ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରଙ୍କ ଦ୍ୱାରା ନୂଆ ମୋଟର ଯାନ ଆଇନ୍ ଆଗତ ହେବା ପରେ ଟ୍ରାଫିକ୍ ପୋଲିସଙ୍କ ଜାଲରେ ଫସୁଛନ୍ତି ନିୟମ ଉଲ୍ଲଘଂନ କରୁଥିବା ଗାଡ଼ି ଚାଳକ। ଡ୍ରାଇଭିଙ୍ଗ୍ ଲାଇସେନ୍ସ, ପ୍ରଦୂଷଣ ପ୍ରମାଣପତ୍ର, କାଗଜପତ୍ର ସଠିକ୍ ନଥିଲେ, ହେଲମେଟ୍ ପିନ୍ଧି ନଥିଲେ ମୋଟା ଅଙ୍କର ଜରିମାନା ଭରିବାକୁ ପଡ଼ୁଛି। ବସ୍, ଟ୍ରକ୍, ବାଇକ୍ଠାରୁ ଆରମ୍ଭ କରି ଅଟୋ ପର୍ଯ୍ୟନ୍ତ ସମସ୍ତଙ୍କୁ ତଣ୍ଡ ଗଣିବାକୁ ପଡ଼ୁଛି। ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ସବୁଠି ହଇଚଇ ସୃଷ୍ଟି ହୋଇଛି।
କିଏ ତଣ୍ଡ ଗଣୁଛି ତ କିଏ ଗାଡ଼ି କାଗଜ ପତ୍ର ଅପ୍ଡେଟ୍ କରିବାକୁ ଲାଗି ପଡ଼ୁଛି। ଏଥିପାଇଁ ଆରଟିଓ ଅଫିସ୍ରେ ଜମୁଛି ଭିଡ଼। ସୋରିଷ ପକେଇବାକୁ ଜାଗା ବି ନାହିଁ ଆରଟିଓ ଅଫିସ୍ରେ। କେବଳ ଅଫିସ୍ରେ ନୁହେଁ ଅଫିସ୍ ବାହାରେ ବି ଲାଗିଛି ଲୋକଙ୍କ ଭିଡ଼।
ସଚେତନ ହୋଇପାରୁ ନଥିବା ଚାଳକ ଏବେ ଅଧିକ ଫାଇନ୍ ପାଇଁ ଚେତି ଯାଇଛନ୍ତି। ତେଣୁ ଏବେ ଆରଟିଓ ଦ୍ୱାର ମାଡ଼ୁଛନ୍ତି।
କେବଳ ଭୁବନେଶ୍ୱର ନୁହେଁ କଟକର ଆରଟିଓ ଅଫିସ୍ରେ ଭିଡ଼ ଦେଖିବାକୁ ମିଳିଛି। କିଏ ନୂଆ ଲାଇସେନ୍ସ କରିବା ପାଇଁ ଆସିଛି ତ କିଏ ପଞ୍ଜିକରଣ ତଥା ନବୀକରଣ କରିବା ପାଇଁ ବ୍ୟସ୍ତ। ଗାଡ଼ି ଚଳାଚଳ ବେଳେ ନିୟମ ଉଲ୍ଲଂଘନ ପରେ ଲାଗିଥିବା ମୋଟା ଅଙ୍କର ଫାଇନ୍ ପରେ ବଦଳି ଯାଇଛି ଆରଟିଓ ଅଫିସ୍ ଚିତ୍ର। ଘଣ୍ଟା ଘଣ୍ଟା ଛିଡ଼ା ହେବା ପରେ ଲୋକଙ୍କ ନମ୍ବର ଆସୁଛି। ବେଳେ ବେଳେ ନମ୍ବର ଆସିବା ପରେ ବି କାଉଣ୍ଟର ବନ୍ଦ ହୋଇଯାଉଛି।
ପୂର୍ବରୁ ଆରଟିଓରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ୧୫୦ରୁ ୧୬୦ ଆବେଦନପତ୍ର ଗ୍ରହଣ କରାଯାଉଥିଲା। କିନ୍ତୁ ଏବେ ଗହଳି ଦୃଷ୍ଟିରୁ ୨୦୦ ଆବେଦନପତ୍ର ଗ୍ରହଣ କରାଯାଉଛି।
ଅନ୍ୟ ସହରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଲାଇସେନ୍ସଠୁ ଆରମ୍ଭ କରି ଫିଟ୍ନେସ୍ ପାଇଁ ଲମ୍ବା ଲାଇନ୍।
ରାଜ୍ୟରେ ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରେ ଗାଡ଼ି ଚାଳକଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି।