ଓଡ଼ିଶାଲାଇଭ୍ ବ୍ୟୁରୋ

‘କଶ୍ମୀର ଭାରତର’ କହି ଅଡୁଆରେ ପାକ୍‌ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେସି।

‘କଶ୍ମୀର’ ପ୍ରସଙ୍ଗରୁ ନଜର ହଟାଇ ପାରୁନି ପାକିସ୍ତାନ। ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ହଟହଟା ହେବା ପରେ ପୁଣି ଥରେ ଜାତିସଂଘ ମାନବାଧିକାର କମିଶନ ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇଛି।

ଜେନେଭାଠାରେ ଅନୁଷ୍ଠିତ ଜାତିସଂଘ ମାନବାଧିକାର କମିଶନ ପରିଷଦ ବୈଠକରେ ପାକ୍‌ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେସି କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ବିବୃତି ଦେବା ବେଳେ ‘କଶ୍ମୀର ଭାରତର’ ବୋଲି କହିଥିଲେ।

ପାକ୍‌ ବୈଦେଶିକ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଏବେ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମରେ ହେଡ୍‌ଲାଇନ୍ ପାଲଟିଛି। ୭୦ ବର୍ଷ ପରେ ପାକିସ୍ତାନ କଶ୍ମୀରକୁ ଭାରତର କହିଛି ବୋଲି ଆଲୋଚନା ହେଉଛି।

‘‘କଶ୍ମୀର ହେଉଛି ଭାରତର। କଶ୍ମୀରର ସ୍ଥିତି ସୁଧୁରୁଥିବା ଭାରତ ଦାବି କରୁଛି। ହେଲେ ଏହି ରାଜ୍ୟକୁ ଅନ୍ତର୍ଜାତୀୟ ମିଡିଆ, ଏନଜିଓ ଏବଂ ପ୍ରତିନିଧିମାନଙ୍କୁ କାହିଁକି ଭାରତ ଆସିବାକୁ ଦେଉ ନାହିଁ? କଶ୍ମୀରରେ କ’ଣ ସ୍ଥିତି ଅଛି ତାହା କାହିଁକି ଲୁଚା ଯାଉଛି? କଶ୍ମୀରକୁ ନେଇ ଭାରତ ମିଛ କହୁଛି। ଯେବେ ପୂରା କଶ୍ମୀରରୁ କର୍ଫ୍ୟୁ ହଟିଯିବ ସେତେବେଳେ ସତ ସାରା ବିଶ୍ୱ ଜାଣିବ’’, କହିଛନ୍ତି ମହମ୍ମଦ କ୍ୟୁରେସି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ବାଉଳି ଖାଉଛିା କଶ୍ମୀରକୁ ନେଇ ଯେଉଁ ରାଜନୀତି କରୁଥିଲା ତାର ବାଟ ବନ୍ଦ ହୋଇଯାଇଛି। ଫଳରେ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ କଶ୍ମୀର ପ୍ରସଙ୍ଗ ଉଠାଇ ଆସୁଛି।

ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ହଟହଟା ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହାୟତା ଲୋଡ଼ିଥିଲା ପାକିସ୍ତାନ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ ଭେଟି କଶ୍ମୀର ସମସ୍ୟାରେ ହସ୍ତକ୍ଷେପ ନକରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଟ୍ରମ୍ପ ଏଥିରୁ ଓହରି ଯାଇଥିଲେ।

ଏହାପରେ ପାକିସ୍ତାନ ଭାରତକୁ ଯୁଦ୍ଧ ଧମକ ମଧ୍ୟ ଦେଇଥିଲା। ଭାରତ ସହ ସବୁ ସମ୍ପର୍କ ଛିନ୍ନ କରିବା ପରେ ପାକିସ୍ତାନ ମିସାଇଲ ଟେଷ୍ଟ କରିଥିଲା। ଏବେ ପାକିସ୍ତାନ କଶ୍ମୀରକୁ ନେଇ ଜାତିସଂଘ ମାନବାଧିକାର କମିଶନ ପରିଷଦରେ ଫେରାଦ ହୋଇଛି।

ଏହି ବୈଠକ ପରେ ପାକ୍‌ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେସି ‘କଶ୍ମୀର ଭାରତର’ କହି ଅଡୁଆରେ ପଡ଼ିଛନ୍ତି।

Comment