ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ବହୁ ପ୍ରତିକ୍ଷିତ ‘ଚନ୍ଦ୍ରଯାନ-୩’ ମିଶନ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ। ଭାରତୀୟ ମହାକାଶ ଗବେଶଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶୁକ୍ରବାର ଦିନ ୨ଟା ୩୫ଟା ବେଳେ ଏହି ମିଶନକୁ ଲଞ୍ଚ କରାଯିବ। ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱାନ ସ୍ପେସ୍ ଷ୍ଟେସନରୁ ଏଲଏମଭି-୩ ରକେଟ ମାଧ୍ୟମରେ ‘ଚନ୍ଦ୍ରଯାନ-୩’ ଚନ୍ଦ୍ର ପୃଷ୍ଠକୁ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ଇସ୍ରୋ ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି।

ଏଥର ‘ଚନ୍ଦ୍ରଯାନ-୩’ ମିଶନରେ କେବଳ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣକୁ ଗୁରୁତ୍ଵ ଦିଆଯାଇଛି। ‘ଚନ୍ଦ୍ରଯାନ-୨’ ଭଳି ଏଥିରେ ଚନ୍ଦ୍ର ଚାରିପଟେ ପରିକ୍ରମା କରୁଥିବା ଅର୍ବିଟର ଲଗାଯାଇ ନାହିଁ। ଏହା ବଦଳରେ ଏଥର କେବଳ ଲ୍ୟାଣ୍ଡର ଓ ରୋଭରକୁ ‘ଚନ୍ଦ୍ରଯାନ-୩’ରେ ସାମିଲ କରାଯାଇଛି। ଏଥିରେ ପୂର୍ବାପେକ୍ଷା ଅଧିକ ଇନ୍ଧନ ଓ ସଫଳ ଅବତରଣ ଚନ୍ଦ୍ରପୃଷ୍ଠରେ ବଡ଼ ଲ୍ୟାଣ୍ଡିଂ ସାଇଟ ବଛାଯାଇଛି।

ଶୁକ୍ରବାର ଲଞ୍ଚ ହେବାପରେ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ଭାଗରେ ଅବତରଣ କରିବାକୁ ଇସ୍ରୋ ଯୋଜନା କରିଛି। ଏହି ଚନ୍ଦ୍ରଯାନ-୩ ମିଶନ ପାଇଁ ୬୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଉତ୍‌କ୍ଷେପଣ ପୂର୍ବରୁ ଗୁରୁବାର ‘ଇସ୍ରୋ’ ବୈଜ୍ଞାନିକଙ୍କ ଏକ ଦଳ ‘ଚନ୍ଦ୍ରଯାନ-୩’ର ଛୋଟ ‘ମଡେଲ୍‌’ ନେଇ ତିରୁପତି ଭେଙ୍କଟଚଳାପତି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ମିଶନ ସଫଳ ହେବା ପାଇଁ ସେମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଇସ୍ରୋ ପକ୍ଷରୁ ୨୦୦୮ ମସିହାରେ ଚନ୍ଦ୍ରଯାନ-୧ ମିଶନ ଲଞ୍ଚ ହୋଇଥିଲା। ଏଥିରେ ଏକ ଅର୍ବିଟର ସ୍ୟାଟେଲାଇଟ ଅନେକ ଦିନ ଧରି ଚନ୍ଦ୍ରର ପରିକ୍ରମା କରିଥିଲା। ଚନ୍ଦ୍ର ପୃଷ୍ଠରେ ଜଳ ଅଛି ବୋଲି ଏହି ମିଶନରୁ ଜଣାପଡ଼ିଥିଲା।

ଏହାପରେ ୨୦୧୯ ମସିହାରେ ଇସ୍ରୋ ଚନ୍ଦ୍ରଯାନ-୨ ମିଶନ ଲଞ୍ଚ କରିଥିଲା। ଏହାକୁ ଆଂଶିକ ସଫଳତା ମିଳିଥିଲା। ଏଥିରେ ଥିବା ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅନ୍ୟପଟେ ଏଥିରେ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ଚନ୍ଦ୍ରର ପରିକ୍ରମା କରୁଛି।

ଏବେ ଏହି ମୁନ ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ଚନ୍ଦ୍ରଯାନ-୩ ଜରିଆରେ ସଫଳ ରୂପାୟନ କରିବା ପାଇଁ ଇସ୍ରୋ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡିଂ କଲେ, ଏଭଳି କରିବାରେ ଆମେରିକା, ରୁଷ ଓ ଚୀନ ପରେ ଚତୁର୍ଥ ଦେଶ ହେବ ଭାରତ।

Tags: #Chandrayaan-3 #MoonMission #MoonLanding #SpaceExploration #ISRO

 

Comment