ଓଡ଼ିଶାଲାଇଭ ବ୍ୟୁରୋ

ସୃଜନ ଦ୍ୱାରା ଆୟୋଜିତ ୨୫ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ବୁଧବାର ଅନ୍ତିମ ସନ୍ଧ୍ୟା ଥିଲା। ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ଓଡ଼ଶାର ସଂସ୍କୃତି ପ୍ରେମୀ ଦର୍ଶକମାନଙ୍କୁ ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତକୁ ପ୍ରଦର୍ଶିତ କରାଇବା ସହିତ ତାହାକୁ କିପରି ଲୋକଲୋଚନକୁ ଆଣିବା। ଏହି ଅବସରର ଶେଷ ସନ୍ଧ୍ୟାରେ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

୧୯୯୫ ମସିହାରୁ ପ୍ରତିବର୍ଷ ଓଡ଼ିଶାରେ ନୃତ୍ୟ, ସଙ୍ଗୀତ, ମଞ୍ଚ ଏବଂ ସିନେମା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଲେଖାଏଁ ଦୁଇଗୋଟି ପୁରସ୍କାର ପ୍ରଦାନ କରାଯାଇଥାଏ। ସେହିପରି ପ୍ରତ୍ୟେକ ବର୍ଷ ଦେଶର ସୁନାମଧନ୍ୟ ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ଶୀ ସଙ୍ଗୀତ ପାଇଁ ଚାରିଜଣ ଯୁବ କଳାକାରଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥାଏ।

ଏହି ବର୍ଷ ପୁରସ୍କାର ଉତ୍ସବର ୨୫ତମ ସମାରୋହ ଉତ୍ସବ ଉପଲକ୍ଷେ ଅନୁଷ୍ଠାନ ଦ୍ୱାରା ଦୁଇଗୋଟି ପୁରସ୍କାର ପରିବର୍ତ୍ତେ ପାଞ୍ଚଗୋଟି ପୁରସ୍କାର କରାଯାଇଛି। ନୃତ୍ୟ, ରଙ୍ଗମଞ୍ଚ, ସଙ୍ଗୀତ ଏବଂ ସିନେମାରେ ପ୍ରସିଦ୍ଧି ଲାଭକରିଥିବା ବ୍ୟକ୍ତିତ୍ୱମାନଙ୍କୁ ପୁରସ୍କୃତ କରାଯାଇଛି। ନାଲ୍‍କୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୧୯ ପ୍ରଖ୍ୟାତ ତବଲା ବାଦକ ଗୁରୁ ହରମୋହନ ଖୁଣ୍ଟିଆ, ଓଡ଼ିଶୀ ନୃତ୍ୟ ଗୁରୁ ଦୁର୍ଗାଚରଣ ରଣବୀର, ବିଶିଷ୍ଟ ନୃତ୍ୟ ସମୀକ୍ଷକ ଡକ୍ଟର ସୁନୀଲ କୋଠାରୀ, ଲୀଲା ଭେଙ୍କଟରମଣ ଓ ବିଶିଷ୍ଟ ଫଟୋଗ୍ରାଫର ଅଭିନାସ ପରିଚ୍ଛାଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଅଛି।

ଏହା ବ୍ୟତୀତ ନଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ପାଞ୍ଚଜଣ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ପାଇଁ ଶ୍ରୀମତୀ ସ୍ୱପ୍ନକୋଳ୍ପା ଦାସଗୁପ୍ତା, ଶ୍ରୀ ରାହୁଲ ଆଚାର୍ଯ୍ୟ, ଶ୍ରମତୀ ରାଜଶ୍ରୀ ପ୍ରହରାଜ, ଶାତ୍ରୀୟ ନୃତ୍ୟ ପାଇଁ ଶ୍ରୀମତୀ ଅନ୍ୱେଶା ମହନ୍ତ ଏବଂ ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ଶ୍ରୀ ସତ୍ୟବ୍ରତ କଥାଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସୃଜନ ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଅଛି।

ଉଦଯାପନୀ ସନ୍ଧ୍ୟାର ୨୫ତମ ସମାରୋହ ଉତ୍ସବ ଉପଲକ୍ଷେ ସୃଜନ ଅନୁଷ୍ଠାନ ଦ୍ୱାରା ଗୁରୁ କେଳୁଚରଣ ମହାପାତ୍ରଙ୍କ ସ୍ମରଣୀକା ଅତିଥିମାନଙ୍କ ଦ୍ୱାରା ଉନ୍ମଚନ କରାଯାଇଥିଲା ଯାହାକୁ ପ୍ରକାଶିତ କରିଥିଲେ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର। ଶେଷ ସନ୍ଧ୍ୟାରେ ସୃଜନ ଅନୁଷ୍ଠାନର ଶିଳ୍ପୀମାନେ ପ୍ରସ୍ତୁତ କରିଥିଲେ ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ୱାରା ଲିଖିତ ନମାମି ଗଙ୍ଗେ, ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଏବଂ ସ୍ୱର ସଂଯୋଜନା କରିଥିଲେ ଶ୍ରୀ ଲକ୍ଷ୍ମୀକାନ୍ତ ପାଲିତ।

ଉତ୍ସବର ଅତିଥିମାନେ ଥିଲେ ପୂର୍ବତନ ରାଜସ୍ୱ ପରିଷଦର ଅଧ୍ୟକ୍ଷ ତଥା ଭାରତୀୟ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ତ୍ରିପାଠୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଡକ୍ଟର ଶ୍ରୀନୀବାସ ଘଟୁଆରୀ।

Comment