ଓଡ଼ିଶାଲାଇଭ୍ ବ୍ୟୁରୋ

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ରାଗିଂ ଘଟଣା ଏବେ ବି ଥମିବାର ନା ଧରୁନି। ଓ୍ୱେଲ୍‌କମ୍‌ ଆଳରେ ସିନିଅର ଦେଖାଇଥିଲେ ଅସଲ ରୂପ। ଜୁନିଅରମାନଙ୍କୁ ଚଡ଼ି ପିନ୍ଧାଇ ନାଚିବାକୁ କହିଥିଲେ ସିନିଅର। ଯାହାର ଏକ ଭିଡିଓ ମଧ୍ୟ କରାଯାଇଥିଲା। ଘଟଣାଟିକୁ ଦେଖିଲେ ଲାଗିବ ବଲିଉଡ ଫିଲ୍ମ ୩ ଇଡିୟଟ୍ ଭଳି। ୩ ଇଡିୟଟ୍‌ରେ ଯେମିତି ହଷ୍ଟେଲ୍‌ରେ ସିନିଅର ଛାତ୍ରମାନେ ଜୁନିଅରମାନଙ୍କ ଡ୍ରେସ୍‌ ଖୋଲି ତାଙ୍କୁ ଚଡ଼ି ପିନ୍ଧି ରହିବାକୁ କହିଥିଲେ, ସେହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଏହି ଭିସୁଟ୍‌ର ରାଗିଂ ଭିଡିଓରେ।

ଭିଏସ୍‌ଏସ୍‌ୟୁଟି ହେଉଛି ରାଜ୍ୟର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ। ପ୍ରଥମ ବର୍ଷର ଛାତ୍ରମାନଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ହଷ୍ଟେଲରେ ରଖିଥାନ୍ତି। ଦ୍ୱିତୀୟ ବର୍ଷରେ ପାଦ ଦେବା ପରେ ଏମାନଙ୍କୁ କମନ ହଷ୍ଟେଲକୁ ସ୍ଥାନାନ୍ତର କରାଯାଏ।

କ’ଣ ଥିଲା ସେହି ଦିନର ଘଟଣା?

ଭିଏସ୍‌ଏସ୍‌ୟୁଟିରେ ପ୍ରଥମ ବର୍ଷର ଛାତ୍ରମାନଙ୍କୁ ଏକ ସ୍ୱତନ୍ତ୍ର ହଷ୍ଟେଲରେ ରଖାଯାଏ। ସିନିଅରମାନଙ୍କୁ କମନ୍‌ ହଷ୍ଟେଲ୍‌ରେ ରଖାଯାଏ।

କାରଣ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଡର ଥାଏ କି, ଯଦି ପ୍ରଥମ ବର୍ଷ ପିଲାମାନଙ୍କୁ ସିଧାସଳଖ ସିନିୟରମାନଙ୍କ ସହ ରହିବାକୁ ଛାଡ଼ିଦେବେ , ତେବେ ସେମାନେ ରାଗିଂର ଶିକାର ହୋଇପାରନ୍ତି। ଏଥିପାଇଁ ପ୍ରଥମବର୍ଷ ଛାତ୍ର ଦ୍ୱିତୀୟ ବର୍ଷରେ ପାଦ ଦେବା ପରେ ତାଙ୍କୁ କମନ୍‌ ହଷ୍ଟେଲ୍‌ରେ ରହିବାକୁ ଛାଡ଼ନ୍ତି। ସେହିଭଳି ଏହି ଛାତ୍ରଛାତ୍ରୀ ମଧ୍ୟ କମନ୍‌ ହଷ୍ଟେଲ୍‌ରେ ରହିଥିଲେ।

ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କ ପାଇଁ ସିନିଅରମାନେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରିଥିଲେ। ହଷ୍ଟେଲ ପରିସରରେ ଷ୍ଟେଜ୍‌ ବାନ୍ଧିଥିଲେ। ସାଧାରଣତଃ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ହେଉଛି ନାଚ ଗୀତ ମସ୍ତି। କିନ୍ତୁ ଏଠି ଥିଲା ଓଲଟା। ନାଚ, ଗୀତ ହେଲା। ନାଚ ଗୀତ ପରେ ସିନିଅରମାନେ ଜୁନିଅରମାନଙ୍କ ଉପରେ ସେମାନଙ୍କ ସିନିଅରିଟି ଜାହିର କରିଥିଲେ। ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି କି ସିନିୟରମାନେ କିଭଳି ଭାବେ ତାଙ୍କ ବର୍ବରତା ଦେଖାଇଥିଲେ।

