ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଆ ଓ ଓଡ଼ିଶା(୧୩)

ଆଗରୁ କହିଥାଇଁ ଯେ’ ଓଡ଼ିଶାରେ କୃଷି ଦୃଷ୍ଟିରୁ ପ୍ରଜନନରୁ ସୃଷ୍ଟିର ଉତ୍ପତ୍ତି ବୋଲି ପ୍ରାଚୀନ ଧାରଣା ରହିଆସିଅଛି। ସଂସାରର ଆଦି ମୂଳ ପୁରୁଷ ନୁହେଁ ସ୍ତ୍ରୀ, ସଂସାରର ଜନ୍ମ ମାତାର ଗର୍ଭରୁ। ଏ’ ମା’ ହେଉଛି ଭୂମି, ବସୁନ୍ଧରା। ବୈଦିକ ଧାରଣାରେ ଆକାଶ ବା ପୁରୁଷ ଭୂମିଠାରୁ ଆଗରୁ ଉତ୍ପନ୍ନ ବୋଲି ଦାର୍ଶନିକମାନେ ମତ ଦେଲେ। କିନ୍ତୁ ଓଡ଼ିଆ ଦର୍ଶନ ସାକାର, ସବୁ କାର୍ଯ୍ୟ ପଛରେ କିଛି ଗୋଟିଏ ଶକ୍ତି ଅଛି।

‘‘ଶକ୍ତି’’ ଶବ୍ଦର ପ୍ରଚଳନ କିପରି ବା କେବେଠୁଁ ହୋଇଛି, ତା ଆମେ କହିପାରିବା ନାହିଁ। କିନ୍ତୁ ଶକ୍ତିର ପ୍ରୟୋଜନ ମନୁଷ୍ୟ ପକ୍ଷରେ ଆବଶ୍ୟକ ବୋଲି ମଣିଷ ବହୁ ଆଗରୁ ଆବିଷ୍କାର କରିଥିବାର ଅନୁମାନ ହୁଏ। ସବୁ କାମକୁ ଆଗରୁ ମାପିହୁଏ ନାହିଁ, ମଣିଷର ଦୈନନ୍ଦିନ ଜୀବନଯାପନରେ ଅନେକ କାର୍ଯ୍ୟ ଆସେ, ଯାହା ମଣିଷର ଆୟତ୍ତରେ ନଥାଏ। ଯେ’ କୈଣସି ଦୁର୍ଦ୍ଦିନରୁ ରକ୍ଷା ପାଇବା ନିମନ୍ତେ ବା ଯେ’କୌଣସି ଦୁରୂହ କାର୍ଯ୍ୟ ସାଧନ କରିବା ନିମନ୍ତେ ଆମର ଶକ୍ତିର ଆବଶ୍ୟକତା ହୁଏ।

