ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାକୁ ପୂରିଛି ୨୯ ବର୍ଷ। ଆଜିଠାରୁ ଠିକ୍ ୨୯ ବର୍ଷ ପୂର୍ବରୁ ଅକ୍ଟୋବର ୨ରେ ରାୟଗଡ଼ାକୁ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ମିଳିଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜିଲ୍ଲାରେ ପ୍ରଶାସନକୁ ସୁବ୍ୟବସ୍ଥିତ ଓ କ୍ଷମତାର ବିକେନ୍ଦ୍ରୀକରଣ କରି ଗ୍ରାମାଞ୍ଚଳଗୁଡ଼ିକର ବିକାଶ କରିବା ଲକ୍ଷ୍ୟରେ ପରିକଳ୍ପନା କରିଥିଲେ। କିନ୍ତୁ ଦୁଃଖର ବିଷୟ ଏହା ଯେ, ଜିଲ୍ଲା ଗଠନକୁ ଏତେ ବର୍ଷ ପରେବି ରାୟଗଡ଼ାବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।

୧୧ଗୋଟି ବ୍ଲକ, ଗୋଟିଏ ପୌରପରିଷଦ ଓ ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୧୮୨ଟି ଗ୍ରାମପଞ୍ଚାୟତକୁ ମିଶାଇ ରାୟଗଡ଼ା ଜିଲ୍ଲା ଗଠନ ହୋଇଥିଲା। ଏଠାରେ ଜନସଂଖ୍ୟା ପ୍ରାୟ ୯.୫ ଲକ୍ଷରୁ ଊର୍ଦ୍ଧ୍ୱ ରହିଛି। କିନ୍ତୁ ଜିଲ୍ଲାରେ ଶିକ୍ଷାହାର ମାତ୍ର ୪୨ ପ୍ରତିଶତ ରହିଛି। ଗ୍ରାମାଞ୍ଚଳର ସ୍ଥିତି ଆହୁରି ନଗନ୍ୟ। ଜିଲ୍ଲା ଗଠନ ପରେ ଲୋକଙ୍କ ସମସ୍ୟା, ଭିତ୍ତିଭୂମି ବିକାଶ ତଥା ଜିଲ୍ଲାବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଅନ୍ୟାନ୍ୟ ମୌଳିକ ସମସ୍ୟାର ସମାଧାନ ହେବା ନେଇ ଅଞ୍ଚଳବାସୀଙ୍କ ମନରେ ଯେଉଁ ଆଶା ସଞ୍ଚାର ହୋଇଥିଲା, ତାହା ଏବେବି ପୂରା ହୋଇପାରି ନାହିଁ ବୋଲି କୁହନ୍ତି ଅଞ୍ଚଳବାସୀ।ଜିଲ୍ଲା ଗଠନର ୨୯ବର୍ଷ ପରେ ବି ଜିଲ୍ଲାବାସୀ ଅନେକ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ଜନ କଲ୍ୟାଣକାରୀ ଯୋଜନାମାନ କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ଜିଲ୍ଲାର ଅନେକ ଲୋକ ସେହି ସବୁ ସୁବିଧାରୁ ବହୁ ଦୂରରେ ରହିଛନ୍ତି। ଅନେକ ଗାଁରେ ଗମନାଗମନ ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ଡିଜିଟାଲ ଯୁଗରେ ସବୁଠି ନେଟୱର୍କ ସମସ୍ୟା ଦେଖା ଦେଉଛି। ଏମିତିକି ଛାତ୍ରଛାତ୍ରୀମାନେ ଅନଲାଇନ କ୍ଲାସ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ପାହାଡ଼ ଓ ଗଛ ଉପରେ ଚଢ଼ୁଥିବା ନଜିର ରହିଛି।

ସେହିପରି ବିଜୁଳି ଆଲୁଅ ଉପାନ୍ତବାସୀଙ୍କ ପାଇଁ ସାତ ସପନ। ଆଜିବି ଜିଲ୍ଲାର ୧୭୩ଟି ଗାଁର ଲୋକମାନେ ଅନ୍ଧାରରେ ଜୀବନ ବିତାଉଛନ୍ତି। ସେହିପରି ୪୨୩ଟି ଗାଁରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କିମ୍ବା ରାଜ୍ୟ ଗ୍ରାମୀଣ ସଡକ ଯୋଜନାରେ କଚ୍ଚା ରାସ୍ତାଟିଏ ନିର୍ମାଣ ହୋଇପାରିନି। ୧୧ଟି ବ୍ଲକର ପ୍ରାୟ ୬୯ ଗ୍ରାମପଞ୍ଚାୟତରେ ମୋବାଇଲ ନେଟୱର୍କ ଆସୁନି। ଏମିତି ଅନେକ ସମସ୍ୟା ଭିତରେ ରହିଛନ୍ତି ରାୟଗଡ଼ା ଜିଲ୍ଲାବାସୀ।ଗୋଟିଏ ପଟେ କେନ୍ଦ୍ର ସରକାର ଡିଜିଟାଲ ଭରତର ସ୍ୱପ୍ନ ଦେଖୁଥିବାବେଳେ ଅନ୍ୟପଟେ ଜିଲ୍ଲାର ଏଭଳି ଅବହେଳିତ ଚିତ୍ର ଲୋକଲୋଚନକୁ ଆସିଛି। ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ତ୍ୱରିତ ବେଗରେ ବିକାଶମୂଳକ କାର୍ଯ୍ୟ କରିବାକୁ ୨୦୧୮ ମସିହାରେ ନୀତି ଆୟୋଗ ଦ୍ୱାରା ମନୋନୀତ କରାଯାଇଥିଲା। ଯଦ୍ୱାରା କେନ୍ଦ୍ର ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନାଗୁଡିକ ସିଧାସଳଖ ଜିଲ୍ଲା ପ୍ରଶାସନ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାନ୍ତା। କିନ୍ତୁ ଇତିମଧ୍ୟରେ ଏହି ଘୋଷଣାକୁ ୩ବର୍ଷ ପୂରି ଯାଇଥିଲେ ମଧ୍ୟ ଜିଲ୍ଲାରେ ସେମିତି କିଛି ବିକାଶମୂଳକ କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳୁନାହିଁ। ବିଶେଷକରି କାଶୀପୁର, ଚନ୍ଦ୍ରପୁର, ଗୁଡାରୀ ସମେତ ପଦ୍ମପୁର ଓ ଗୁଣୁପୁର ଆଦି ବ୍ଲକର ଏକାଧିକ ଗାଁ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ବିଦ୍ୟୁତ ଭଳି ଅତ୍ୟାବଶ୍ୟକୀୟ ସେବାରୁ ବଞ୍ଚିତ ହେଉଛନ୍ତି।

ଜିଲ୍ଲା ସଦର ମହକୁମାରେ ଉନ୍ନତ ସ୍ୱାସ୍ଥ୍ୟସେବା ନମିଳିବାରୁ ଜିଲ୍ଲାବାସୀ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛନ୍ତି। ଯେମିତି ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସବୁଠାରୁ ବଡ଼ ସମସ୍ୟା ହୋଇଯାଇଛି। ସମ୍ପ୍ରତି ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଏ ଦିଗରେ ଧ୍ୟାନ ଦେଇ ଏସବୁ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

Comment