ସିନିଅରଙ୍କ ସିନିଅରିଟି

ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ, ପ୍ରଥମେ ଛାତ୍ରମାନଙ୍କୁ କାନ ଧରି ନାଚିବାକୁ କୁହାଯାଇଥିଲା। ଛାତ୍ରମାନେ ଦୁଇ ହାତରେ ଦୁଇଟି କାନ ଧରି ନାଚୁଛନ୍ତି। ଏହାସହ କାନ ଧରି ବସ୍‌ ଉଠ୍ ମଧ୍ୟ ହେଉଥିଲେ।

ଆଉ ଏକ ଚିତ୍ରରେ ଦେଖିଲେ ଲାଗୁଛି ଯେ, ଜୁନିଅରମାନଙ୍କୁ ସାର୍ଟ ପ୍ୟାଣ୍ଟ ଖୋଲିବାକୁ ବାଧ୍ୟ କରାଯାଇଛି। ଜୁନିଅରଙ୍କୁ ଚଡ଼ି ପିନ୍ଧିବାକୁ ବାଧ୍ୟ କରାଯାଇ ତାଙ୍କୁ ନାଚିବାକୁ କୁହାଯାଇଥିଲା। ଭୟରେ ଜୁନିଅରମାନେ ଚଡ଼ି ପିନ୍ଧି ସିନିଅରମାନଙ୍କ ଆଗରେ ନାଚିଥିଲେ।

ଆଉ ଏକ ଚିତ୍ରରୁ ଲାଗୁଛି ଯେ, ଜୁନିଅରମାନଙ୍କ ସିଡ଼ିରେ ଦୌଡ଼ାଇଛନ୍ତି ସିନିଅର। ସିଡ଼ିରେ ଗୋଟିଏ ପରେ ଗୋଟିଏ ଜୁନିଅରଙ୍କୁ ଦୌଡ଼ାଇଥିବା ବେଳେ, ଆଉ ଜଣେ ସିନିଅର ଗୋଟେ ପରେ ଗୋଟେ ଜୁନିଅର ଛାତ୍ରଙ୍କ ପିଠିକୁ ମାଡ଼ ମାରୁଛନ୍ତି। ଏହାସହ କିଛି ଛାତ୍ରଙ୍କର ସାର୍ଟ ଚିରିବା ଦେଖିବାକୁ ମିଳିଛି।

ସିନିଅରମାନେ ଜୁନିଅରଙ୍କୁ ଅଶ୍ଲୀଳ ଅଙ୍ଗଭଙ୍ଗୀ ପ୍ରଦର୍ଶନ ସହ ଷ୍ଟେଜ୍ ଉପରେ ଖାଲି ଦେହରେ ନାଚିବାକୁ ବାଧ୍ୟ କରିଥିଲେ।

ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଏଭଳି କାଣ୍ଡ ଘଟୁଥିଲେ ମଧ୍ୟ କେହି ପ୍ରତିବାଦ କରି ନଥିଲେ। ତେବେ ୧୦୦ରୁ ଅଧିକ ଛାତ୍ର ଏହି କାଣ୍ଡ ଘଟାଉଥିଲେ କ’ଣ କେହି ଦେଖିପାରିଲେ ନାହିଁ। ହଷ୍ଟେଲ କର୍ତ୍ତୃପକ୍ଷ କ’ଣ କରୁଥିଲେ। କ’ଣ ହଷ୍ଟେଲରେ ଓ୍ୱାର୍ଡେନ ନଥିଲେ। ଏତେ ପିଲାମାନେ ମିଶି ହୋହାଲ୍ଲା ହେଉଥିଲେ କ’ଣ କାହାକୁ ଶୁଣାଗଲାନି। ରାଗିଂକୁ କାହିଁକି ଅଟକାଇଲେନି ହଷ୍ଟେଲ କର୍ତ୍ତୃପକ୍ଷ। ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ତେବେ ଭିଡିଓ ଭାଇରାଲ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଲା।

ତଦନ୍ତ ପରେ ଜଣାପଡ଼ିଲା ଯେ ସିନିଅର ଛାତ୍ରମାନେ ସିସିଟିଭି ଉପରେ ଗାମୁଛା ପକାଇ ଏଭଳି କାଣ୍ଡ କରିଥିଲେ।

