ଓଡ଼ିଶାଲାଇଭ୍ ବ୍ୟୁରୋ

  • ପ୍ରଥମ ଅଧ୍ୟାୟରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି
  • ଟେଲିଭିଜନ ଓ ଡିଜିଟାଲ ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣ
  • ଭର୍ଚୁଆଲ୍ ମାଧ୍ୟମକୁ ସ୍ୱାଗତ କରିବାକୁ କଳାପ୍ରେମୀଙ୍କୁ ବିଭାଗର ଅନୁରୋଧ
  • ଓଡ଼ିଶାଲାଇଭର ଫେସବୁକ, ୟୁଟ୍ୟୁବ ଓ ହେଲୋ ଆଦି ସୋସିଆଲ୍ ଚ୍ୟାନେଲରେ ପ୍ରସାରଣ  

କରୋନା ସଂକ୍ରମଣ ଯୋଗୁଁ ସଭାସମିତି ବନ୍ଦ। ତେଣୁ ସବୁ ପ୍ରକାର ସଙ୍ଗୀତ, ନୃତ୍ୟର ଉତ୍ସବ ମଧ୍ୟ ବନ୍ଦ ହୋଇଯାଇଛି। ତେବେ ଏହି ସମୟରେ କଳାର ଧାରାକୁ ଜାରି ରଖିବା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଭର୍ଚୁଆଲ ଧାରାରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଏହି ସିରିଜ କାର୍ଯ୍ୟକ୍ରମର ପ୍ରଥମ ଅଧ୍ୟାୟରେ ରହିଛି ଗୁରୁ ଅରୁଣା ମହାନ୍ତିଙ୍କ ଓଡ଼ିଶୀ ନୃତ୍ୟ। ବର୍ଷା ଅଭିସାର ଏବଂ ଭୂମି ସୁତା ଶୀର୍ଷକ ଦୁଇଟି ବିଷୟରେ ସେ ନୃତ୍ୟ ପରିବେଷଣ କରିଥିଲେ।

“ବର୍ତ୍ତମାନ ସମୟରେ କୋଭିଡ୍ ୧୯ ମହାମାରୀ ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଆମର ପ୍ରାଥମିକତା ହୋଇଛି। ତେଣୁ ସମସ୍ତ ପ୍ରକାର ମଞ୍ଚ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି। ତେଣୁ ମଞ୍ଚ ବଦଳରେ ଭର୍ଚୁଆଲ ମାଧ୍ୟମକୁ ଆଦରି ନେଇ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତୁତ କରାଯାଉଛି। ଲାଇଭ୍ ଅଡିଅନ୍ସଙ୍କ ବଦଳରେ ସେହି ସବୁ କାର୍ଯ୍ୟକ୍ରମକୁ ଟେଲିଭିଜନ ଓ ଡିଜିଟାଲ ମିଡିଆ ମାଧ୍ୟମରେ ଏକ ବ୍ୟାପକ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଆମେ ଉଦ୍ୟମ କରୁଛୁ,” ଓଡିଶାଲାଇଭକୁ କହିଛନ୍ତି ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।

