ଓଡ଼ିଶାଲାଇଭ ବ୍ୟୁରୋ

ପୁଣି ଚର୍ଚ୍ଚାରେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ର। ଦୁର୍ଘଟଣାରେ ଆହତ ହୋଇ ରାସ୍ତା କଡ଼ରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାରେ ପହଞ୍ଚାଇଛନ୍ତି ଏସପି। ଏହି ବିଷୟ ଏବେ ସୁନ୍ଦରଗଡ଼ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ମହରମ ପର୍ବ ଅବସରରେ ସହରରେ ଆଇନ ଶୃଙ୍ଖଳା ତଦାରଖ କରିବାକୁ ଏସପି ରାଜଗାଙ୍ଗପୁର ଯାଉଥିଲେ। ଏହି ସମୟରେ ବିଜୁ ଏକ୍ସପ୍ରେସଓ୍ଵେର କୁତ୍ରାଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ। ତାଙ୍କୁ ଏସପି ସୌମ୍ୟା ମିଶ୍ର ଦେଖି ସଙ୍ଗେ ସଙ୍ଗେ ନିଜ ସରକାରୀ ଗାଡ଼ିରେ ଡାକ୍ତରଖାନରେ ଭର୍ତ୍ତି କରିଥିଲେ।

ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ କାନ୍ଧ ଓ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ଉଠାଇବା ସମ୍ଭବ ହୋଇନଥିଲା। ତେବେ ସେଠାରେ ଉପସ୍ଥିତ ଅନ୍ୟ ପୋଲିସମାନେ ତାଙ୍କୁ ଉଠାଇ ଡାକ୍ତରଖାନା ନେଇଯାଇଥିଲେ। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିଲା।

କିଛିଦିନ ତଳେ ଜଣେ ଗର୍ଭବତୀଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣା ସେତେବେଳେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏଥିପାଇଁ ତାଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡ଼ିଥିଲା। ହେଲେ ଆଜି ଜଣେ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ପୁଣି ଚର୍ଚ୍ଚାରେ ରହିଛନ୍ତି।

Comment