ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡ଼ା ବ୍ଲକ ନାଗାବଳୀ ନଦୀର ଗୋଟିଏ କୋଣରେ ରହିଛି ଅମଳାଭଟ୍ଟା ଗାଁ। ଏଠାରେ ବସବାସ କରୁଥିବା ଶହେ କୁମ୍ଭକାର ପରିବାର ଗାଁର ଟେକକୁ ଯୁଗଯୁଗ ଧରି ବଜାଇ ରଖିଛନ୍ତି। ଆଧୁନିକତାର ଛାପ ଏବଂ ଯନ୍ତ୍ରପାତିର ଯୁଗରେ ପେଟପାଟଣାକୁ ନେଇ ଅନେକ ସମସ୍ୟା ଭିତର ଦେଇ ଗତି କରିଛନ୍ତି ସତ। କିନ୍ତୁ ମାଟିରେ ମାଟିହୋଇ ନିଜକୁ ବତ୍ତର୍ମାନ ରାଜ୍ୟ ଏବଂ ରାଜ୍ୟ ବାହାରେ ପ୍ରତିଷ୍ଠିତ କରିପାରିଛନ୍ତି।  ଜଣେ କି ଦୁଇ ଜଣ ନୁହେଁ ପୂରା ଗାଁ ଲୋକ ଏହି କୁମ୍ଭାକାର କାମ କରି ଗୁଜୁରାଣ ମେଣ୍ଟାନ୍ତି।

୧୦୦ ପାରିବାରକୁ ନେଇ ଗଢ଼ିଉଠିଥିବା ଏହି ଗାଁ ପ୍ରାୟ ୨୦୦ବର୍ଷ ପୁରୁଣା । ଏହି ନଦୀ କୂଳିଆ ମାଟିରୁ ପ୍ରସ୍ତୁତ କଳାକୃତି ଓ ଏହାର ସମ୍ପାଦନା ଉନ୍ନତମାନର ହୋଇଥାଏ। କାରିଗରର ତୁଳୀର ସ୍ପର୍ଶରେ ଏଠି ମାଟି ମୂର୍ତ୍ତୀ ଜୀବନ୍ତ ହୋଇଉଠେ। ସେଥିପାଇଁ ଗଣେଶ ପୂଜା ବା ବିଶ୍ୱକର୍ମା। ସବୁ ପର୍ବରେ ଏଠାରେ ଗ୍ରାହକଙ୍କ ଭିଡ଼ ଜମିଥାଏ। ପ୍ରତ୍ୟେକ ପରିବାରର ସଦସ୍ୟ ମାଟି ମୂର୍ତ୍ତି ନିର୍ମାଣରେ ଲାଗି ପଡ଼ନ୍ତି। ଆଗକୁ ଗଣେଷ ଚତୁର୍ଥୀ ରହିଥିବାରୁ ଏହି ଗାଁରେ ଗ୍ରାହକଙ୍କ ଭିଡ଼ ଜମୁଛି।

ଗ୍ରାହକଙ୍କ ଆଦେଶ ଅନୁଯାୟୀ ମନପସନ୍ଦର ମୂର୍ତ୍ତି ମିଳୁଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ଲୋକେ ଏହି ଗାଁ କୁ ମୂର୍ତ୍ତି କିଣିବାକୁ ଆସିଥାନ୍ତି। ଭଳିକି ଭଳି ମୂର୍ତ୍ତୀ ତିଆରି ହେଉଥିବାରୁ ରାଜ୍ୟ ଓ ବିଭିନ୍ନ ଜିଲ୍ଲା ସମେତ ପୋଡ଼ଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରୁ ଲୋକେ ଆସି ମୂର୍ତ୍ତି ନେଇଥାନ୍ତି।

ଗାଁରେ କୁମ୍ଭାରଶାଳ ନଥିବା ଯୋଗୁଁ କାରିଗରମାନେ ନିଜ ନିଜ ଘରେ ଏହି ମାଟି ମୂର୍ତ୍ତି ନିର୍ମାଣ କରିଥାନ୍ତି। ୧୦ଇଞ୍ଚରୁ ଆରମ୍ଭକରି ୨୫ଫୁଟ ଉଚ୍ଚର ମୂର୍ତ୍ତି ଏଠାରେ ତିଆରି କରାଯାଏ।

ଆନ୍ଧ୍ରପ୍ରଦେଶର ବିଜୟୱାଡା ଓ ହାଇଦ୍ରାବାଦର କିଛି ପୂଜାମଣ୍ଡପକୁ ଏଠାକାର କାରିଗର ଯାଇ କିସମ କିସମର ମୂର୍ତ୍ତି ନିର୍ମାଣକରି ନାମ ଅର୍ଜନ କରିଛନ୍ତି।

Comment