ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନ ସେନାର ସମର୍ଥନରେ ବୈଦେଶୀକ ବ୍ୟାପାର ମନ୍ତ୍ରୀ ହୋଇଥିଲେ ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀ। ଏବେ ତାଙ୍କୁ ପ୍ରଧାନମନ୍ତ୍ରୀ ଗାଦିରେ ବସାଇବାକୁ ସେନା ମନ ବଳାଇଛି।

ପାକିସ୍ତାନରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଚରମ ସୀମାରେ ପହଞ୍ଚିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ସେନା ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଇମ୍ରାନଙ୍କ ଦଳ ପାକିସ୍ତାନ ତହରିକ-ଏ-ଇନ୍ସାଫ(ପିଟିଆଇ)ର ଅନେକ ବରିଷ୍ଠ ନେତା ଦଳ ଛାଡ଼ିଲେଣି। ଇମ୍ରାନଙ୍କ ରାଜନୈତିକ କ୍ୟାରିୟର ପତନ ଆଡ଼କୁ ଅଗ୍ରସର ହେଉଥିବାବେଳେ ବିଲାଓ୍ଵଲ ଭୁଟ୍ଟୋ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି।

ଗତ ମେ’ ୯ ତାରିଖରେ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ଇସଲାମବାଦ କୋର୍ଟ ସମ୍ମୁଖରେ ତୁମୁଳକାଣ୍ଡ ଘଟିଥିଲା। ଇମ୍ରାନଙ୍କୁ ଗିରଫ କରାଯିବା ପରେ ତାଙ୍କ ସମର୍ଥକମାନେ ସାରା ଦେଶରେ ଜଳାପୋଡ଼ା ଆରମ୍ଭ କରିଦେଇଥିଲେ। ଫଳରେ ଅଶାନ୍ତ ହୋଇପଡ଼ିଥିଲା ପାକିସ୍ତାନ। ଏହାକୁ ନେଇ ପିଟିଆଇର ସମର୍ଥକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ପାକିସ୍ତାନ ସରକାର। ପାକିସ୍ତାନ ସେନାର ଚାପରେ ପିଟିଆଇର ଅନେକ ବଡ଼ ବଡ଼ ନେତା ଶିରୀନ ମଜାରୀ, ଫଭାଦ ଚୌଧୁରୀ, ଆମରି ମହମୁଦ କିୟାନୀ, ଅଲ୍ଲୀ ଜୈଦୀ, ମଲିକା ବୋଖାରୀ ପ୍ରମୁଖ ଦଳ ଛାଡ଼ିଲେ।

କୁହାଯାଉଛି ପିଟିଆଇ ଛାଡ଼ିଥିବା ନେତାମାନେ ବିଲାଓ୍ଵଲ ଭୁଟ୍ଟୋଙ୍କ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ରେ ସାମିଲ ହୋଇପାରନ୍ତି। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେଉଁ ନେତାମାନେ ପିଟିଆଇ ଛାଡ଼ିଛନ୍ତି ସେହି ନେତାଙ୍କର ନିଜ ନିର୍ବାଚନ ମଣ୍ଡଳୀରେ ବିଶେଷ ପ୍ରଭାବ ରହିଛି। ଏହି ନେତାମାନଙ୍କ ସହଯୋଗରେ ପିପିପି ନିଜ ଗଡ଼ ସିନ୍ଧ ପ୍ରାନ୍ତରୁ ବାହାରି ପଞ୍ଜାବରେ ନିଜର ପ୍ରଭାବ ବିସ୍ତାର କରିବାକୁ ଯୋଜନା କରୁଛି। ୨୬୨ ଜାତୀୟ ସଂସଦ ଆସନ ଯୁକ୍ତ ପଞ୍ଜାବ ପାକିସ୍ତାନ ରାଜନୀତିରେ ବେଶ ଗୁରୁତ୍ଵ ବହନ କରେ।