ନିଷ୍ଠା, ଶ୍ରଦ୍ଧା ଓ ଭକ୍ତି ଫଳରେ ଆମ ଭିତରେ ଶକ୍ତିର ଜାଗରଣ ହୁଏ। ଏ ଶକ୍ତି ଆସେ କେଉଁଠୁଁ ? ନିଜର ମନକୁ ଆୟତ୍ତ କରିପାରି ଏକାଗ୍ର କରିପାରିଲେ ଶକ୍ତିର ଉତ୍ପତ୍ତି ହେଲା ପରି ଅନୁଭବ କରାଯାଏ। ଏହି ଏକାଗ୍ର ଶକ୍ତିକୁ ଶାସ୍ତ୍ରରେ ଆମେ ‘‘ବୁଦ୍ଧି’’ ବୋଲି କହିଥାଉ। ଏ ବୁଦ୍ଧିର ସୃଷ୍ଟି ହେଉଛି ମାତୃଶକ୍ତି। ସଂସାରର ପ୍ରାଣ ଧାରଣର ଶକ୍ତି ହେଉଛି ମାତାର ସୃଷ୍ଟିକୁ ଅବଦାନ। ପ୍ରାଣ ଧାରଣ ଲାଗି ବଳ ଲୋଡ଼ା, କୌଶଳ ଲୋଡ଼ା, ଏବଂ ବୁଦ୍ଧି ଲୋଡ଼ା। ମାତୃ ଶକ୍ତି ମଣିଷ ଭିତରେ ବୁଦ୍ଧି ଭାବରେ ରୂପ ନିଏ। କେବଳ ବୁଦ୍ଧିରେ କାର୍ଯ୍ୟ ସାଧନ ହୁଏ ନାହିଁ, ବୁଦ୍ଧିର ସଂଯୋଗ ଆବଶ୍ୟକ। ଏ ସଂଯୋଗ ମଣିଷର ଗୁଣଗତ। ଗୁଣ ମନୁଷ୍ୟର ଜନ୍ମଗତ, ମନୁଷ୍ୟର ପ୍ରକୃତି ସହ ଜଡ଼ିତ। ସବୁ ମଣିଷର ଗୁଣ କିଛି ପରିମାଣରେ ଅଲଗା। ଆପଣା ଭେକ, ପରିପାଟୀ, ସଂସାର ଉପରେ ଦୃଷ୍ଟି, କାମ କରିବା ଶୈଳୀ ଓ ଜୀବନ ଯାପନ ପ୍ରଣାଳୀ – ସବୁ ଆମର ଗୁଣ ଉପରେ ନିର୍ଭର କରେ। ମଣିଷର ଭାବନା, ଉଦ୍ୟମ ଓ କାର୍ଯ୍ୟ ମଣିଷର ଗୁଣ ଗତ।

ସୃଷ୍ଟିର ପ୍ରତ୍ୟେକ ଜୀବର ସ୍ଥାନ ଅଛି, ସେପରି ବିଶ୍ଵରେ ପ୍ରତ୍ୟେକ ଗୁଣର ବିଶେଷତ୍ଵ ଅଛି। କୌଣସି ଗୁଣ ଅନ୍ୟ ଗୁଣଠାରୁ କମ୍‌ ନୁହେଁ। ତେବେ ଗୁଣର ପ୍ରୟୋଗ ଅନୁସାରେ ଜୀବର ଲାଭ କ୍ଷତି ହୋଇପାରେ। ସାପର ଗରଳ ବିଷ ହୋଇ ମାରାତ୍ମକ ହେବା ସମୟରେ କୌଣସି ଦୁଷ୍କର ରୋଗର ବି ଔଷଧି ହୋଇପାରେ। ମଧୁ ମନୁଷ୍ୟକୁ ଆନନ୍ଦ ଦେଉଥିଲେ ହେଁ ନିଶା ଗ୍ରସ୍ତ ମଧ୍ୟ କରିଦେଇପାରେ । ପ୍ରକୃଷ୍ଟ ଗୁଣମାନଙ୍କର ସଂଯୋଗରେ ଲାଭ ହୁଏ, ଅସଂଯୋଗରେ କ୍ଷତି ହୁଏ।

ସଂସାରରେ ବସ୍ତୁର ଗୁଣକୁ ନିରୂପଣ କରି ତାକୁ ମନୁଷ୍ୟର ହିତରେ ଉପଯୋଗ କରିବାର ପଦ୍ଧତିକୁ ତନ୍ତ୍ର କୁହାଯାଏ। ଏହା ଯେ’ ସମ୍ଭବ, ତା’ ଓଡ଼ିଆର ପୂର୍ବପୁରୁଷମାନଙ୍କର ମତ। ତେବେ ବସ୍ତୁର ଗୁଣ ଆମେ କିପରି ନିର୍ଦ୍ଧାରଣ କରିବା? କ’ଣ କଲେ ସାପଠାରୁ ଗରଳ କାଢ଼ି ଔଷଧ ତିଆରି କରି ହେବ ? ଏ’ ହେଲା ତନ୍ତ୍ରର ଶୈଳୀ। ଶୈଳୀର ପ୍ରଣାଳୀ ଦୁରୂହ, ଏବଂ ପରିଣାମ ଭୟାବହ ହୋଇପାରେ। ସେହି ଭୟାବହତାରୁ ନିଷ୍କୃତି ଲାଗି ଆମକୁ ମାତୃଶକ୍ତିର ଆଶୀର୍ବାଦ ଲୋଡ଼ା। ଏହା ଫଳରେ ଓଡ଼ିଶା ଦେଶରେ ଯୋଗିନୀ ଶକ୍ତିର ଧାରଣା କରାଗଲା। ଦୁରୂହ କାର୍ଯ୍ୟରେ ଯୋଗିନୀ ହିଁ ବାଟ କଢ଼ାଇ ପାରେ। ଏ ପ୍ରକାରେ ଚଉଷଠି ଯୋଗିନୀର କଳ୍ପନା ଓ ଧାରଣା।

