ଓଡ଼ିଶାଲାଇଭ ବ୍ୟୁରୋ
ଜାଣନ୍ତୁ ଲ୍ୟାଣ୍ଡର ବିକ୍ରମ ଫେଲ ମାରିବା ସତ୍ତ୍ଵେ ଭାରତର ଚନ୍ଦ୍ର ଅଭିଯାନକୁ କିପରି ମିଳିଛି ସଫଳତା?
(ଭୁବନେଶ୍ଵରରୁ ନୀଳାମ୍ଵର ରଥ): ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରଯାନ-୨ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ଉଚ୍ଚତାକୁ ନେଇଯାଇଛି। ଯଦିଓ ଲ୍ୟାଣ୍ଡର ବିକ୍ରମ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିନାହିଁ, ତେବେ ଏହି ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ଭାରତର ଉଦ୍ୟମ ପାଣିରେ ପଡ଼ିବ ନାହିଁ। ଏ ପ୍ରସଙ୍ଗରେ ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ ଶିବନଙ୍କ କଥାକୁ ଏକ ସକରାତ୍ମକ ଦୃଷ୍ଟିରେ ଦେଖିବାକୁ ହେବ।
କୌଣସି କାରଣରୁ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିପାରିଲା ନାହିଁ। ତେବେ ଇସ୍ରୋ ପଠାଇଥିବା ଅର୍ବିଟର ଏବେ ଚନ୍ଦ୍ର ଚାରିପଟେ ଘୂରୁଛି। ଏହା ନିୟମିତ ଭାବେ ଆମକୁ ଯେତିକି ତଥ୍ୟ ଯୋଗାଇ ଦେବ, ଚନ୍ଦ୍ର ସଂପର୍କିତ ଗବେଷଣା କ୍ଷେତ୍ରରେ ତାହା ଭାରତୀୟ ମହାକାଶ ବିଜ୍ଞାନୀଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନିଟାରିୟମ୍ର ଉପନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ।
୯୦ରୁ ୯୫ ପ୍ରତିଶତ ସଫଳତା
ଶନିବାର ଦିନ ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ ଶିବନ ମିଡିଆକୁ କହିଥିଲେ ଯେ, ଚନ୍ଦ୍ରଯାନ ୨ ଅଭିଯାନରେ ୯୦ରୁ ୯୫ ପ୍ରତିଶତ ସଫଳତା ମିଳିଛି। ଯଦି ବିକ୍ରମ ଠିକ ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିଥାନ୍ତା ତାହାହେଲେ ଏହି ସଫଳତା ୧୦୦ ପ୍ରତିଶତ ହୋଇଥାନ୍ତା। ଲ୍ୟାଣ୍ଡର ବିକ୍ରମ ଦେହରୁ ହୋଭର ପ୍ରଜ୍ଞାନ ବାହାରି ଚନ୍ଦ୍ରପୃଷ୍ଠରେ ପ୍ରତି ଅଧ କିଲୋମିଟର ପର୍ଯ୍ୟନ୍ତ ବିଚରଣ କରିଥାନ୍ତା। ଫଳରେ ଚନ୍ଦ୍ରପୃଷ୍ଠ ସଂପର୍କରେ ଆମକୁ ସୂଚନା ମିଳିଥାନ୍ତା। ଏହା ଭାରତକୁ ମହାକାଶ ଗବେଷଣା କ୍ଷେତ୍ରରେ ଏକ ବିଶେଷ ଅନୁଭବ ଆଣିଦେଇଥାନ୍ତା। ତେବେ ବିକ୍ରମର ଏହି ଆକସ୍ମିକ ବିଫଳତାକୁ ଚନ୍ଦ୍ରଯାନ-୨ର ଅସଫଳତା ବୋଲି ବିଚାର କରିବା ଠିକ ହେବନାହିଁ। ରବିବାର ଦିନ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ନୀଳାମ୍ଵର ରଥଙ୍କ ସହ ଆଲୋଚନା ବେଳେ ଏକଥା କହିଛନ୍ତି ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ।
କାହିଁକି ଫେଲ ମାରିଲା ବିକ୍ରମ?
