ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ବାରବାଟୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଫାଓ ଲିଗରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ମ୍ୟାଚ ଖେଳୁଥିବା ବେଳେ ପଡିଆରେ ଟଳି ପଡିଛନ୍ତି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଟିମର ଖେଳାଳି ଅଜୟ କୁମାର ନାଏକ।

ହୃଦଘାତ କିମ୍ବା ବାତଜନିତ କାରଣ ପାଇଁ ଅଜୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ୪୭ବର୍ଷୀୟ ଅଜୟ ରାଜ୍ୟ ଫୁଟବଲରେ ଜଣେ ପରିଚିତ ଚେହେରା ଥିଲେ। ତାଙ୍କର ଏଭଳି ଅଭାବନୀୟ ମୃତ୍ୟୁକୁ ନେଇ ଓଡ଼ିଶା ଫୁଟବଲ୍ ଜଗତରେ ଶୋକର ଛାୟା ଖେଳିଯାଇଛି।

ଅଜୟ ଫାଓ ଲିଗ୍‌ରେ ଖେଳୁଥିବା ବହୁତ ପୁରୁଣା ଖେଳାଳି। ଆଜି ନିଜ ଦଳ ଏସ୍‌ବିଆଇ ପକ୍ଷରୁ ସେ ମ୍ୟାଚ ଖେଳିବାକୁ ଓହ୍ଲାଇଥିଲେ। ସାଇ ହଷ୍ଟେଲ୍ ସହ ମ୍ୟାଚ ଚାଲିଥିଲା। ୨୭ ମିନିଟରେ ଖେଳ ଚାଲୁଥିବା ବେଳେ ହଠାତ୍ ଇନଫିଲ୍ଡରେ ଥିବା ଅଜୟ ଥରିବାକୁ ଲାଗିଥିଲେ। ତେବେ ତାଙ୍କ ଉପରେ ଅନ୍ୟ ଖେଳାଳି ଏବଂ ଅଫିସିଆଲ୍ସଙ୍କ ନଜର ପଡିବା ବେଳକୁ ସେ ସେଠାରେ ପଡିଯାଇଥିଲେ।

ଉଭୟ ଦଳର ଖେଳାଳି ଏବଂ ମ୍ୟାଚ ପରିଚାଳନା କରୁଥିବା ଅଫିସିଆଲ୍ସ ତାଙ୍କ ପାଖକୁ ଦୌଡିଯାଇ ଅଜୟଙ୍କ ପାଦ ଓ ଛାତି ମାଲିସ୍ କରିବାକୁ ଲାଗିଥିଲେ। କିନ୍ତୁ ଅଜୟଙ୍କ ଚେତା ଫେରିନଥିଲା। ପରେ ତାଙ୍କୁ ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୧୯୭୨ ମସିହା ଏପ୍ରିଲ ୧୧ ତାରିଖରେ ଜନ୍ମ ହୋଇଥିବା ଅଜୟଙ୍କୁ ୪୭ବର୍ଷ ହୋଇଥିଲା। ସେ ଏସ୍‌ବିଆଇ ହାଇକୋର୍ଟ ମୁଖ୍ୟଶାଖାରେ କାର୍ଯ୍ୟରତ ଥିଲେ। କଟକରେ ଏସ୍‌ବିଆଇ କଲୋନୀରେ ସେ ରହୁଥିଲେ। ଅଜୟ ଓଡ଼ିଶା ପାଇଁ ୫ଥର ସନ୍ତୋଷ ଟ୍ରଫି ଟୁର୍ଣ୍ଣାମେଣ୍ଟ ଖେଳିବା ସହ ରାଇଜିଂଷ୍ଟୁଡେଣ୍ଟ ଦଳରେ ଖେଳି ସିକିମ୍‌ରେ ଗଭର୍ଣ୍ଣର ଗୋଲ୍ଡ କପ୍‌ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଥିଲେ। ଏଭଳି ଜଣେ ପ୍ରତିଭାବାନ୍ ଖେଳାଳିଙ୍କ ମୃତ୍ୟୁ ପରେ ତାଙ୍କ ପରିବାକୁ ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା(ଫାଓ) ତରଫରୁ ୧ ଲକ୍ଷ ଟଙ୍କା ଘୋଷଣା କରାଯାଇଛି।

Comment