ତନ୍ତ୍ରଜ୍ଞାନ ହେଲା ବିଶ୍ଵାସ ଓ ସାଧନା। କାର୍ଯ୍ୟ ସାଧନରେ ପୂର୍ଣ୍ଣ ସଫଳତା ତନ୍ତ୍ରର ବିଶ୍ଵାସ ଏବଂ ପବିତ୍ର ଶୃଙ୍ଖଳିତ ଜୀବନ ଯାପନ କରି ସଫଳତା ପ୍ରାପ୍ତ କରିବା ତନ୍ତ୍ରର ସାଧନା। ମାତୃ ଶକ୍ତିରେ ଅସତ୍ୟ ନାହିଁ, ତେଣୁ ତନ୍ତ୍ର ଛଳନାକୁ ପ୍ରଶ୍ରୟ ଦିଏ ନାହିଁ। ଏକ ହଜାର ମସୀହାଠାରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ତନ୍ତ୍ରର ପ୍ରଚାର ଓ ପ୍ରସାର ହୋଇଥିଲା। ଐଶ୍ଵରିକ ଯୋଗକୁ ସ୍ଵାସ୍ଥ୍ୟଗତ ଆରୋଗ୍ୟରେ ରୂପାୟିତ କରିବା ଏହି ସମୟର ଅବଦାନ। ପ୍ରତ୍ୟେକ ମନୁଷ୍ୟ ବଳଶାଳୀ ଓ ଦୀର୍ଘାୟୁ ହୋଇ ସମୃଦ୍ଧି ସଂପନ୍ନ ହେବା ଓଡ଼ିଶାରେ ତନ୍ତ୍ର ସାଧନାର ଲକ୍ଷ୍ୟ। ତନ୍ତ୍ରର ମର୍ମ ହେଲା ଶୃଙ୍ଖଳା, ଅଭ୍ୟାସ ଓ ଅଭିପ୍ରାୟ। ଦେଶ ବିଦେଶରେ ନୌବ୍ୟାପାର ଓ ବିସ୍ତୃତ ମନ୍ଦିର ନିର୍ମାଣ ତନ୍ତ୍ରର ପରାକାଷ୍ଠା ବୋଲି ଗବେଷକମାନଙ୍କର ମତ।

କବି ଶାରଳା ଦାସ ଓ ମହାପୁରୁଷ ଅଚ୍ୟୁତା ନନ୍ଦ ଓଡ଼ିଶାର ତନ୍ତ୍ର ସାଧକମାନଙ୍କ ମଧ୍ୟରେ ଅନ୍ୟତମ। ଭବିଷ୍ୟ ଦର୍ଶନ, ଅଗାଧ ପାଣ୍ଡିତ୍ୟ, ଓ ତତ୍ତ୍ଵ ବିଶ୍ଳେଷଣ ତନ୍ତ୍ର ଶୃଙ୍ଖଳାର କରାମତି ବୋଲି ଉଭୟେ ଉଲ୍ଲେଖ କରିଛନ୍ତି। ବସ୍ତୁ ସଂଯୋଗରେ ନୂତନ ଶକ୍ତିର ସୃଷ୍ଟି ତନ୍ତ୍ର ଉପାସନାର ଲକ୍ଷଣ।

Comment