ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଅଗଷ୍ଟ ମାସରେ ଅଶୋକ ଲେ-ଲ୍ୟାଣ୍ଡ୍ ଓ ଟିଭିଏସ୍ ମୋଟର କମ୍ପାନିର ବିକ୍ରିରେ ସର୍ବାଧିକ ପତନ

ଦିନକୁ ଦିନ ଅଟୋମୋବାଇଲ୍ କମ୍ପାନି ଦୁର୍ବଳ ହେବାରେ ଲାଗିଛି। କେବଳ ବ୍ୟାବସାୟିକ ଯାନ ନୁହେଁ ଦୁଇ ଚକିଆ ଯାନ ବିକ୍ରି କ୍ଷେତ୍ରରେ ମଧ୍ୟ ଏହା ପ୍ରତିଫଳିତ ହୋଇଛି। ଅଟୋମୋବାଇଲ୍ କମ୍ପାନି ବିକ୍ରିରେ ପତନ ଥମିବାର କୌଣସି ସମ୍ଭାବନା ଦିଶୁନାହିଁ। ଅଗଷ୍ଟ ମାସର ବିକ୍ରି ପ୍ରତିଶତକୁ ଦୃଷ୍ଟି ଦେଲେ ଅଶୋକ ଲେ-ଲ୍ୟାଣ୍ଡ୍ ଓ ଟିଭିଏସ୍ ମୋଟର କମ୍ପାନିର ବିକ୍ରିରେ ସର୍ବାଧିକ ପତନ ହୋଇଥିବା ନଜରକୁ ଆସିଛି।

ଟିଭିଏସର ମୋଟର ବିକ୍ରି ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ଚଳିତବର୍ଷ ଅଗଷ୍ଟ ମାସରେ ମୋଟ ୨୯୦, ୪୫୫ ୟୁନିଟ୍ ବିକ୍ରି ହୋଇଥିବା ବେଳେ ଗତବର୍ଷ ଅଗଷ୍ଟ ମାସରେ ୩୪୩, ୨୧୭ ୟୁନିଟ୍ ବିକ୍ରି ହୋଇଥିଲା। ଏକ ବର୍ଷ ମଧ୍ୟରେ ଟିଭିଏସ କମ୍ପାନିର ବିକ୍ରିରେ ୧୮ ପ୍ରତିଶତ ହ୍ରାସ ନିଶ୍ଚୟ ରୂପେ ଚିନ୍ତାର ବିଷୟ। ଏହା ସହିତ ଘରୋଇ ଦୁଇଚକିଆ ଯାନର ରେଜିଷ୍ଟ୍ରର ବିକ୍ରି ୨୧୯, ୫୨୮ ୟୁନିଟ୍ ହୋଇଥିବା ବେଳେ ଏହା କ୍ରମଶଃ ହ୍ରାସ ପାଇବାରେ ଲାଗିଛି।

ଦେଶର ଦ୍ୱିତୀୟ ସର୍ବବୃହତ ବାଣିଜ୍ୟିକ ଯାନ ନିର୍ମାଣ କାରଖାନା ଅଶୋକ ଲେ-ଲ୍ୟାଣ୍ଡ୍ର ମୋଟ ଘରୋଇ ଟ୍ରକ୍ ବିକ୍ରିରେ ୫୦ ପ୍ରତିଶତ ହ୍ରାସ ଘଟିଛି। ଗତବର୍ଷ ମୋଟ ଯାନବାହାନ ବିକ୍ରି ୧୬,୬୨୮ ୟୁନିଟ୍ ଥିବା ବେଳେ ଚଳିତ ବର୍ଷ ଅଗଷ୍ଟରେ ତାହା ୮,୨୯୬ ୟୁନିଟ୍‌କୁ ଖସିଆସିଛି।

ଅଟୋମୋବାଇଲ୍ କମ୍ପାନିର ମନ୍ଥରତାକୁ ଦୃଷ୍ଟିରେ ରଖି ସରକାର ନୂଆ ନୀତି ପ୍ରଣୟନ କରିଥିବା ସତ୍ତ୍ୱେ ଏହାର କୌଣସି ସକରାତ୍ମକ ପ୍ରଭାବ ଏପର୍ଯ୍ୟନ୍ତ ଦେଖାଦେଇନାହିଁ। ଜିଏସଟିରେ ବାରମ୍ବାର ହେଉଥିବା ପରିବର୍ତ୍ତନ ଏବଂ ଅନିଶ୍ଚିତତା ଗ୍ରାହକମାନଙ୍କ ମଧ୍ୟରେ କ୍ରୟ କରିବାର ଉତ୍ସାହ କମାଇ ଦେଇଛି। ଯାହାଫଳରେ କମ୍ପାନିଗୁଡ଼ିକର ବିକ୍ରି ବହୁ ପରିମାଣରେ ବାଧାପ୍ରାପ୍ତ ହୋଇଛି ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଦଶହରା ଓ ଦୀପାବଳି ଅବସରରେ ବଜାରରେ ବିଶେଷ ପରିବର୍ତ୍ତନ ଆଶା କରାଯାଉନାହିଁ।

Comment