ଏହା ସହାୟତାରେ ସିନ୍ଧ ଏବଂ ବିଲୁଚିସ୍ତାନରେ ପିପିପି ଏବଂ ତା’ର ସହଯୋଗୀ ଏକ ଗୋଷ୍ଠୀ ଗଠନ କରି ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ନିର୍ବାଚନରେ ଫାଇଦା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ନିର୍ବାଚନ ପରେ ନେତୃତ୍ଵ ନେଇପାରନ୍ତି ବିଲାଓ୍ଵ

ଇସଲାମବାଦର ସ୍ଥିତି, ରାଜନୈତିକ ବିଶ୍ଲେଷଣ ଏବଂ ସରକାରୀ ବ୍ରଡକାଷ୍ଟର ରେଡିଓ ପାକିସ୍ତାନର ପୂର୍ବତନ ମହାନିର୍ଦ୍ଦେଶକ ମୁର୍ତଜା ସୋଲଙ୍ଗୀ କହିଛନ୍ତି ପିପିପି ଅଧ୍ୟକ୍ଷ ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀ ମେଣ୍ଟ ସରକାରର ନେତୃତ୍ଵ ନେଇପାରନ୍ତି। ପାକିସ୍ତାନରେ ସରକାର ଗଢ଼ିବାକୁ ହେଲେ ପିପିପିକୁ ପିଟିଆଇ ଛାଡ଼ିଥିବା ନେତାମାନଙ୍କର ସମର୍ଥନର ଆବଶ୍ୟକତା ପଡ଼ିବ ବୋଲି ସେ କହିଛନ୍ତି।

ବିଲାଓ୍ଵଲଙ୍କ ଦଳ ଉପରେ ରହିଛି ସେନାର ସମର୍ଥନ

ବିଲାଓ୍ଵଲ ଭୁଟ୍ଟୋ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ପଛରେ ବିଶେଷ କାରଣ ରହିଛି। ଏହାର କାରଣ ହେଉଛି ୨୦୨୨ ଏପ୍ରିଲ ମାସରେ ପାକିସ୍ତାନର ବୈଦେଶୀକ ମନ୍ତ୍ରୀ ହେବା ପରଠାରୁ ବିଲାଓ୍ଵଲ ସେନା ସହ ଅତି ଘ ନିକଟତ୍ତର ହୋଇଛନ୍ତି।

ଓ୍ଵାଶିଂଟନସ୍ଥିତ ଥିଙ୍କ ଟ୍ୟାଙ୍କ ହ୍ଵିଲ୍ସ ସେଣ୍ଟରରେ ଦକ୍ଷିଣ ଏସିଆ ସଂସ୍ଥାର ନିର୍ଦ୍ଦେ ଶକ ମାଇକଲ କୁଗେଲମ୍ରାନ କହିଛନ୍ତି ବିଲାଓ୍ଵଲ ଏକ ରାଜନୈତିକ ପରିବାରରୁ ଆସିଥିଲେ ମଧ୍ୟ କୌଣସି ବଡ଼ ପଦବୀରେ ନଥିଲେ। କିନ୍ତୁ ୨୦୧୮ ମସିହାରେ ସେ ଅଚାନକ ନ୍ୟାସନାଲ ଆସେମ୍ବଲିକୁ ନିର୍ବାଚିତ ହୋଇଥିଲେ। ବିଲାଓ୍ଵଲଙ୍କ ଉପରେ ପାକିସ୍ତାନ ସେନାର ଆଶୀର୍ବାଦ ନଥିଲେ ସେ ବରିଷ୍ଠ ପଦବୀ ପର୍ଯ୍ୟନ୍ତ କଦାପି ପହଞ୍ଚି ପାରିନଥାନ୍ତେ ବୋଲି ସେ କହିଛନ୍ତି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି, ଯଦି ବିଲାଓ୍ଵଲ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ହୁଅନ୍ତି କେବଳ ପାକିସ୍ତାନ ସେନାର ସମର୍ଥନ ପାଇଁ ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଇଛନ୍ତି।

Tags: #PakistanPolitics #PoliticalCrysis #BilawalBhutto #PMPakistan

Comment