ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ):  ବିଦ୍ୟାଳୟରେ ଶୌଚାଳୟ ସମେତ ଅନ୍ୟାନ୍ୟ ଆନୁସାଙ୍ଗିକ ସୁବିଧା ନଥିବାରୁ ରାସ୍ତାକୁ ଓହଲାଇଲେ ଆଦିବାସୀ ଛାତ୍ର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସଦର ବ୍ଲକ ବିଲେସୁ ଆଶ୍ରମ ବିଦ୍ୟାଳୟରେ। ବିଦ୍ୟାଳୟରେ ଶୌଚାଳୟ ସମସ୍ୟା ଓ କମ୍ପ୍ୟୁଟର୍‌ ଶିକ୍ଷକ ନଥିବାରୁ ସ୍କୁଲ୍‌ର ୩୫ ଜଣ ଛାତ୍ର ହଷ୍ଟେଲ୍‌ ଛାଡ଼ିଥିବା ଜାଣିବାକୁ ମିଳିଛି।

ଛାତ୍ରମାନେ ହଷ୍ଟେଲ୍‌ ଛାଡ଼ିବା ପରେ ୨୫ କିଲୋମିଟର ବାଟ ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେମାନେ ସେଠାରେ ପହଞ୍ଚି ସେମାନଙ୍କ ଦାବି ପୂରଣ ପାଇଁ ଜିଦ୍‌ କରି ବସିଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ, ପିଏ ଆଇ.ଟି.ଡି.ଏ ଟିକୁ ବାରିକ ସେମାନଙ୍କୁ ବୁଝାସୁଝା କରିଥିଲେ।

ଦାବି ପୂରଣ ନହେଲେ ଆଉ ସ୍କୁଲ୍‌ ଯିବେ ନାହିଁ ବୋଲି ଛାତ୍ରମାନେ ଅଡ଼ି ବସିଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି ଯେ ସ୍କୁଲ୍‌ରେ କମ୍ପ୍ୟୁଟର୍‌ ଶିକ୍ଷକ ନଥିବା କାରଣରୁ ସେମାନେ କମ୍ପ୍ୟୁଟର୍‌ ଅନ୍‌-ଅଫ୍‌ କରିବା ବି ଶିଖି ପାରିନାହାନ୍ତି। କେବଳ ସେତିକି  ନୁହେଁ, ଦୀର୍ଘ ଦିନ ହେବ ସ୍କୁଲ୍‌ରେ ଶୌଚାଳୟ ନିର୍ମାଣ ପାଇଁ ଛାତ୍ରଛାତ୍ରୀ ଦାବି କରି ଆସୁଥିଲା ବେଳେ  ଏଥି ପ୍ରତି କାହାରି ନଜର ନାହିଁ ବୋଲି ଅଭିଯୋଗ ହୋଇଛି। ଏହାପରେ ୨ ଦିନ ମଧ୍ୟରେ ସମସ୍ତ ସମସ୍ୟା ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଵିଭାଗୀୟ ଗାଡି ଓ ଅଟୋରେ ସମସ୍ତ ଛାତ୍ରଙ୍କୁ ବିଦ୍ୟାଳୟକୁ ନେଇଥିଲେ।

ଏହି ସମସ୍ୟାକୁ ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ ପଚାରିବାରୁ ସେ କହିଥିଲେ ଯେ ଛାତ୍ର ମାନଙ୍କ ସମସ୍ୟା ଯୁକ୍ତିଯୁକ୍ତ। ସେମାନେ ଯେଉଁ ସ୍କୁଲରେ ଶୌଚାଳୟ ବିଷୟ କହିଛନ୍ତି ତାହା ଆଇ.ଟି.ଡି.ଏ ନିର୍ମାଣ କରୁଛି, ଆଉ ଅଳ୍ପ ଦିନ ମଧ୍ୟରେ ଶୌଚାଳୟ କାମ ସରିଯିବ। ୧୦ ଦିନ ମଧ୍ୟରେ ସେହି ସ୍କୁଲରେ ଶିକ୍ଷକ ନିଯୁକ୍ତି କରାଯିବ।

Comment