ରାଗିଂ କରିଥିବା ସିନିଅର ଛାତ୍ରଙ୍କୁ ଦଣ୍ଡ

ଏବେ ଏହି କାରନାମା ସିନିଅରମାନଙ୍କ ପାଇଁ ମହଙ୍ଗା ପଡ଼ିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ପରୀକ୍ଷାରୁ ବାଦ୍‌ ଦିଆଯାଇଥିବା ବେଳେ ୫୨ ଜଣ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କହିଛନ୍ତି।

ସେମାନେ ସ୍ୱେଚ୍ଛାକୃତ ଭାବେ ନିଜର ଦୋଷ ସ୍ୱୀକାର କରିନେଇଥିବାରୁ ତାଙ୍କ ବିରୁଦ୍ଧରେ ସେଭଳି କୌଣସି ନିଷ୍ପତି ନିଆଯାଇନାହିଁ।

ସିସିଟିଭିରେ ଗାମୁଛା ପକାଇ ଚାଲିଲା ରାଗିଂ

ଭିଏସ୍‌ଏସ୍‌ୟୁଟିରେ ହୋଇଥିବା ରାଗିଂର କୌଣସି ଭିଜିଆଲ ସିସିଟିଭିରେ ଉତ୍ତୋଳନ ହୋଇ ନଥିଲା। ଭାଇରାଲ ହୋଇଥିବା ଭିଡିଓଟି କେହି ଜଣେ ନିଜ ମୋବାଇଲରେ ଉତ୍ତୋଳନ କରିଥିଲେ। ଭିଡିଓ ପରେ ତଦନ୍ତରୁ ଜଣାପଡ଼ିଥିଲା ଯେ, ସିନିଅରମାନେ ସିସିଟିଭି କ୍ୟାମେରାରେ ଗାମୁଛା ପକାଇ ରାଗିଂ କରିଥିଲେ।

୪ ଶିକ୍ଷକ ନିଲମ୍ବିତ

ଗତ ୧୦ ତାରିଖରେ ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ୍‌ ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ମୁତାବକ, କୁଳପତି ଅଟଳ ଚୌଧୁରୀ ଶିକ୍ଷକ ସଂଘର ଉପସଭାପତି ଓ ସମ୍ପାଦକଙ୍କୁ ନିଲମ୍ବନ କରିଥିବା ବେଳେ ବାକି ୧୫ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଏହି ନୋଟିସ୍‌ରେ ୧୫ ଜଣଙ୍କୁ ୧୫ ଦିନ ମଧ୍ୟରେ ନିଜ ପକ୍ଷ ରଖିବାକୁ କୁହାଯାଇଥିଲା। କିନ୍ତୁ ୪ ଜଣଙ୍କର ଉତ୍ତର ସନ୍ତୋଷଜନକ ନଥିବାରୁ ସେମାନଙ୍କୁ ଭିସୁଟ୍‌ର କୁଳପତି ନିଲମ୍ବନ କରିଛନ୍ତି।

ନିଲମ୍ବିତ ଶିକ୍ଷକମାନେ ହେଲେ କମ୍ପ୍ୟୁଟର ସାଇନ୍ସ ବିଭାଗର ସନ୍ତୋଷ ମାଝି, ପ୍ରଡକ୍ସନ ବିଭାଗର ପ୍ରଫେସର୍‌ ପିକେ ପ୍ରଧାନ, ସିଭିଲ୍‌ ବିଭାଗର ପ୍ରଫେସର୍‌ ଡି ଧୁପାଲ ଓ କମ୍ପ୍ୟୁଟର୍‌ ଆପ୍ଲିକେସନ୍‌ ବିଭାଗର ସୁଶ୍ମୀତା ପାଢ଼ୀ।

୨ ସୁରକ୍ଷାକର୍ମୀ ବହିଷ୍କୃତ

ଘଟଣାଦିନ ସନ୍ଧ୍ୟାରେ ଛାତ୍ରାବାସରେ ଦୁଇ କର୍ମଚାରୀ ଉପସ୍ଥିତ ଥିଲେ। ସେ ଦୁଇ କର୍ମଚାରୀଙ୍କ ଉପସ୍ଥିତିରେ ଏଭଳି କାଣ୍ତ ଘଟିଥିଲା। ତଦନ୍ତରେ ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ ଉକ୍ତ ଦୁଇ କର୍ମଚାରୀଙ୍କୁ ବହିଷ୍କାର କରାଯାଇଥିଲା। ଏହାସହ ବିଶ୍ୱବିଦ୍ୟାଳୟର ସୁରକ୍ଷା ଦାୟିତ୍ଵ ନେଇଥିବା ରିଲାଏବଲ ସିକ୍ୟୁରିଟି ସଂସ୍ଥାକୁ ମଧ୍ୟ ଏନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

Comment