ଓଡ଼ିଶାଲାଇଭ୍‍ ବ୍ୟୁରୋ

ସହିଦ୍‌ ପ୍ରଦୀପ ପଣ୍ଡା ଅମର ରହେ। ଏହି ଧ୍ୱନିରେ କମ୍ପି ଉଠୁଥିଲା ରାଜଗାଙ୍ଗପୁର ଷ୍ଟାଡିୟମ ଏବଂ ଲିପିଲୋଇ ଗାଁ। ଅବସର ଥିଲା ସହିଦ୍‌ ସିଆର୍‌ପିଏଫ୍‌ ଯବାନ୍‌ ପ୍ରଦୀପ ପଣ୍ଡାଙ୍କୁ ବିଦାୟ ଦେବାର ଦୃଶ୍ୟ। ଛଳଛଳ ଆଖିରେ ସହିଦ୍‌ଙ୍କୁ ସମ୍ମାନ ଜଣାଇ ବିଦାୟ ଦେଇଛନ୍ତି ଲିପିଲୋଇ ଗ୍ରାମବାସୀ ଏବଂ ପ୍ରଶାସନିକ ଅଧିକାରୀ।

ସହିଦ୍‌ ପ୍ରଦୀପ ପଣ୍ଡାଙ୍କ ମର ଶରୀର ବୁଧବାର ରାଜଗାଙ୍ଗପୁର ଷ୍ଟାଡିୟମରେ ପହଞ୍ଚିଥିଲା। ମର ଶରୀର ପହଞ୍ଚିବା ପୂର୍ବରୁ ଲୋକାରଣ୍ୟ ହୋଇଯାଇଥିଲା ଷ୍ଟାଡିୟମ୍ ପରିସର। ସହିଦ୍‌ଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ଅପେକ୍ଷା କରି ରହିଥିଲେ ପ୍ରାୟ ୧୦ ହଜାର ଲୋକ। ସହିଦ୍‌ଙ୍କ ମର ଶରୀର ପହଞ୍ଚିବା ପରେ ଜଣକ ପରେ ଜଣେ ଯାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ରାଉରକେଲା ବିଧାୟକ ଦିଲ୍ଲୀପ ରାୟ, ସୁନ୍ଦରଗଡ଼ ଜିଲ୍ଲାପାଳ ଭିନୀତ ଭରଦ୍ବାଜ, ଏସ୍‌ପି ପିନାକ ମିଶ୍ର ସିଆର୍‌ପିଏଫ୍‌ ଡିଆଇଜି ବିରେନ୍ଦ୍ର ଶର୍ମାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ସମ୍ମାନ ଜଣାଇଥିଲେ।

ଏହାପରେ ସହିଦ୍‌ ପ୍ରଦୀପ ପଣ୍ଡାଙ୍କ ମର ଶରୀରକୁ ଗାଁ ଲପିଲୋଇ ଅଭିମୁଖେ ନିଆଯାଇଥିଲା। ଗ୍ରାମବାସୀ ସହିଦଙ୍କ ଶେଷ ଦର୍ଶନ କରିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ମଙ୍ଗଳବାର ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲା ସହିଦ୍‌ ଓଡ଼ିଆ ଯବାନ୍ ପ୍ରଦୀପ ପଣ୍ଡାଙ୍କ ମର ଶରୀର। ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସିଆର୍‌ପିଏଫ୍‌ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଗୃହ ବିଭାଗ ତରଫରୁ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ରବିବାର ସକାଳେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ-ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ପ୍ରଦୀପ ପଣ୍ଡାଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ। ସହିଦ୍‌ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କାର ଅନୁକମ୍ପମୂଳକ ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ସହିଦ୍‌ଙ୍କ ପତ୍ନୀଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Comment