ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ନିର୍ବାଚନ ପୂର୍ବର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଝଟକା। ସାଇଫର ମାମଲାରେ ପାକିସ୍ତାନର ସ୍ଵତନ୍ତ୍ର କୋର୍ଟ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ଇମ୍ରାନଙ୍କ ସହଯୋଗୀ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କ୍ୟୁରେସିଙ୍କୁ ମଧ୍ୟ ୧୦ ବର୍ଷର ଜେଲ ଦଣ୍ଡ ମିଳିଛି।

ବର୍ତ୍ତମାନ ଇମ୍ରାନ ଖାନ ରାଓଲପିଣ୍ଡିର ଅଦିୟାଲା ଜେଲରେ ଅଛନ୍ତି। ଆସନ୍ତା ଫେବ୍ରୁଆରି ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। କୋର୍ଟଙ୍କ ନିଷ୍ପତ୍ତି ପରେ ନିର୍ବାଚନ ଲଢ଼ିବାକୁ ଆଶା ରଖିଥିବା ଇମ୍ରାନଙ୍କୁ ବଡ଼ ଝଟକା ଲାଗିଛି।

ଧାରା ୩୪୨ ଅନୁଯାୟୀ ଦୁଇ ଅଭିଯୁକ୍ତଙ୍କ ବିବୃତ୍ତି ରେକର୍ଡ କରିବା ପରେ ସ୍ୱତନ୍ତ୍ର କୋର୍ଟର ଜଜ୍ ଉଭୟ ଇମ୍ରାନ ଖାନ ଏବଂ ଶାହ ମହମୁଦ କ୍ୟୁରେସିଙ୍କ ବିରୋଧରେ ଦଣ୍ଡ ଶୁଣାଇଛନ୍ତି।

କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଇମ୍ରାନ ଖାନ ଏବଂ ଶାହ ମହମୁଦ କ୍ୟୁରେସିଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ପ୍ରମାଣ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଖରେ ଯଥେଷ୍ଟ ପ୍ରମାଣ ରହିଛି।

ସାଇଫର ମାମଲା କ’ଣ?

ଇମ୍ରାନ ଖାନ ଏବଂ ଶାହ ମହମୁଦ କ୍ୟୁରେସିଙ୍କ ବିରୋଧରେ ଆସିଥିବା ସାଇଫର ମାମଲା ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ। ଇମ୍ରାନ ଖାନଙ୍କ ବିରୋଧରେ ରାଷ୍ଟ୍ରର ଅତ୍ୟନ୍ତ ଗୁପ୍ତ ତଥ୍ୟକୁ ପ୍ରଘଟ କରିବା ନେଇ ଅଭିଯୋଗ ରହିଛି।

କ୍ଷତମା ଚ୍ୟୁତ ହେବା ପରେ ଇମ୍ରାନ ଖାନ ଅଭିଯୋଗ କରିଥିଲେ ତାଙ୍କଠାରୁ କ୍ଷମତା ଛଡ଼ାଇ ନେବା ପଛରେ ଆମେରିକାର ହାତ ରହିଛି। ସେ କହିଥିଲେ ଓ୍ଵାସିଂଗଟନ ସ୍ଥିତ ପାକିସ୍ତାନ ଦୂତାବାସ ପକ୍ଷରୁ ତାଙ୍କୁ  ଏ ସମ୍ପର୍କରେ ଏକ ଗୁପ୍ତ ସୂଚନା ମିଳିଥିଲା। ଇମ୍ରାନ ଖାନ ବ୍ୟକ୍ତିଗତ ଫାଇଦା ପାଇଁ ବିବାଦୀୟ ରାଜନୈତିକ ଆଲୋଚନାକୁ ସାର୍ବଜନିକ କରିଦେଇଥିଲେ। ଏହାକୁ ସାଇଫର କୁହାଯାଏ।

Tags: #Politics #PakistanPolitics #ImranKhan #CypherCase #FormerPMOfPakistan #PakistanCourt

Comment