେ ଗିରଫ କରିଥିଲା ସିବିଆଇ। ବୁଧବାର ପୂର୍ବାହ୍ଣରେ ସିବିଆଇ ଅଧିକାରୀ ଚିଦାମ୍ବରମ୍ଙ୍କୁ ଜେରା କରିଥିଲେ। ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।
ଚିଦାମ୍ବରମ୍ଙ୍କୁ କାହିଁକି ଜାମିନ ମିଳିବନି ବୋଲି କୋର୍ଟରେ ମନୁ ସିଂଘବୀ ଏବଂ କପିଲ ସିବଲ ପ୍ରଶ୍ନ କରିଥିଲେ। ଚିଦାମ୍ବରମ୍ଙ୍କୁ ଜାମିନ ଦେବା ପାଇଁ ଯୁକ୍ତି ବାଢ଼ିଥିଲେ। ହେଲେ ସିବିଆଇ ପାଲଟା ଯୁକ୍ତି କରିଥିଲା। ଜେରା ବେଳେ ଚିଦାମ୍ବରମ୍ ସନ୍ତୋଷଜନକ ଉତ୍ତର ଦେଇ ନଥିବାରୁ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା।
ଶେଷରେ ଚିଦାମ୍ବରମ୍ଙ୍କ ଜାମିନ ଆବେଦନ ଖାରଜ ହୋଇଛି। ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇକୁ ଅନୁମତି ମିଳିଛି।


