ଚନ୍ଦ୍ରଯାନ-୨ ଅଭିଯାନର ସବୁଠାରୁ ନିର୍ଣ୍ଣାୟକ ମୁହୂର୍ତ୍ତ ଥିଲା ଅର୍ବିଟର ଦେହରୁ ଅଲଗା ହୋଇ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା। ତେବେ କୌଣସି କାରଣରୁ ବିକ୍ରମ ସହିତ ଇସ୍ରୋ ବୈଜ୍ଞାନିକମାନଙ୍କର ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ଗୋଟିଏ ସମୟ ପରେ ବିକ୍ରମ ଇସ୍ରୋର କୌଣସି କମାଣ୍ଡ ପାଇବା ବନ୍ଦ ହୋଇଯାଇଥିଲା। ଏହା ପଛରେ କ’ଣ କାରଣ ରହିଛି ଇସ୍ରୋ ତା’ର ଅନୁଧ୍ୟାନ କରୁଛି।
ଓଡ଼ିଶାଲାଇଭକୁ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଏହାପଛରେ ଦୁଇଟି କାରଣ ଥାଇପାରେ। ପ୍ରଥମଟି ହେଉଛି ପାଓ୍ଵାର ଫେଲିଓର। ଦ୍ଵିତୀୟ କାରଣ ହୋଇପାରେ ଲ୍ୟାଣ୍ଡର ବିକ୍ରମ ଦେହରେ ଥିବା ଶକ୍ତିଶାଳୀ ଆଣ୍ଟିନାର ଦିଗରେ କୌଣସି ପରିବର୍ତ୍ତନ।
ବିକ୍ରମ ଅର୍ବିଟରରୁ ବାହାରି ଚନ୍ଦ୍ରପୃଷ୍ଠକୁ ଯିବା ବେଳକୁ ତା’ର ଗତି ଥିଲା ଘଣ୍ଟା ପ୍ରତି ୬ ହଜାର କିଲୋମିଟର। ଏହାର ଗତିକୁ ବୈଜ୍ଞାନିକମାନେ କମାଇ ସେକେଣ୍ଡ ପ୍ରତି ପ୍ରାୟ ୧୦୦ ମିଟରରେ ପହଞ୍ଚାଇବାରେ ସଫଳ ହୋଇଥିଲେ। ଏହି ପ୍ରକ୍ରିୟା ଅତ୍ୟନ୍ତ ଜଟିଳ। ତେଣୁ ଏହି ସମୟରେ କୌଣସି ସମସ୍ୟା ସୃଷ୍ଟି ହୋଇଥିଲା ଯେଉଁଥିପାଇଁ ସାରା ପୃଥିବୀର ନଜରରେ ଥିବା ବିକ୍ରମ ହଠାତ ପୃଥିବୀ ସହିତ ଯୋଗାଯୋଗ ହରାଇ ବସିଥିଲା।
ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ଠାବ କଲା ଅର୍ବିଟର
ଖୁସିର କଥା ଯେ, ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ଠାବ କରାଯାଇଛି। ରବିବାର ଦିନ ଇସ୍ରୋ ପକ୍ଷରୁ ଏହି ସୂଚନା ମିଳିଛି। ବିକ୍ରମ ସହିତ ସଂପର୍କ ସ୍ଥାପନ କରିବା ପାଇଁ ଇସ୍ରୋ ଏବେ ବି ଆଶା ବାନ୍ଧି ବସିଛି। ବିକ୍ରମର କାର୍ଯ୍ୟକାଳ ବା ଜୀବନ ଥିଲା ମାତ୍ର ୧୪ ଦିନର। ତେଣୁ ଆଉ ୧୨ଦିନ ପର୍ଯ୍ୟନ୍ତ ଏହି ବୈଜ୍ଞାନିକମାନେ ହୁଏତ ଏହି ଆଶା ରଖିବେ। ତେବେ ବାସ୍ତବରେ ଦେଖିବାକୁ ଗଲେ ବିକ୍ରମ ସହିତ ସାନି ଯୋଗାଯୋଗ ସ୍ଥାପନ କରିବା ଏବଂ ତା ଭିତରେ ଥିବା ହୋଭର ଯାନ ପ୍ରଜ୍ଞାନକୁ କ୍ରିୟାଶୀଳ କରିବା ସହଜ ହେବନାହିଁ।
ବିକ୍ରମ ଫେଲ ମାରିଥିଲେ ମଧ୍ୟ ଇସ୍ରୋର ବୈଜ୍ଞାନିକମାନେ ହାରିଯାଇନାହାନ୍ତି। କାରଣ ଇସ୍ରୋ ପଠାଇଥିବା ଅର୍ବିଟର ଏବେ ଚନ୍ଦ୍ର ଚାରିପଟେ ବୁଲୁଛି। ଯଦିଓ ଏହାର ସକ୍ରିୟ କାର୍ଯ୍ୟକାଳ ଗୋଟିଏ ବର୍ଷ ବୋଲି ବିଚାର କରାଯାଉଛି, ତେବେ ଏଥିରେ ୭ବର୍ଷ ପର୍ଯ୍ୟନ୍ତ ଇନ୍ଧନ ରହିଛି। ଏହି ଅର୍ବିଟର ହିଁ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରପୃଷ୍ଠରୁ, ପ୍ରାୟ ୧୦୦ କିଲୋମିଟରର ଦୂରରୁ ଠାବ କରିବାକୁ ସକ୍ଷମ ହୋଇଯାଇଛି। ଅର୍ବିଟରରେ ଥିବା ଶକ୍ତିଶାଳୀ କ୍ୟାମେରା ଦ୍ଵାରା ଏହି ଥର୍ମାଲ ଇମେଜ ଇସ୍ରୋ ପାଖରେ ପହଞ୍ଚିଛି। ତେଣୁ ଆଗାମୀ ଦିନରେ ଅର୍ବିଟର ଆମକୁ ଅନେକ ଅଜଣା ତଥ୍ୟ ଯୋଗାଇ ଦେବ।
ଏବେ ଲକ୍ଷ୍ୟ ଚନ୍ଦ୍ରଯାନ-୩!
ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବା ଥିଲା ଚନ୍ଦ୍ରଯାନ-୨ର ମୁଖ୍ୟ ଲକ୍ଷ୍ୟ। ପୂର୍ବରୁ ଆମେରିକା, ଋଷ ଏବଂ ଚୀନ ଏହା କରିବାରେ ସଫଳ ହୋଇଛନ୍ତି। ଏହି ସଫ୍ଟ ଲ୍ୟାଣ୍ଡଙ୍ଗ ପାଇଁ ଆବଶ୍ୟକ ହେଉଥିବା ଅତ୍ୟଧୁନିକ ଜ୍ଞାନ କୌଶଳ ଋଷ ଭାରତକୁ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ପରେ ଋଷ ସେଥିରୁ ଓହରି ଯାଇଥିଲା। ଫଳରେ ଭାରତର ମହାକାଶ ବିଜ୍ଞାନୀମାନେ କଠିନ ପରିଶ୍ରମ କରି ଶେଷରେ ଚନ୍ଦ୍ରଯାନ-୨ ପାଇଁ ତାହା ହାସଲ କରିଥିଲେ। କିନ୍ତୁ ବିକ୍ରମର ବିଫଳତା ନେଇ ଏବେ ଇସ୍ରୋର ବୈଜ୍ଞାନିକମାନେ ଗଭୀର ଭାବେ ଅନୁଧ୍ୟାନ କରୁଛନ୍ତି। ଏହା ହୁଏତ ଚନ୍ଦ୍ରଯାନ-୩ ପାଇଁ ଭାରତକୁ ଯଥେଷ୍ଟ ଖୋରାକ ଯୋଗାଇବ ବୋଲି ପଠାଣି ସାମନ୍ତ ପ୍ଲାନିଟାରିୟମ୍ର ଉପନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଓଡ଼ିଶାଲାଇଭକୁ କହିଛନ୍ତି।
୨୦୦୮ ମସିହାରେ ଚନ୍ଦ୍ରଯାନ-୧ର ସଫଳ ପରୀକ୍ଷଣ ହୋଇଥିଲା। ତେବେ ଚନ୍ଦ୍ରଯାନ-୨ ଇସ୍ରୋ ପାଇଁ ଥିଲା ଏକ ନୂଆ ଅନୁଭବ। ଜିଏସଏଲଭି ମାର୍କ-୩ ଭଳି ଶକ୍ତିଶାଳୀ ରକେଟ ମାଧ୍ୟମରେ ଏଥର ଚନ୍ଦ୍ରକୁ ଯାନ ପଠାଇଥିଲା ଇସ୍ରୋ। ଜିଏସଏଲଭି ମାର୍କ-୩ ଏଭଳି ଏକ ଶକ୍ତିଶାଳୀ ରକେଟ ଯାହା ୬ ଟନ୍ ପର୍ଯ୍ୟନ୍ତ ଓଜନ ଧରି ମହାକାଶକୁ ଯାତ୍ରା କରିପାରେ। ତେଣୁ ଚଳିତ ଚନ୍ଦ୍ର ଅଭିଯାନରେ ଭାରତକୁ ଯେଉଁ ଅନୁଭବ ମିଳିଛି ତାହା କିଛି କମ୍ ସଫଳତା ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଜହ୍ନରେ ତୋଳିବା ଘର!
ଏପର୍ଯ୍ୟନ୍ତ ବିଭିନ୍ନ ଦେଶ ଚନ୍ଦ୍ରକୁ କରିଥିବା ଅଭିଯାନର ମୋଟ ସଂଖ୍ୟା ୧୦୦ରୁ ଅଧିକ। ତେବେ ତା ଭିତର ପ୍ରାୟ ୬୦ଟି ଅଭିଯାନ ସଂପୂର୍ଣ୍ଣ ସଫଳ ହୋଇଛି।
ଆମେ ସାହିତ୍ୟ ଓ ନାଟକରେ ‘ଜହ୍ନରେ ତୋଳିବା ଘର’ ବୋଲି କଳ୍ପନା କରିଥାଉ। ତେବେ ହୁଏତ ଦିନ ଆସିବ ଏହି କଳ୍ପନା ବାସ୍ତବତାରେ ପରିଣତ ହେବ ବୋଲି ପଠାଣି ସାମନ୍ତ ପ୍ଲାନିଟାରିୟମ୍ର ଉପନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ତେଣୁ ଚନ୍ଦ୍ରକୁ ଆମେ ଜହ୍ନ ମାମୁ ବୋଲି କହି ପୂଜା କରିବାର ସମୟ ଆଉ ନାହିଁ ବୋଲି ସେ ଓଡ଼ିଶାଲାଇଭକୁ କହିଛନ୍ତି।