ଓଡ଼ିଶାଲାଇଭ୍ ବ୍ୟୁରୋ

ସଫଳତାର ସହ ଲଞ୍ଚ ହେଲା ଭାରତର ଚନ୍ଦ୍ର ମିଶନ ‘ଚନ୍ଦ୍ରଯାନ-୩’। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶୁକ୍ରବାର ଦିନ ୨ଟା ୩୫ ବେଳେ ଏହି ମିଶନକୁ ଲଞ୍ଚ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଏଲଭିଏମ-୩ ରକେଟ୍ ମାଧ୍ୟମରେ ଏହି ‘ଚନ୍ଦ୍ରଯାନ-୩’କୁ ମହାକାଶକୁ ଉତକ୍ଷେପଣ କରାଯାଇଛି।

ଏଲଭିଏମ-୩ ରକେଟ୍ ଉତକ୍ଷେପଣ ହେବାପରେ ଏହାର ସମସ୍ତ ୩ଟି ପର୍ଯ୍ୟାୟ ଗୋଟେ ପରେ ଗୋଟେ ସଫଳତାର ସହ କାର୍ଯ୍ୟ କରିଥିଲା। ଲଞ୍ଚ ହେବାର ୨୦ ମିନିଟ ମଧ୍ୟରେ ‘ଚନ୍ଦ୍ରଯାନ-୩’କୁ ଏହାର ଉଦ୍ଦିଷ୍ଟ କକ୍ଷ ପଥରେ ଅବସ୍ଥାପିତ କରାଯାଇଥିଲା। ଏବେ ଏହା ଚନ୍ଦ୍ର ଅଭିମୁଖେ ନିଜର ଯାତ୍ରା ଆରମ୍ଭ କରିଛି।

“ଭାରତର ବହୁ ପ୍ରତୀକ୍ଷୀତ ‘ଚନ୍ଦ୍ରଯାନ-୩’ ମିଶନ ସଫଳତାର ସହ ଉତକ୍ଷେପଣ ହୋଇଛି। ଏଲଭିଏମ-୩ ହେଭି ଲିଫ୍ଟ ରକେଟ୍ ଏହାକୁ ଉଦ୍ଦିଷ୍ଟ କକ୍ଷ ପଥରେ ସଫଳତାର ସହ ପହଞ୍ଚାଇଛି। ଏବେ ଏହା ନିଜର କକ୍ଷରେ ରହି ପର୍ଯ୍ୟାୟ କ୍ରମେ ଚନ୍ଦ୍ର ଆଡ଼କୁ ଗତି କରୁଛି। ଏହା ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଅବତରଣ କରିବ ବୋଲି ମୋର ବିଶ୍ଵାସ ରହିଛି। ଏଥିପାଇଁ ମୁଁ ‘ଚନ୍ଦ୍ରଯାନ-୩’ ମିଶନରେ ସାମିଲ ଥିବା ସବୁ ବୈଜ୍ଞାନିକମାନଙ୍କୁ ଶୁଭକାମନା ଜଣାଉଛି”, କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ।

ଏବେ ‘ଚନ୍ଦ୍ରଯାନ-୩’ ନିଜର ବର୍ତ୍ତୁଳାକାର କକ୍ଷ ପଥରେ ରହି ଚନ୍ଦ୍ର ଆଡ଼କୁ ଯାତ୍ରା କରୁଛି। ପ୍ରାୟ ୧ ମାସରୁ କିଛି ଦିନ ଅଧିକ ଯାତ୍ରା କରି ଏହା ଚନ୍ଦ୍ରର ନିକଟବର୍ତ୍ତୀ ହେବ। ସବୁ ଠିକ ରହିଲେ ଅଗଷ୍ଟ ମାସ ୨୩ ତାରିଖରେ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିବ।

ଏଥର ‘ଚନ୍ଦ୍ରଯାନ-୩’ ମିଶନରେ କେବଳ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣକୁ ଗୁରୁତ୍ଵ ଦିଆଯାଇଛି। ଏଥିରେ ‘ଚନ୍ଦ୍ରଯାନ-୨’ ଅପେକ୍ଷା ଅଧିକ ଇନ୍ଧନ ଓ ଅବତରଣ ପାଇଁ ଚନ୍ଦ୍ରପୃଷ୍ଠରେ ବଡ଼ ଲ୍ୟାଣ୍ଡିଂ ସାଇଟ ବଛାଯାଇଛି।

‘ଚନ୍ଦ୍ରଯାନ-୩’ରେ ପୂର୍ବ ଭଳି ଚନ୍ଦ୍ର ଚାରିପଟେ ପରିକ୍ରମା କରୁଥିବା ଅର୍ବିଟର ଲଗାଯାଇ ନାହିଁ। ଏହା ବଦଳରେ କେବଳ ଲ୍ୟାଣ୍ଡର ଓ ରୋଭରକୁ ଏଥିରେ ସାମିଲ କରାଯାଇଛି। ରୋଭର ପ୍ରାୟ ଦୁଇ ସପ୍ତାହ ଧରି ଚନ୍ଦ୍ରପୃଷ୍ଠରେ ବିଚରଣ କରି ଅନେକ ପରୀକ୍ଷାନିରୀକ୍ଷା କରିବ।

‘ଚନ୍ଦ୍ରଯାନ-୩’କୁ ସଫଳ ରୂପାୟନ କରିବା ପାଇଁ ଇସ୍ରୋ ଅଭିଯାନ ଆରମ୍ଭ ହୋଇଯାଇଛି। ଏହା ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡିଂ କଲେ, ଏଭଳି କରିବାରେ ଆମେରିକା, ରୁଷ ଓ ଚୀନ ପରେ ଚତୁର୍ଥ ଦେଶ ହେବ ଭାରତ।

Tags: #Chandrayaan-3 #MoonMission #MoonLanding #SpaceExploration #ISRO

Comment