“କଳା ଏକ ଗତିଶୀଳ ଧାରା। ଏହା କେବେ ଅଟକେ ନାହିଁ। ତେଣୁ କୋଭିଡ୍ ଭଳି ମହାମାରୀ ସମୟରେ ମଧ୍ୟ କଳାର ଏହି ଧାରାକୁ ବଜାୟ ରଖିବା ପାଇଁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ବିଭିନ୍ନ ଏକାଡେମୀକୁ ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦିଆଯାଇଛି। ତେଣୁ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସିରିଜ ଲାଗି ମୁଁ ଏକାଡେମୀର କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଉଛି,” ଓଡ଼ିଶାଲାଇଭକୁ କହିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।“‘ବର୍ଷା ଅଭିସାର’ ହେଉଛି କବିତା ଓ ନୃତ୍ୟର ଏକ ଚତ୍ମକାର ସମନ୍ୱୟ। ବର୍ଷାର ଆଗମନରେ ପ୍ରଣୟ ଓ ପ୍ରଣୟୀଙ୍କ ମନରେ ଜାତ ହେଉଥିବା ପ୍ରେମ ଭାବନା ଏଥିରେ ଉପସ୍ଥାପନା କରାଯାଇଛି। ସେହିପରି ‘ଭୂମିସୁତା’ ସୀତାଙ୍କ ଅଗ୍ନି ପରୀକ୍ଷାର କାହାଣୀ। ଯେତେବେଳେ ଜଣେ ପ୍ରଜାର ସନ୍ଦେହ କିମ୍ବା ପ୍ରଶ୍ନକୁ ନେଇ ରାଜା ରାମଚନ୍ଦ୍ର ସୀତାଙ୍କୁ ପୁଣି ଅଗ୍ନିପରୀକ୍ଷା ଦେବାକୁ କହିଛନ୍ତି ସେତେବେଳେ ସୀତାଙ୍କ ମନରେ ଗଭୀର ଆଘାତ ଲାଗିଛି। ସେ ତାଙ୍କ ଜୀବନର ଯାତ୍ରାରେ ପଛକୁ ଫେରିଚାହିଁ ଘଟିଥିବା ଗୋଟିଏ ଗୋଟିଏ କଥା ମନେ ପକାଇଛନ୍ତି। ଶେଷରେ ସୀତା ଭାବୁଛନ୍ତି ଯେ ଥରକୁ ଥର ନାରୀତ୍ୱର ପରୀକ୍ଷା ଦେବା ଅପେକ୍ଷା ଯେଉଁ ମା’ କୋଳରୁ ସେ ଦିନେ ଜନ୍ମ ହୋଇଥିଲେ ସେହି ମା’ କୋଳକୁ ସବୁଦିନ ପାଇଁ ଫେରିଯିବା ଶ୍ରେୟସ୍କର,” ତାଙ୍କ ନୃତ୍ୟ ସମ୍ପର୍କରେ ବର୍ଣ୍ଣନା କରି କହିଛନ୍ତି ଓଡିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି।

ଏହି ଓଡ଼ିଶୀ କାର୍ଯ୍ୟକ୍ରମରେ ଯେଉଁମାନେ ସଙ୍ଗୀତ ପରିବେଷଣ କରିଛନ୍ତି ସେମାନେ ହେଲେ ରୂପକ କୁମାର ପରିଡା (ଗାୟନ), ବିଜୟ କୁମାର ବାରିକ (ମର୍ଦ୍ଦଳ), ଅଗ୍ନିମିତ୍ର ବେହେରା (ବେହେଲା), ଶ୍ରୀନିବାସ ଶତପଥୀ (ବଂଶୀ) ଏବଂ ସୀତାକାନ୍ତ (ମଞ୍ଜିରା)। ସେହିପରି ଆଲୋକ ସଂଯୋଜନା କରିଛନ୍ତି ରମେଶ ଚନ୍ଦ୍ର ଜେନା।କରୋନା ଘଡ଼ିରେ ପ୍ରସାରିତ ହେଉଥିବା ଏହି ଭର୍ଚୁଆଲ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ମତ ରଖିଛନ୍ତି ଅରୁଣା। ସେ କହିଛନ୍ତି, “ବର୍ତ୍ତମାନ ପରିସ୍ଥିତିରେ ଭର୍ଚୁଆଲ୍ ମାଧ୍ୟମ ଛଡ଼ା ଅନ୍ୟ କୌଣସି ରାସ୍ତା ନାହିଁ। ଜୀବନ ପ୍ରଥମ, ତା’ପରେ କଳାସାଧନା। ତେବେ ବିନା କଳାରେ ମଧ୍ୟ ଜୀବନ ନିରସ। ତେଣୁ ଏଭଳି ଏକ ସମ୍ବେଦନଶୀଳ ସମୟରେ ଭର୍ଚୁଆଲ୍ ମିଡିୟମର ସାହାଯ୍ୟ ନେଇ ଯେଉଁ କଳା ପରିବେଷଣ ହେଉଛି ତାହା ଅନେକ ଦର୍ଶକଙ୍କ ପାଇଁ ମନୋରଞ୍ଜନ ଓ ପ୍ରେରଣା ହେବ ବୋଲି ମୋର ବିଶ୍ୱାସ।”

ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପ୍ରସ୍ତୁତ ଏହି ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମକୁ ଦେଶବିଦେଶର ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭର ଫେସବୁକ, ୟୁଟ୍ୟୁବ ଓ ହେଲୋ ଆଦି ସୋସିଆଲ୍ ଚ୍ୟାନେଲରେ ପ୍ରସାରଣ କରାଯାଉଛି।

Comment