ଓଡ଼ିଶାଲାଇଭ ବ୍ୟୁରୋ

ବିଦ୍ୟୁତ ଚୋରି ରୋକିବାକୁ ଅଣ୍ଟା ଭିଡ଼ିଲା ସେସୁ। ଏଣିକି ବିଦ୍ୟୁତ ଚୋରି ସଂକ୍ରାନ୍ତରେ ସୂଚନା ଦେଲେ ଖବରଦାତାଙ୍କୁ ସେସୁ କର୍ତ୍ତୃପକ୍ଷ ତରଫରୁ ନାମ ଗୋପନ ରଖି ପୁରସ୍କାର ଦିଆଯିବ। ଏପରିକି ଜରିମାନା ଆଦାୟର ୧୦ ପ୍ରତିଶତ ଅର୍ଥ ଖବରଦାତାଙ୍କୁ ଦିଆଯିବ। ଏନେଇ ଆଜି ଏକ ବୈଠକରେ ସୂଚନା ଦେଇଛନ୍ତି ସେସୁର ସିଇଓ ଅରୁଣ ବୋଥ୍ରା।

ଆସନ୍ତା ୩ରୁ ୪ ମାସ ଭିତରେ ସେସୁ ଅଞ୍ଚଳ ଗୁଡ଼ିକରେ ଚଢ଼ାଉ କରି ନିୟମ କଡ଼ାକଡ଼ି କରାଯିବ। ଏସଏଚଜି ମହିଳାଙ୍କୁ ବିଦ୍ୟୁତ ବିଲ ଓ ମିଟର ରିଡିଂ କରିବାକୁ ସୁଯୋଗ ଦିଆଯିବ। ସେହିଭଳି ଗାଁମାନଙ୍କରେ ସେସୁର ନେଟଓ୍ଵାର୍କ ବଢ଼ାଇବାକୁ ଉଦ୍ୟମ କରାଯାଉଛି। ଏହାସହ ସୋସିଆଲ ମିଡିଆରେ ହେଉଥିବା ଅଭିଯୋଗକୁ ମଧ୍ୟ ଗୁରୁତ୍ଵ ଦିଆଯିବ।

ଏହା ପୂର୍ବରୁ ରାଜ୍ୟ ସରକାର ଦ୍ଵାରା ବିଦ୍ୟୁତ ଚୋରି ରୋକିବାକୁ ସ୍ମାର୍ଟ ମିଟର ଲଗାଇବାକୁ ଯୋଜନା କରାଯାଇଛି। ଏହି ଯୋଜନା ପ୍ରଥମ ପର୍ଯ୍ୟାୟରେ ରାଉରକେଲା ଓ ସମ୍ଵଲପୁରରେ କାର୍ଯ୍ୟକାରୀ ହେବ।

Comment